ପୁରାଣାଦି ପ୍ରାଚୀନ ସାହିତ୍ୟରେ ଜଗନ୍ନାଥ ସବୁ ଯୁଗରେ ଊଣା ଅଧିକେ ପ୍ରଭାବବାନ୍ ଥିଲେ । ଐତିହାସିକ ଦୃଷ୍ଟିରେ ଗ୍ରାମୀଣ ବା ବୈଦିକ ସମାଜରେ ସେ ଥିଲେ ଯୂପମୟ ରୂପ । ପ୍ରାକ୍ ଗୁପ୍ତକାଳର ସେ ପ୍ରତୀକ । ସେ ଉତ୍ତରଗୁପ୍ତ କାଳରେ ପ୍ରଣବମୟ ରୂପ । ମହାଭାରତ କାଳରେ ସେ ଅନ୍ତର୍ବେଦୀ ବା ପବିତ୍ର ବେଦୀ ରୂପରେ । ଗୁପ୍ତୋତ୍ତର କାଳରେ ସେ ତ୍ରିରତ୍ନ, ତତ୍ ପୂର୍ବରୁ ସେ କଳିଙ୍ଗ ଜୀନ । ପ୍ରାଚୀନ ପୁରାଣ କାଳରେ ସେ ପୁରୁଷୋତ୍ତମ । ପୁରାଣ (ଐତିହାସିକ ମତରେ)ରେ ସେ ଅବତାର ବା କୃଷ୍ଣ ଅଟନ୍ତି । ତନ୍ତ୍ର ମତରେ ସେ ଶକ୍ତିଶାଳୀ ଯନ୍ତ୍ରାରୂଢ ବିଗ୍ରହ । ତେଣୁ ସବୁମତର ଆଖ୍ୟାୟିକା ପୂରି ରହିଛି ତାଙ୍କ ଇତିହାସରେ, ଚରିତ୍ରରେ ଏହାହିଁ ବୈଚିତ୍ର୍ଯ । ଏହା ଯଦି ପୂର୍ବାଚାର୍ଯ୍ୟ ସୃଷ୍ଟିକରି ନଥାନ୍ତେ ତାହାହେଲେ ଜଗନ୍ନାଥଙ୍କ ସମନ୍ୱୟବାଦର ପ୍ରତୀକ କୁହାଯିବା କଠିନ ହୋଇଥାନ୍ତା । ସେହି କାରଣରୁ ଜଗନ୍ନାଥ ମନ୍ଦିରରେ ପୂଜା, ଅର୍ଚ୍ଚନା ପୌରାଣିକ ମତବାଦ ମଧ୍ୟରେ ବ୍ରାହ୍ମଣଗୋଷ୍ଠୀ (ସୂତ୍ରଧାରୀ)ଙ୍କଦ୍ୱାରା ଓଁ ମୂର୍ତ୍ତି ଓ ତାହାର ସମ୍ବନ୍ଧୀୟ ସମସ୍ତ କ୍ରିୟାଧିକାର ଦଇତା ବା ଶାବର ସେବକଙ୍କ ଉପରେ ନ୍ୟସ୍ତ ହୋଇଛି । ଏହା କମ୍ ସମନ୍ୱୟର ପ୍ରତୀକ ନୁହେଁ । ସବୁ ଅନୈକ୍ୟ ମଡରେ ଐକ୍ୟ । ଐକ୍ୟତା ମଧ୍ୟରେ ଅନୈକ୍ୟତା ଏହାର ମୂଳ ଆଦର୍ଶ ଅଟେ ।
