ନୂଆଦିଲ୍ଲୀ: କେନ୍ଦ୍ରରେ ବଢୁଛି ଓଡ଼ିଆଙ୍କ ଦବଦବା। ମୋଦୀ ସରକାରରେ ଓଡ଼ିଆଙ୍କୁ ମିଳିଛି ଗୁରୁତ୍ବ । ବରିଷ୍ଠ ଆଇଏଏସ ଅଧିକାରୀ ପି.କେ ମିଶ୍ରଙ୍କ ପରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ତ୍ବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ ୧୯୮୦ ବ୍ୟାଚ ତାମିଲନାଡୁ କ୍ୟାଡରର ଅଭିଜ୍ଞ ଆଇଏଏସ ଅଧିକାରୀ ଶକ୍ତିକାନ୍ତ ଦାସ। ଶନିବାର ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତି ଦିଆଯାଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ପୂରଣ ହେବା ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ମଧ୍ୟରୁ ଯେଉଁଟି ପ୍ରଥମେ ଘଟିବ, ସେପର୍ଯ୍ୟନ୍ତ ଶ୍ରୀ ଦାସ ଏହି ପଦବୀରେ ନିଯୁକ୍ତ ରହିବେ। ତେବେ ବରିଷ୍ଠ ଆଇଏଏସ ପିକେ ମିଶ୍ର ବିଗତ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଆସୁଛନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ନିତି ଆୟୋଗର ସିଇଓ ବି.ଭି.ଆର୍ ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ମଧ୍ୟ ଏକ ବର୍ଷ ବୃଦ୍ଧି କରାଯାଇଛି, ଯାହାକି ୨୦୨୫ ଫେବୃଆରୀ ୨୪ରୁ ଆରମ୍ଭ ହେବ। ୧୯୮୭ ବ୍ୟାଚ୍ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଶ୍ରୀ ସୁବ୍ରମଣ୍ୟମଙ୍କୁ ୨୦୨୩ ଫେବୃଆରୀରେ ଦୁଇ ବର୍ଷ ପାଇଁ ନିତି ଆୟୋଗ ସିଇଓ ଭାବେ ନିଯୁକ୍ତ କରାଯାଇଥିଲା।
ଉଲ୍ଲେଖ ଯେ, ଶ୍ରୀ ଦାସ ୨୦୧୮ ଡିସେମ୍ବରରୁ ୬ ବର୍ଷ ପର୍ଯ୍ୟନ୍ତ ଆରବିଆଇ ଗଭର୍ଣ୍ଣର ପଦରେ ନିଯୁକ୍ତ ଥିଲେ। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ୪୦ ବର୍ଷର ଅଭିଜ୍ଞତା ରହିଛି। ବିଶେଷକରି ଅର୍ଥ, ଶୁଳ୍କ, ଶିଳ୍ପ, ଭିତ୍ତିଭୂମି ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସେ ପ୍ରମୁଖ ପଦପଦବୀରେ ରହି କାର୍ଯ୍ୟ କରିଥିଲେ। କୋଭିଡ-୧୯ ମହାମାରୀ ସମୟରେ ଆରବିଆଇ ଗଭର୍ଣ୍ଣର ଭାବେ ସେ ଭାରତର ଆର୍ଥିକ ସ୍ଥିତିକୁ ଅଧିକ ମଜବୁତ କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଅର୍ଥନୀତି ଉପରେ ମହାମାରୀର ପ୍ରଭାବକୁ ହ୍ରାସ କରିବା ସହିତ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ମୁଦ୍ରା ନୀତି, ଲିକୁଇଡିଟି ଏବଂ ନିୟାମକ ନୀତିକୁ ନେଇ ଅନେକ ପାରମ୍ପରିକ, ଅଣପାରମ୍ପରିକ ଏବଂ ଅଭିନବ ନୀତିଗତ ପଦକ୍ଷେପ ମାଧ୍ୟମରେ ସେ କେନ୍ଦ୍ରୀୟ ବ୍ୟାଙ୍କର ମହାମାରୀ ପ୍ରତିକ୍ରିୟାର ନେତୃତ୍ବ ନେଇଥିଲେ। ଏବେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପ୍ରମୁଖ ସଚିବ ଭାବେ ଶ୍ରୀ ଦାସଙ୍କ ଉପରେ ଅନେକ ଗୁରୁଦାୟିତ୍ବ ରହିବ।