ବେଙ୍ଗାଲୁରୁ : ମହୀସୂର ସହରାଞ୍ଚଳ ବିକାଶ ପ୍ରାଧିକରଣ (ମୁଡା) ଜମି ଆବଣ୍ଟନ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ରାଜ୍ୟ ଲୋକାୟୁକ୍ତ କ୍ଲିନଚିଟ୍ ପ୍ରଦାନ କରିଛନ୍ତି। ପ୍ରମାଣ ଅଭାବରୁ ସିଦ୍ଦରମୈୟାଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ଦୁଇ ଜଣ ପୂର୍ବତନ ଅଧିକାରୀଙ୍କୁ ଏହି ମାମଲାରେ କ୍ଲିନଚିଟ୍ ପ୍ରଦାନ କରାଯାଇଥିବା ଲୋକାୟୁକ୍ତ ଦର୍ଶାଇଛନ୍ତି। ସିଦ୍ଦରମୈୟାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସାଧାରଣ ଏବଂ ତାହା ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣଯୋଗ୍ୟ ନୁହେଁ ବୋଲି ତଦନ୍ତରୁ ଜଣାପଡିଛି। ଏ ସମ୍ବନ୍ଧରେ ଅଭିଯୋଗକାରୀ ସାମ୍ବାଦିକା ତଥା ସାମାଜିକ କର୍ମୀ ସ୍ନେହମୟୀ କ୍ରିଷ୍ଣାଙ୍କୁ ନୋଟିସ ଜରିଆରେ ଅବଗତ କରାଯାଇଛି। ଅଭିଯୋଗକାରୀ ଚାହିଁଲେ ରିପୋର୍ଟ ବିରୋଧରେ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିପାରିବେ।
ମୁଡା ଜମି ଆବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ସ୍ନେହମୟୀ ସିଦ୍ଦରମୈୟା ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏ ନେଇ ପୁରୁଣା ଭାରତୀୟ ପିଙ୍ଗଳ କୋଡ୍, ଦୁର୍ନୀତି ନିବାରଣ ଆଇନ, ବେନାମୀ ଅର୍ଥ କାରବାର (ନିଷେଦ୍ଧ) ଆଇନ ଏବଂ କର୍ଣ୍ଣାଟକ ଜମି ଦୁର୍ନୀତି ଆଇନ ଅଧୀନରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସିଦ୍ଦରମୈୟାଙ୍କୁ ଲୋକାୟୁକ୍ତ କ୍ଲିନଚିଟ୍ ପ୍ରଦାନ କରିଥିଲେ ମଧ୍ୟ ୨୦୧୬ରୁ ୨୦୨୪ ଭିତରେ କରାଯାଇଥିବା ଜମି ଆବଣ୍ଟନରେ କାଣ୍ଟଛାଣ୍ଟ କରାଯିବ। ଏହାକୁ ନେଇ ଅତିରିକ୍ତ ତଦନ୍ତ ଜାରି ରହିଛି। ତଦନ୍ତ ରିପୋର୍ଟ ଆସିଲେ ତାହାକୁ ସିଆରପିସି ଧାରା ୧୭୩(୮) ଅଧୀନରେ କୋର୍ଟରେ ଦାଖଲ କରାଯିବ ବୋଲି ଲୋକାୟୁକ୍ତ ଦର୍ଶାଇଛନ୍ତି।