ନିକଟରେ ମହମ୍ମଦ ମୋକିମ୍ଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବା ପରେ ଏବେ କର୍ମୀ କେଉଁ ଦିଗକୁ ଯିବେ ତାହା ଉପରେ ରାଜନୈତିକ ମହଲ ନଜର ରଖିଛନ୍ତି। ଅନ୍ୟଥା ଆଗକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଲଢ଼େଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ େହବ ଏବଂ ବାଙ୍କୀ, ମାହାଙ୍ଗା, ସାଲେପୁର ଅଞ୍ଚଳରେ କଂଗ୍ରେସ ତାର ଶକ୍ତି ଦେଖାଇପାରେ।
୨୦୨୪ ସାଧାରଣ ନିର୍ବାଚନରେ ଚୌଦ୍ବାର-କଟକ, ସାଲେପୁର, ଆଠଗଡ଼ ଓ ବାଙ୍କୀରେ ବିଜେଡି ଜିତିଥିଲା। କଟକ ସଦର ଓ ନିଆଳି ଆସନ ବିଜେପି ଗଲା ଓ ବାରବାଟୀ କଟକରେ କଂଗ୍ରେସର ସୋଫିଆ ଫିରଦୋସ୍, ବଡ଼ମ୍ବାରେ ବିଜୟ ଦଳବେହେରା ଓ ମାହାଙ୍ଗାରେ ସାରଦା ପ୍ରଧାନ ସ୍ବାଧୀନ ଭାବେ ବିଜୟୀ ହେଲେ। ବିଜେପିର ଦୁଇ ଜଣ, ବିଜେପିକୁ ସମର୍ଥନ ଦେଉଥିବା ୨ ସ୍ବାଧୀନ ବିଧାୟକ ଓ ଜଣେ କଂଗ୍ରେସ ବିଧାୟକଙ୍କୁ ନେଇ ଆଗକୁ ବଢ଼ୁଛି ରାଜନୀତି। ଲଗାତାର ଦୁଇଟି ନିର୍ବାଚନରେ ବାରବାଟୀ-କଟକ ଆସନର ଭୋଟର କଂଗ୍ରେସକୁ ଭରସା କରିଛନ୍ତି। ହେଲେ ନିକଟରେ ମହମ୍ମଦ ମୋକିମ୍ଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବା ପରେ ଏବେ କର୍ମୀ କେଉଁ ଦିଗକୁ ଯିବେ ତାହା ପ୍ରଶ୍ନ ସୃଷ୍ଟି କରିଛି ।
ବର୍ତ୍ତମାନ କିନ୍ତୁ ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ବିଜେଡି ଅଣନିଃଶ୍ବାସୀ ଅବସ୍ଥାରେ ରହିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂହଙ୍କ ସମର୍ଥକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଚୌଦ୍ବାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ କଟକ ଜିଲ୍ଲାର ଦେବୀ ମିଶ୍ର, ପ୍ରତାପ ଜେନାଙ୍କ ଭଳି ବରିଷ୍ଠ ନେତାଙ୍କୁ ଖୋଲା ସମାଲୋଚନା କରୁଛନ୍ତି। ଯୁବ ବିଜେଡିର ଟିମ୍ ଚୟନ ବେଳେ ଅନ୍ୟ ଜିଲ୍ଲାର ପ୍ରତିନିଧିଙ୍କୁ କଟକରେ ସାମିଲ କରାଯିବା ଓ କିଛି ଜଣାଣୁଣା ଯୁବନେତା ଦଳ ଛାଡ଼ି ଅନ୍ୟ ଦଳରେ ମିଶିବା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିଛି। ଏହାର ଫାଇଦା କିନ୍ତୁ ନେଇପାରିନି ବିଜେପି। ସଦର ଓ ନିଆଳି ବ୍ୟତୀତ ଅନ୍ୟ ନିର୍ବାଚନମଣ୍ଡଳୀରେ ଦଳ ସଂଗଠିତ ହୋଇପାରିନାହିଁ।
ମହମ୍ମଦ ମୋକିମ ଓ ସୋଫିଆ ଫିରଦୋସଙ୍କ ନେତୃତ୍ବରେ କଂଗ୍ରେସ ବାରବାଟୀ-କଟକରେ ସଂଗଠିତ ଥିଲେ ବି ଅନ୍ୟ ସବୁଠି ଦୁର୍ବଳ ସ୍ଥିତିରେ ରହିଛି। ବାଙ୍କୀ, ସାଲେପୁର ଓ ମାହାଙ୍ଗାରେ ଦଳର ନେତୃବୃନ୍ଦ ନିଜନିଜର ସ୍ଥିତି ରକ୍ଷା ପାଇଁ କସରତ କରୁଛନ୍ତି। ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହଙ୍କ କହିବାନୁସାରେ, ବିଜେଡି ଏବେବି ଲୋକଙ୍କ ମନରେ ରହିଛି। ବିଜୁ ସ୍ବାସ୍ଥ୍ୟ ଯୋଜନା, ସାର କଳାବଜାର, ଧାନମଣ୍ଡିରୁ ଧାନ ନଉଠିବା, ଚାଷୀ ପଞ୍ଜୀକରଣ, ନାରୀ ନିର୍ଯାତନା ସମସ୍ୟାରେ ଅତିଷ୍ଠ ଲୋକମାନେ ବିଜେଡିକୁ ଝୁରୁଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ସୁଦୃଢ ଅବଶ୍ୟ ହେବ। ବିଜେପି ଜିଲ୍ଲା ସଭାପତି (ଗ୍ରାମୀଣ) ରାମନରାୟଣ ମହାନ୍ତି କହିଛନ୍ତି ଯେ ପୂର୍ବାପେକ୍ଷା ଦଳର ସାଂଗଠନିକ ସ୍ଥିତି ଅଧିକ ସୁଦୃଢ଼ ହୋଇଛି। ଆଗକୁ ଦଳରେ ସାମିଲ ହେବାକୁ ଯେଉଁମାନେ ଆସିବେ ଆମେ ସେମାନଙ୍କୁ ସ୍ବାଗତ କରିବୁ। ଅନ୍ୟପଟେ ବିଜେପି ଜିଲ୍ଲା ସଭାପତି ସୁକାନ୍ତ ବିଶ୍ବାଳ ସହରାଞ୍ଚଳରେ ଦଳୀୟ ସଂଗଠନ ସଜାଡ଼ିବାକୁ ଯୋଜନା ଚଳାଇଛନ୍ତି।