ନୂଆଦିଲ୍ଲୀ: ଛଉ ଭଳି ମାଡି ଯାଉଛି ଗେରୁଆ ରଙ୍ଗ। ଓଡ଼ିଶାରେ ସତ୍ତା ପରିବର୍ତ୍ତନର ହାଓ୍ବା ପହଞ୍ଚିଛି ଦିଲ୍ଲୀରେ। ରାଷ୍ଟ୍ରୀୟ ରାଜଧାନୀରେ ସତ୍ତାର ସବୁ ସମୀକରଣ ଓଲଟପାଲଟ କରିଦେଇଛି ବିଧାନସଭା ନିର୍ବାଚନ। ଆମ୍ ଆଦମୀ ପାର୍ଟିର ପ୍ରତିଶ୍ରୁତି ଉପରେ ଭାରି ପଡିଛି ମୋଦୀ ମ୍ୟାଜିକ୍। ମିଥ୍ୟା, ଅବିଶ୍ବାସ ଓ ଅନୀତିର ପରାଜୟ ଘଟିଛି । ସୁଶାସନ ଓ ବିକାଶକୁ ଚୟନ କରିଛନ୍ତି ଭୋଟର। ନିର୍ବାଚନ ଫଳାଫଳ ଘୋଷଣା ପରେ ଦିଲ୍ଲୀବାସୀ ମଧ୍ୟ ଆଶ୍ବସ୍ତ ହୋଇଛନ୍ତି। କାରଣ ଏକ ଦଶନ୍ଧି ପରେ `ଆପ୍-ଦା’ ମୁକ୍ତ ହୋଇଛି ଦିଲ୍ଲୀ। ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଶନିବାର ସନ୍ଧ୍ୟାରେ ଦଳୀୟ ମୁଖ୍ୟାଳୟଠାରେ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ବିଜୟ ଉଲ୍ଲାସରେ ଅତ୍ୟନ୍ତ ଉତ୍ସାହୀ ବିଜେପି କର୍ମୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଦିଲ୍ଲୀର ସେବା କରିବା ଲାଗି ବିଜେପିକୁ ଏକ ସୁଯୋଗ ପ୍ରଦାନ କରିବା ନିମନ୍ତେ ସେ ଦିଲ୍ଲୀ ବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଥିଲେ। ଏଥିସହ ଦିଲ୍ଲୀକୁ ଏକ ବିକଶିତ ରାଜଧାନୀ ଭାବେ ଗଢି ତୋଳିବା ଲାଗି ତାଙ୍କୁ ସୁଯୋଗ ଦେବାକୁ ସେ ଭୋଟରଙ୍କୁ ନିବେଦନ କରିଥିଲେ। ଯାହାର ପ୍ରଭାବ ମତଦାନରେ ଦେଖିବାକୁ ମିଳିଥିବା ମୋଦୀ କହିଛନ୍ତି।
ଏହି ଅବସରରେ ଆପ୍ ଆଡ଼କୁ ସମାଲୋଚନାର ତୀର ମାରି ମୋଦୀ କହିଛନ୍ତି ଅରବିନ୍ଦ କେଜରିଓ୍ବାଲଙ୍କ ଦଳ ଦୀର୍ଘ ୧୦ ବର୍ଷ ଧରି ଦିଲ୍ଲୀରେ ଶାସନ କରିଛି। ମାତ୍ର ରାଷ୍ଟ୍ରୀୟ ରାଜଧାନୀରେ ଆପ୍ ସରକାର ଦିଲ୍ଲୀ ମେଟ୍ରୋର ସମ୍ପ୍ରସାରଣରେ ବ୍ରେକ୍ ଲଗାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ଯୋଜନା ଆୟୁଷ୍ମାନ ଭାରତ ପାଇଁ ଦ୍ବାର ବନ୍ଦ କରି ରଖିଥିଲା। ଏହା କିଭଳି ବିକାଶ ବୋଲି ପ୍ରଶ୍ନ ଉଠାଇ ମୋଦୀ କହିଛନ୍ତି ଯେ ଦିଲ୍ଲୀ ପାଇଁ ‘ଆପ୍-ଦା’ ପାଲଟିଥିବା ଆପ୍ ଏଠାକାର ବସ୍ତିିରେ ରହୁଥିବା ଲୋକଙ୍କୁ ସ୍ଥାୟୀ ବାସଗୃହ ପ୍ରଦାନ କରିପାରି ନାହିଁ। ଏହା ହିଁ କାରଣ ଯେ ଦିଲ୍ଲୀବାସୀ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜେପିକୁ ନିର୍ବାଚିତ କରିଛନ୍ତି। ଅଗାମୀ ଦିନରେ ବିଜେପି ଏଠାରେ ସୁଶାସନ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେବା ସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଥର ନିର୍ବାଚନରେ ଦିଲ୍ଲୀବାସୀ ପଦ୍ମ ଦଳ ପାଇଁ ଯେତିକି ଆଦର ଦେଖାଇଛନ୍ତି ତାହାକୁ ବିକାଶ ଆକାରରେ ଦୁଇଗୁଣା କରି ଦଳ ଫେରାଇବ। ଶାସନତନ୍ତ୍ର ନାଟକର ମଞ୍ଚ ନୁହେଁ ବୋଲି ଦର୍ଶାଇ ମୋଦୀ କହିଛନ୍ତି ଯେ ଦିଲ୍ଲୀରେ ରାଜନୈତିକ ବିକ୍ଷୋଭ, ସଂଘର୍ଷ ଓ ପ୍ରଶାସନିକ ଅସ୍ପଷ୍ଟତା କାରଣରୁ ଲୋକଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିଛି। ତେବେ ଦିଲ୍ଲୀରେ ଆଜି ବିଶ୍ବାସ, ଭିଜ୍ନ(ଦୂରଦୃଷ୍ଟି) ଓ ବିଶ୍ବାସର ବିଜୟ ହୋଇଛି ବୋଲି ସେ କହିଛନ୍ତି। ଦୁର୍ନୀତି ପ୍ରସଙ୍ଗରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଆତ୍ମପ୍ରକାଶ କରିଥିବା ଏକ ଦଳ ଦୁର୍ନୀତିର ଖାଇରେ ସମ୍ପୂର୍ଣ୍ଣ ଅସାଧୁ ପାଲଟି ସତ୍ତା ହରାଇଛି। ତେବେ ଯିଏ ଯିଏ ଲୁଟ୍ କରିଛନ୍ତି ସେମାନଙ୍କୁ ଲୁଟ୍ ମାଲ୍ ଫେରାଇବାକୁ ପଡିବ ବୋଲି ମୋଦୀ କହିଛନ୍ତି। ସେହିଭଳି କଂଗ୍ରେସ ଏହି ନିର୍ବାଚନରେ ଖାତା ଖୋଲି ପାରି ନ ଥିବା ପ୍ରସଙ୍ଗ ଉଠାଇ ମୋଦୀ କହିଛନ୍ତି ଯେ ଦେଶର ସର୍ବାପୁରାତନ ରାଜନୈତିକ ଦଳ ରାଷ୍ଟ୍ରୀୟ ରାଜଧାନୀରେ ଶୂନ୍ୟ ଆସନ ହାସଲ କରିବାରେ ହ୍ୟାଟ୍ରିକ କରିଛି। ଉଲ୍ଲେଖ ଯେ କଂଗ୍ରେସ ଗୋଟିଏ ମଧ୍ୟ ଆସନରେ ଜିତି ନ ଥିବା ବେଳେ ଏହାର ୭୦ ପଆର୍ଥୀଙ୍କ ମଧ୍ୟରୁ ୬୭ ଜଣ ଅମାନତ ହରାଇଛନ୍ତି। କିନ୍ତୁ ଇଣ୍ଡି ମେଣ୍ଟର ସଦସ୍ୟ ହେବା ସତ୍ତ୍ବେ ଦିଲ୍ଲୀରେ ଅଲଗା ନିର୍ବାଚନ ଲଢିବାର କ୍ଷତି ସହିତ ଆପ୍। କାରଣ ଦିଲ୍ଲୀରେ ପାଖାପାଖି ୨ ଲକ୍ଷ ଭୋଟ୍ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କାରଣରୁ ଆପ୍ ହରାଇଛି। ଉଲ୍ଲେଖ ଯେ ମୋଟ ୭୦ ଆସନରୁ ବିଜେପି ୪୮ ଏବଂ ଆପ୍ ୨୨ଟି ଆସନରେ ବିଜୟ ଲାଭ କରିଛି।
ସେପଟେ ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଦଳର ଓଡ଼ିଶା ସଭାପତି ମନମୋନହ ସାମଲ କହିଛନ୍ତି ଭ୍ରଷ୍ଟ ସରକାର ବିରୋଧରେ ଅସନ୍ତୋଷର ବିସ୍ଫୋରଣ। ଐତିହାସିକ ବିଜୟ ଲାଭ ପାଇଁ ସେ ବିଜେପି କାର୍ଯ୍ୟକର୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ଗତ ୨୭ ବର୍ଷ ହେବ ଦିଲ୍ଲୀ ଅବହେଳିତ ଅବସ୍ଥାରେ ଥିଲା, ସେଠାରେ ବିକାଶ ନିମ୍ନଗାମୀ ହୋଇଯାଇଥିଲା । ଗତ ୧୨ ବର୍ଷ ହେବ ଆପ୍ ସରକାର ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିଲା । ଏନେଇ ଦିଲ୍ଲୀବାସୀଙ୍କ ମନରେ ଅସନ୍ତୋଷ ଚରମ ସୀମାରେ ପହଂଚିଥିଲା । ତାହାର ବିସ୍ଫୋରଣ ନିର୍ବାଚନରେ ହୋଇଛି । ଦିଲ୍ଲୀକୁ ରାଜ୍ୟ ପାହ୍ୟା ଦେବା ପାଇଁ ଭାରତୀୟ ଜନତା ପାର୍ଟି ଏକ ଲମ୍ବା ସଂଘର୍ଷ କରି ସଫଳ ହୋଇଥିଲା । ଦିଲ୍ଲୀ ରାଜ୍ୟ ପାହ୍ୟା ପାଇବା ପରେ ବିଜେପି ପ୍ରଥମେ ସରକାର ଗଢ଼ିଥିଲା । ଆଗାମୀ ୫ ବର୍ଷ ଭିତରେ ଦିଲ୍ଲୀକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ନୂତନ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଦେଶର ଯେଉଁ ସବୁ ରାଜ୍ୟରେ ଭାରତୀୟ ଜନତାପାର୍ଟିର ସରକାର ଅଛି, ସେଠାରେ ଯେଉଁଭଳି ଭାବେ ବିକାଶର ଧାରା ଆଗେଇ ଚାଲିଛି ସେଭଳି ଭାବେ ଦିଲ୍ଲୀ ମଧ୍ୟ ଆଗେଇବ । ଏହି ଐତିହାସିକ ବିଜୟ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ନୂଆ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ରାଜ୍ୟ ସଭାପତି ସାମଲ ଅଭିନନ୍ଦନ ଜଣାଇଛନ୍ତି ।