ମଙ୍ଗଳବାର ସକାଳୁ ଭୀଷଣ ବାତ୍ୟାର ରୂପ ନେଇଛି ମୋନ୍ଥା । ସନ୍ଧ୍ୟା ସୁଦ୍ଧା କାକିନାଡାରେ କରିବ ଲ୍ୟାଣ୍ଡଫଲ । ବତ୍ୟାର ଦକ୍ଷିଣ ଭାଗରେ ରହିଛି ଘନ ବାଦଲ । ଦକ୍ଷିଣ ଓଡ଼ିଶା ଉପରେ ଛାଇ ରହିଛି ଘନ ବାଦଲ । ୨୯ ତାରିଖ ଭୋରରେ ବାତ୍ୟା ମୋନ୍ଥା ଓଡ଼ିଶା ଦେଇ ଗତି କରିବ । ଏହାର ପ୍ରଭାବରେ ପ୍ରବଳ ବର୍ଷାରେ ଉବୁଟୁବୁ ହେବ ଦକ୍ଷିଣ ଓଡ଼ିଶା । ବିଶେଷକରି କୋରାପୁଟ , ମାଲକାନଗିରି , ନବରଙ୍ଗପୁର ଦେଇ ଗତି କରିବା ସମୟରେ ପବନର ବେଗ ୬୦ରୁ ୭୦ କିମି ରହିବ । ଅତି ବେଶୀରେ ପବନର ବେଗ ୮୦ କିମି ରହିବ । ଛତିଶଗଡ଼ରେ ପହଞ୍ଚିଲା ବେଳକୁ ଅବପାତ ହୋଇ ଦୁର୍ବଳ ହୋଇଯିବ । ଏ ନେଇ ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ଗତକାଲିଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି ।
ବାତ୍ୟା ମୋନ୍ଥା ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶେଷକରି ଗୋପାଳପୁରରେ ସବୁ ହୋଟେଲ ବନ୍ଦ ରହିଛି । ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରଖାଯାଇଛି । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଅଗ୍ନିଶମ କର୍ମଚାରୀ , ଏନଡିଆରଫ୍ ଟିମ୍, ଓଡ୍ରାଫ୍ ଟିମ୍ ଓ ପୋଲିସ ସମସ୍ତେ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ । ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିରୋ କାଜୁଆଲିଟିର ଲକ୍ଷ୍ୟ ନେଇ ସରକାର କରିଛନ୍ତି ବାତ୍ୟା ମୁକାବିଲାର ପ୍ରସ୍ତୁତି । ଓଡ଼ିଶାରେ ୨ ହଜାର ୪୮ଟି ବାତ୍ୟା ଆଶ୍ରୟ ସ୍ଥଳୀ ଥିବା ବେଳେ ଏଭିତରେ ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି | ଆହୁରି ୩୦ ହଜାର ୫୫୪ ଜଣଙ୍କୁ ନେବା ପାଇଁ ଚିହ୍ନଟ କରାଯାଇଛି | ୧ ହଜାର ୮୭୧ ଜଣ ଗର୍ଭବତୀ ସ୍ଥାନାନ୍ତରିତ ହୋଇ ଥିବା ବେଳେ ୮୨୨ଜଣଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଛି ବିଦ୍ୟୁତ ଓ ପାଣି ପାଇଁ ୩୯ଟି ଓଡ୍ରାଫ, ୧୨୩ଟି ଅଗ୍ନିଶମ, ୫ଟି ଏନଡିଆରଏଫ୍ ମୁତୟନ ହୋଇଛନ୍ତି| ପର୍ଯ୍ୟଟକମାନଙ୍କୁ ଗୋପାଳପୁର, ମହେନ୍ଦ୍ରଗିରି,ଦେଓମାଳୀ ନ ଯିବା ପାଇଁ ସତର୍କ ଦିଆଯାଇଛି | ସ୍କୁଲ ଓ ଅଙ୍ଗନବାଡ଼ି ୩୦ ତାରିଖ ଯାଏଁ ବନ୍ଦ ଅଛି, ଆବଶ୍ୟକ ହେଲେ ଛୁଟି ବଢାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେପଟେ ହାତରୁ କ୍ଷମତା ଯାଇଥିଲେ ମଧ୍ୟ ମନରୁ ଯାଇନି ଓଡ଼ିଶାବାସୀଙ୍କ ଚିନ୍ତା । ବାତ୍ୟାକୁ ନେଇ ଭୟଭୀତ ନହେବାକୁ ବାର୍ତ୍ତା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।