ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ବୁଧବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିଛି। ଗତ ନିର୍ବାଚନରେ ମହିଳାଙ୍କ ବିକାଶର ପ୍ରତିଶ୍ରୁତି ଦେଇ ଭୋଟରଙ୍କ ମନ ଜିତିଥିବା ବିଜେପି ଜଣେ ମହିଳାଙ୍କୁ ଏଥର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରିବାକୁ ନିଷ୍ପତ୍ତି ନେଇଛି । ଏଥିକ୍ରମେ ଦଳ ପ୍ରଥମ ଥର ପାଇଁ ବିଧାୟିକା ନିର୍ବାଚିତ ବିଜେପି ନେତ୍ରୀ ରେଖା ଗୁପ୍ତାଙ୍କୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛି । ବୁଧବାର ସଂନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟଠାରେ ପର୍ଯ୍ୟବେକ୍ଷକ ରବି ଶଙ୍କର ପ୍ରସାଦ ଓ ଓମ୍ ପ୍ରକାଶ ଧାନଖରଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଜେପି ବିଧାୟକଙ୍କ ବୈଠକରେ ଗୁପ୍ତାଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଇଥିଲା। ଗୁରୁବାର ଏକ ଭବ୍ୟ ସମାରୋହରେ ଗୁପ୍ତା ଉପରାଜ୍ୟପାଳ ଭିକେ ସକସେନାଙ୍କଠାରୁ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି ।
କିଏ ଏହି ରେଖା?
୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ଶାଲିମାର ବାଗ (ଉତ୍ତର-ପଶ୍ଚିମ) ନିର୍ବାଚନ ମଣ୍ଡଳୀରେ ଆପ୍ ପ୍ରାର୍ଥିନୀ ବନ୍ଦନା କୁମାରୀଙ୍କୁ ୬୮,୨୦୦ ଭୋଟ ବ୍ୟବଧାନରେ ପରାସ୍ତ କରି ବିଧାୟିକା ନିର୍ବାଚିତ ହୋଇଛନ୍ତି। ୫୦ ବର୍ଷ ବୟସ୍କା ରେଖାଗୁପ୍ତା ଏବେ ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି। ପ୍ରାରମ୍ଭରେ ସେ ଦିଲ୍ଲୀରେ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ। ୧୯୯୨ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧିନସ୍ଥ ଦୌଲତ ରାମ କଲେଜରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସଦସ୍ୟ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୯୬-୯୭ରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନ (ଡିୟୁଏସୟୁ)ର ଅଧ୍ୟକ୍ଷ ଥିବା ସମୟରେ ଛାତ୍ରମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରି ଚର୍ଚ୍ଚାକୁ ଆସିଥିଲେ। ୨୦୦୭ରେ ଉତ୍ତର ପିତାମପୁରରୁ କାଉନସିଲର ନିର୍ବାଚିତ ହୋଇ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ପରେ ସେ ଦକ୍ଷିଣ ଦିଲ୍ଲୀ ପୌର ନିଗମର ମେୟର ଭାବେ କାର୍ଯ୍ୟ କରିଥିଲେ। ଆର୍ଥିକ ଭାବେ ଅନଗ୍ରସର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସେ ‘ସୁମେଧା’ ନାମରେ ଏକ ଯୋଜନା ଆରମ୍ଭ କରିଥିଲେ। ସେହିଭଳି ମହିଳା ଓ ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷା ଭାବେ ସେ ମହିଳା ସଶସ୍ତ୍ରୀକରଣ ଦିଗରେ ଅନେକ କାର୍ଯ୍ୟ କରିଥିଲେ।
ଉଲ୍ଲେଖ ଯେ, ଗତ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇ ୮ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ବିଧାନସଭାର ମୋଟ ୭୦ ଆସନ ମଧ୍ୟରୁ ବିଜେପି ୪୮ଟି ଆସନରେ ବିଜୟୀ ହୋଇଥିବା ବେଳେ ମାତ୍ର ୨୨ଟି ଆସନରେ ସୀମିତ ହୋଇ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ବାଧୀନ ଆମ୍ ଆଦମୀ ପାର୍ଟି କ୍ଷମତା ହରାଇଥିଲା।