ବିଧାନସଭା ପୂର୍ବରୁ ବିରୋଧୀଙ୍କ ବିଗ୍ ପ୍ଲାନ। ମୋହନ ସରକାରଙ୍କୁ ଘେରିବାକୁ ରଚିଛନ୍ତି ଚକ୍ରବ୍ୟୁହ । କାଠଗଡ଼ାରେ ଛିଡା ହେବେ ରାଜ୍ୟ ସରକାର ! ସାର ସାରି ଦେବ ସବୁ ଖେଳ ! ନାରୀ ନିର୍ଯାତନାର ନିଆଁ, ଜାଳିଦେବ ସବୁ ଅହଂକାର ! ବିଜେଡି, କଂଗ୍ରେସ ସବୁ ଏକଜୁଟ । ଆସିବ ଅନାସ୍ଥା, ଗଡ଼ିବ କି ସରକାର? ମୁକାବିଲା ପାଇଁ କ’ଣ ହେବ ମୋହନ ସରକାରଙ୍କ ଷ୍ଟ୍ରାଟେଜୀ? କେମିତି ବିରୋଧୀ ଓ ବିକ୍ଷୋଭକାରୀଙ୍କୁ ମୁକାବିଲା କରିବେ ରାଜ୍ୟ ସରକାର? ସେପ୍ଟେମ୍ବର ୧୮ରୁ ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ ମୁହାଁମୁହିଁ ହେବାକୁ ଉଭୟ ପକ୍ଷଙ୍କ ଯୋରଦାର ପ୍ରସ୍ତୁତି ।
ନମସ୍କାର, ଓଡ଼ିଶା ଡେଜ୍ରେ ଆଜି ମୁଁ ଆପଣଙ୍କୁ ଦେଖାଇବି ମୌସୁମୀ ଅଧିବେସନ ପୂର୍ବରୁ ବିରୋଧୀଙ୍କ ମାଷ୍ଟର ପ୍ଲାନ । ରାଜ୍ୟ ରାଜନୀତିରେ ଅଣ୍ଟା ସଳଖିବାକୁ କିଭଳି ଷ୍ଟ୍ରାଟେଜୀ କରିଛି ବିଜେଡ଼ି । ସେପଟେ ନିଜକୁ ଦ୍ବିତୀୟ ପ୍ରମୁଖ ଦଳ ଭାବେ ମଜବୁତ କରିବାକୁ, କେମିତି ସୁଯୋଗରୁ ଫାଇଦା ଉଠାଇବାକୁ ପ୍ରସ୍ତୁତି ଚଳାଇଛି କଂଗ୍ରେସ । ଖାସ କଥା ହେଲା, ବିରୋଧୀଙ୍କ ଏ ଉଦ୍ଦେଶ୍ୟକୁ ମୁଦ୍ଦା ଯୋଗାଇ ଦେଇଛନ୍ତି ଖୋଦ ରାଜ୍ୟ ସରକାର । ଗୋଟିଗୋଟି ମୁଦ୍ଦା ଏକାଠି କରି ବିରୋଧୀ ସଜାଇଛନ୍ତି ଚକ୍ରବ୍ୟୁହ, ଏଥର ଫସିବେ ମୋହନ ସରକାର । ଦେଖନ୍ତୁ କିଏ ଏହି ଚକ୍ରବ୍ୟୁହର ୬ ମହାରଥୀ !
ଦର୍ଶକବନ୍ଧୁ ଏ ଦୃଶ୍ୟ ତ ଆପଣମାନେ ଭୁଲି ନ ଥିବେ ନିଶ୍ଚିତ । ହଁ ଠିକ୍ ବୁଝିଲେ, ଏହା ବିଧାନସଭାର ଗତ ଗ୍ରୀଷ୍ମକାଳୀନ ଅଧିବେଶନ ସମୟରେ ବିରୋଧଙ୍କ ବିକ୍ଷୋଭର ଦୃଶ୍ୟ ।
ଏଥର ବି କମ୍ପିବ ବିଧାନସଭା ! ରାଜଧାନୀ ଛାତିରେ ହେବ ରାଜନୀତିର ନଗ୍ନ ନୃତ୍ୟ ! ସଭାଗୃହରୁ ସଡ଼କ, ସବୁଠି ସରକାରଙ୍କୁ ଘେରିବେ ବିଜେଡି ଓ କଂଗ୍ରେସ । ମୋହନ ସରକାର ବିରୋଧରେ ଏମାନେ ରଚିଥିବା ଚକ୍ରବ୍ୟୁହର ୬ ମହାରଥି ବା ଅସ୍ତ୍ର କଣ କଣ ଦେଖିନିଅନ୍ତୁ…
ବିରୋଧୀଙ୍କ ଚକ୍ରବ୍ୟୁହର ପ୍ରଥମ ଅସ୍ତ୍ର: ନାରୀ ନିର୍ଯାତନା
କଲେଜ କ୍ୟାମ୍ପସଠାରୁ ବେଳାଭୂମି, ସବୁଠି ନାରୀ ନିର୍ଯାତନାର କଳାକାହାଣୀ । ଏଫଏମ କଲେଜରୁ ବଲାଙ୍ଗୀର କଲେଜ, ସବୁଠି ଆତ୍ମାହୁତିର ଆର୍ତ୍ତଚିତ୍କାର । ତା’ ସାଙ୍ଗକୁ ବଳଙ୍ଗା ନାବାଳିକା ପୋଡିର ଯନ୍ତ୍ରଣା । ଗୋଟି ଗୋଟି ଜବାବ ମାଗିବାକୁ ବିରୋଧୀ ଶିବିରରେ ଚାଲିଛି ତଗଡା ପ୍ରସ୍ତୁତି । ରସିକିଆ ଶିକ୍ଷକ ଓ ଅଧ୍ୟାପକଙ୍କ କେଳେଙ୍କାରୀ ଛାତ୍ରୀ ଜୀବନକୁ ଅସୁରକ୍ଷିତ କରିଦେଇଛି । ଗର୍ଭବତୀ ହୋଇଛନ୍ତି ଅନେକ ସ୍କୁଲ ଛାତ୍ରୀ । ଏମିତିରେ ଛାତ୍ର ନିର୍ବାଚନର ଘୋଷଣା କରି କଲେଜ କ୍ୟାମ୍ପସକୁ ଛାତ୍ର ରାଜନୀତି ଫେରାଇ ଆଣିବାର ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଏମିତିରେ ସୁରକ୍ଷିତ ରହିବତ ଶିକ୍ଷାମନ୍ଦିରର ଶାନ୍ତି ଓ ପବିତ୍ରତା?
ବିରୋଧୀଙ୍କ ଚକ୍ରବ୍ୟୁହର ଦ୍ବିତୀୟ ଅସ୍ତ୍ର: ଅରାଜକତା
ବିଏମସି ଅଫିସରଙ୍କ ମାଡ଼ ଘଟଣା ଅରାଜକତା ଅଲିଭା ଦାଗ ଛାଡିଯାଇଛି । ଏହା ପ୍ରତିବାଦରେ ଅମଲା ଅଧିକାରୀଙ୍କର ମାସାଧିକ କାଳ ଆନ୍ଦୋଳନକୁ ଉଠାଇବେ ବିରୋଧୀ ।
ବିରୋଧୀଙ୍କ ଚକ୍ରବ୍ୟୁହର ତୃତୀୟ ଅସ୍ତ୍ର: ଦୁର୍ନୀତି
OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଓଟିଇଟି ଅଧିକାରୀ ଗିରଫ ସରକାରରେ ଦୁର୍ନୀତିର ନିଚ୍ଛକ ପ୍ରମାଣ ।
ବିରୋଧୀଙ୍କ ଚକ୍ରବ୍ୟୁହର ଚତୁର୍ଥ ଅସ୍ତ୍ର: ଅପାରଗତା
କାହାରି ମନରୁ ଲିଭିନି ରଥଯାତ୍ରା ଅଘଟଣ । କିଏ ଖାଇଗଲା କାଳିଆ ସାଆନ୍ତଙ୍କ ମୋଦକ? କେମିତି ମେଘନାଦ ପାଚାରୀ ଲଙ୍ଘିଲେ ଅଜ୍ଞାତ ଯୁବକ? କେମିତି ହଜାର ହଜାର ପାଦ ତଳେ ଚାପି ହୋଇ ଚାଲିଗଲା ୩ ତିନିର ଜୀବନ? ଜଗନ୍ନାଥଙ୍କୁ ନେଇ ସରକାର ଅବହେଳା ଏବଂ ଖାମଖିଆଲି ମନୋଭାବ ଦେଖାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ଏଥର ରାଜ୍ୟରେ ୫ ଥର ବନ୍ୟା ଆସିଥିବା ବେଳେ ଏଯାବତ ଶୁଖିନାହିଁ ବନ୍ୟା ବିପନ୍ନଙ୍କ ଆଖିର ଲୁହ । ବନ୍ୟା ସ୍ଥିତି ମୁକାବିଲାରେ ଆନ୍ତରିକତାର ଅଭାବ ଥିବା ଅଭିଯୋଗ ଉଠାଇଛନ୍ତି ବିରୋଧୀ ।
ବିରୋଧୀଙ୍କ ଚକ୍ରବ୍ୟୁହର ପଞ୍ଚମ ଅସ୍ତ୍ର: ମନମାନୀ ଓ ମିଥ୍ୟା ପ୍ରତିଶ୍ରୁତି
ସାରର ଅଭାବ ଓ କଳାବଜାରୀକୁ ନେଇ ଅନ୍ନଦାତାଙ୍କ ଅସନ୍ତୋଷ ତେଜିଥିବା ବେଳେ ବିଜେଡି ଓ କଂଗ୍ରେସ ଏଥିରେ ରାଜନୈତିକ ରୁଟି ସେକିବା ଆରମ୍ଭ କରିଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ସାର ଥିବା ସରକାର କହୁଥିବା ବେଳେ ସବୁ ଚାଷୀଙ୍କ ନିକଟରେ ତାହା ପହଞ୍ଚୁ ନାହିଁ । ସେହିଭଳି ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ବିଏସକେଓ୍ବାଇ ଭଳି ସ୍ବାସ୍ଥ୍ୟ ସୁବିଧା ନ ମିଳିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଛି। ସେପଟେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବାର ଏକବର୍ଷରୁ ଅଧିକ ସମୟ ବିତିଯାଇଥିବା ବେଳେ ମହାନଦୀ ଜଳ ବିବାଦ ଓ ପୋଲାଭରମ ପ୍ରକଳ୍ପକୁ ଖାସ ମୁଦ୍ଦା କରିବେ ବିରୋଧୀ ।
ବିରୋଧୀଙ୍କ ଚକ୍ରବ୍ୟୁହର ଷଷ୍ଠ ଅସ୍ତ୍ର: ଅନାସ୍ଥା
ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଥିବା ବିରୋଧୀ ଦଳ ମୋହନ ସରକାରଙ୍କ ବିରୋଧରେ ଆଣିପାରନ୍ତି ଅନାସ୍ଥା ପ୍ରସ୍ତାବ । ଏମିତିରେ ଏ ଚକ୍ରବ୍ୟୂହରୁ କେମିତି ବର୍ତ୍ତିବେ ମୋହନ ସରକାର? ତାହା ଉପରେ ଏବେ ସମସ୍ତଙ୍କ ଆଖି ।
ଆସନ୍ତାକାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ ବିଧାନସଭା ପରିସରରେ ୩୦ ପ୍ଲାଟୁନ୍ ପୋଲିସ ମୁତୟନ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି ୫ଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍, ଦାୟିତ୍ଵରେ ୧୫୦ ଅଧିକାରୀ । ସର୍ବଦଳୀୟ ବୈଠକ କରି ସମସ୍ତ ପ୍ରଶ୍ନର ଉତ୍ତର ରଖିବାକୁ କହିଛନ୍ତି ସରକାର ।