ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଏବେ ନୂଆ ମୋଡ଼ ନେଇଛି। ସୋମବାର ଶିବସେନାର ୨୦ ଜଣ ବିଧାୟକଙ୍କ ଓ୍ବାଇ ପ୍ଲସ୍ ସୁରକ୍ଷାବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି। ସିନ୍ଦେଙ୍କ ଅଧୀନରେ ଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଏହି ୨୦ ଜଣ ନେତାଙ୍କ ସୁରକ୍ଷା ନିମନ୍ତେ କେବଳ ଜଣେ ଲେଖାଏଁ କନେଷ୍ଟବଳ ନିୟୋଜିତ ରହିବେ। ବିଜେପି ନେତୃତ୍ବାଧୀନ ଫଡନବିସ୍ ସରକାରଙ୍କ ଏହି ପଦକ୍ଷେପକୁ ନେଇ ଶିବସେନା ଯେଭଳି କୌଣସି ପ୍ରତିକ୍ରିୟା ପ୍ରକାଶ ନ କରେ ସେଥିନିମନ୍ତେ ଏକ ସନ୍ତୁଳନ ମୂଳକ ପଦକ୍ଷେପ ସ୍ବରୂପ କିଛି ବିଜେପି ଓ ଅଜିତ୍ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପିର କିଛି ନେତାଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ପ୍ରତ୍ୟାହାର କରାଯାଇଛି। ମାତ୍ର ଅନ୍ୟ ଦଳ ତୁଳନାରେ ସେନାର ଅଧିକ ବିଧାୟକଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଥିବାରୁ ତାହା ସିନ୍ଦେ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିବା ଆଲୋଚନା ହେଉଛି।
ଅନ୍ୟ ଏକ ଘଟଣାରେ ମହାୟୁତି ସରକାରରେ କିଏ କାହାଠାରୁ ଉପରେ ବୋଲି ଦର୍ଶାଇବାକୁ ଏକ ପ୍ରତିଯୋଗିତା ଉଭୟ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ଗତ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଫଡନବିସ ଶିଳ୍ପ ବିଭାଗର ଏକ ସମୀକ୍ଷା ବୈଠକ କରିଥିଲେ। ଏହା ସତ୍ତ୍ବେ ସିନ୍ଦେ ସୋମବାର ବିଭାଗୀୟ ବୈଠକ ଡକାଇଥିବା ଶୀତଳ ଯୁଦ୍ଧ ଚର୍ଚ୍ଚାକୁ ଘନୀଭୂତ କରିଛି।