ହିନ୍ଦୁ ଜ୍ୟୋତିଷିକ ତତ୍ତ୍ୱରେ ଗ୍ରହଜଗତ ନଅଗୋଟି ଗ୍ରହଙ୍କୁ ନେଇ ଗଠିତ, ଯଥା- ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ । ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ମଧ୍ୟ ଜ୍ୟୋତିଷିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ ନିଜର ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଛାଡ଼ି ଘୋଶଯାତ୍ରାରେ ନବଦିନ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଆଷାଢ଼ ଶୁକ୍ଳ ତୃତୀୟାଠାରୁ ଆଷାଢ଼ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି ଏବଂ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ପହଣ୍ଡି ହୋଇ ରଥ ଚଢ଼ି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଶ୍ରୀଜଗନ୍ନାଥଙ୍କ ନବଦିନ ବ୍ୟାପୀ ଘୋଷଯାତ୍ରାସହ ନବଗ୍ରହଙ୍କ ଘନିଷ୍ଟ ସମ୍ପର୍କ ରହିଛି । ଶ୍ରୀଜଗନ୍ନାଥଙ୍କ ଏହି ନବଦିନ ଯାତ୍ରା ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରିଥାଏ । ସପ୍ତାହକର ସାତଦିନ ଗ୍ରହମଣ୍ଡଳର ଗ୍ରହମାନଙ୍କ ନାମରେ ନାମିତ । ରବିଙ୍କ ଉଦ୍ଦେଶ୍ୟରେ ରବିବାର, ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସୋମବାର, ମଙ୍ଗଳଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର, ବୁଧଙ୍କ ଉଦ୍ଦେଶ୍ୟରେ ବୁଧବାର, ଦେବଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଗୁରୁବାର, ଶୁକ୍ରଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଓ ଶନିଙ୍କ ଉଦ୍ଦେଶ୍ୟରେ ଶନିବାର । କିନ୍ତୁ ଅନ୍ୟ ଦୁଇଗ୍ରହ, ଯଥା ରାହୁ ଓ କେତୁ ଛାୟାଗ୍ରହ ହେତୁ ଏମାନଙ୍କର କୌଣସି ସ୍ୱତନ୍ତ୍ର ବାର ନାହିଁ ।

ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ ସାତଦିନ ରହନ୍ତି ଏବଂ ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରନ୍ତି । ଆଷାଢ଼ ମାସର ତୃତୀୟା ତିଥି ଯେଉଁଦିନ ପଡ଼ିବ ସେହିଦିନ ଶ୍ରୀଜଗନ୍ନାଥ ସେହିବାରର ପ୍ରତୀକଗ୍ରହ ରୂପେ ପୂଜା ପାଆନ୍ତି । ମନେକର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଘୋଷଯାତ୍ରା ଦିନ ରବିବାର ହେଲେ ତୃତୀୟା ସୋମବାର ହେବ ଏବଂ ତୃତୀୟାଠାରୁ ଶ୍ରୀଜଗନ୍ନାଥ ଆଗାମୀ ରବିବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତ୍ୟେକ ଗ୍ରହଙ୍କ ନିର୍ଦ୍ଧିଷ୍ଟ ସେହି ଗ୍ରହଙ୍କ ସ୍ୱରୂପ ଭାବରେ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି । ସୋମବାର ଦିନ ଚନ୍ଦ୍ରଙ୍କ ସ୍ୱରୂପ, ମଙ୍ଗଳବାର ଦିନ ମଙ୍ଗଳଙ୍କ ସ୍ୱରୂପ, ବୁଧବାର ଦିନ ବୁଧଙ୍କ ସ୍ୱରୂପ, ଗୁରୁବାର ଦିନ ବୃହସ୍ପତିଙ୍କ ସ୍ୱରୂପ, ଶୁକ୍ରବାର ଦିନ ଶୁକ୍ରଙ୍କ ସ୍ୱରୂପ, ଶନିବାର ଦିନ ଶନିଙ୍କ ସ୍ୱରୂପ ଓ ରବିବାର ଦିନ ରବିଙ୍କ ସ୍ୱରୂପ ଭାବରେ ପୂଜା ପାଆନ୍ତି । କିନ୍ତୁ ରାହୁ ଓ କେତୁ ଏ ଦୁଇ ଗ୍ରହଙ୍କ ସ୍ୱତନ୍ତ୍ର ବାର ନଥିବା ହେତୁ ପ୍ରଥମ ଗୁଣ୍ଡିଚା ଘୋଷଯାତ୍ରା ଓ ଶେଷ ବାହୁଡ଼ା ଏ ଦୁଇ ଦିବସକୁ ରାହୁ ଓ କେତୁଙ୍କ ପାଇଁ ନିର୍ଦ୍ଦିଷ୍ଟ ବୋଲି ନିର୍ଣ୍ଣୟ କରାହୁଏ । ଏକସପ୍ତାହ ବ୍ୟାପି ଗୁଣ୍ଡିଚାରେ ରହଣୀ କାଳ ଚନ୍ଦ୍ରଙ୍କଠାରୁ ଆରମ୍ଭ କରି ରବିଙ୍କ ପର୍ଯ୍ୟନ୍ତ ସପ୍ତଗ୍ରହକୁ ସୂଚେଇଲା ଭଳି ଦୁଇ ଯାତ୍ରାକୁ ସାଙ୍କେତିକ ଭାବରେ ରାହୁ ଓ କେତୁଙ୍କୁ ସୂଚାଇ ନବଦିନ ବ୍ୟାପି ଯାତ୍ରା ନବଗ୍ରହକୁ ସମ୍ପୂର୍ଣ୍ଣ କରେ ।