ଜନ୍ମଗତ ନାଗରିକ ଅଧିକାର ଆଇନ ଇଚ୍ଛେଦର ପ୍ରଭାବ
ଓ୍ବାଶିଂଟନ: ଜନ୍ମଗତ ଅଧିକାର ଆଧାରରେ ନାଗରିକତା ପ୍ରଦାନ ବ୍ୟବସ୍ଥାକୁ ଉଚ୍ଛେଦ ନେଇ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶ ଦେଶରେ ଏକ ଅପ୍ରତ୍ୟାସିତ ପରିସ୍ଥିତି ସୃଷ୍ଟି କରିଛି। ଆମେରିକୀୟ ହସ୍ପିଟାଲଗୁଡିକରେ ବଢିବାରେ ଲାଗିଛି ଗର୍ଭବତୀଙ୍କ ଭିଡ଼। ଗର୍ଭ ଅବଧି ପୂରଣ ପୂର୍ବରୁ ଶିଶୁଙ୍କୁ ଜନ୍ମ ଦେବା ଲାଗି ୭ରୁ ୮ ମାସର ଗର୍ଭବତୀମାନେ ବହୁ ସଂଖ୍ୟାରେ ବିଭିନ୍ନ ଡାକ୍ତରଖାନାରେ ପହଞ୍ଚୁଛନ୍ତି। ଜନ୍ମଗତ ଅଧିକାର ଆଧାରରେ ନାଗରିକତା ପ୍ରଦାନ ବ୍ୟବସ୍ଥାକୁ ଉଚ୍ଛେଦ ନେଇ ଟ୍ରମ୍ପଙ୍କ ଆଦେଶ ଲାଗୁ କରିବା ଲାଗି ୩୦ ଦିନର ସମୟ ରହିଛି। ଫେବୃଆରୀ ୨୦ରେ ଏ ସମ୍ବନ୍ଧୀୟ ରାଷ୍ଟ୍ରପତ୍ତୀୟ ଆଦେଶ ଲାଗୁ ହେବା ପରେ ପରେ ବେଆଇନ ପ୍ରବାସୀ ଭିସାରେ ରହୁଥିବା ଲୋକମାନଙ୍କର ଆମେରିକାରେ ଜନ୍ମିତ ପିଲାମାନଙ୍କୁ ଆଉ ଆମେରିକାର ନାଗରିକତ୍ବ ମିଳିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ବେଆଇନ ଭିସାରେ ରହୁଥିବା ଅନେକ ପ୍ରବାସୀ ଗର୍ଭବତୀ ତରବରିଆ ଭାବେ ଏହି ସମୟସୀମା ଭିତରେ ଅସ୍ତ୍ରୋପଚାର ଦ୍ବାରା ସନ୍ତାନ ଜନ୍ମ ଦେବାକୁ ବିଚାର କରିଛନ୍ତି। ଯାହାଦ୍ବାରା ଫେବୃଆରୀ ୨୦ ପୂର୍ବରୁ ଜନ୍ମିତ ଶିଶୁଙ୍କୁ ଆମେରିକାର ନାଗରିକତ୍ବ ମିଳିପାରିବ। ଏଥିସହ ତାଙ୍କ ସ୍ବାମୀଙ୍କୁ ଦେଶରେ ରହିବା ଲାଗି ଆଇନଗତ କାରଣ ମଧ୍ୟ ମିଳିବ। ତେବେ ହସ୍ପିଟାଲଗୁଡିକର ଜରୁରୀ ନମ୍ବରକୁ କଲ୍ କରୁଥିବା ଅଥବା ହସ୍ପିଟାଲରେ ଲାଇନ୍ ଲଗାଇଥିବା ଅଧିକାଂଶ ଗର୍ଭବତୀ ଭାରତୀୟ ବୋଲି ଜଣାପଡିଛି। ଏମାନେ ପାଖାପାଖି ୮ରୁ ୯ ମାସର ଗର୍ଭବତୀ ବୋଲି ସୂଚନା ମିଳିଛି। ମାତ୍ର ସମୟ ପୂର୍ବରୁ ପ୍ରସବ ଉଭୟ ମା’ ଓ ଶିଶୁଙ୍କ ପାଇଁ ବିପଜ୍ଜନକ ବୋଲି ଡାକ୍ତରମାନେ କହିଛନ୍ତି। ଉଲ୍ଲେଖ ଯେ ଟ୍ରମ୍ପ ଗତ ୨୦ ତାରିଖରେ ଅାମେରିକା ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଟ୍ରମ୍ପ ଏହି ବ୍ୟବସ୍ଥା ଉଚ୍ଛେଦ କରିଥିଲେ।