ଡେରାଡୁନ୍: କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ରିପୋର୍ଟ ବନୀକରଣ ପାଇଁ ଉତ୍ତରାଖଣ୍ଡକୁ ମିଳିଥିବା କାମ୍ପା ଅନୁଦାନ ରାଶି ବିନିଯୋଗରେ ବଡ଼ଧରଣର ଦୁର୍ନୀତି ଉପରୁ ପରଦା ଉଠାଇଛି । ଏହି ରିପୋର୍ଟ ଅନୁସାରେ, ବନୀକରଣ ନିମନ୍ତେ ୨୦୧୯ରୁ ୨୦୨୨ ମଧ୍ୟରେ ୧୩.୯ କୋଟି ଟଙ୍କାର ଅନୁଦାନ ରାଶି ଉତ୍ତରାଖଣ୍ଡକୁ ମିଳିଥିଲା। ମାତ୍ର ରାଜ୍ୟର ବନ ଡିଭିଜନଗୁଡିକ ଏହି ଅନୁଦାନ ରାଶିକୁ ବନୀକରଣ ପରିବର୍ତ୍ତେ ଆଇଫୋନ, ଲାପଟପ୍, ଫ୍ରିଜ୍, କୁଲର ଏବଂ ଷ୍ଟେସନାରୀ ସାମଗ୍ରୀ କ୍ରୟ ନିମନ୍ତେ ବ୍ୟୟ କରିଛନ୍ତି। ଏମିତିକି ଏହି ଅର୍ଥକୁ ରାଜ୍ୟର ହାରେଲା ଯୋଜନା, ବ୍ୟାଘ୍ର ସଫାରୀ କାର୍ଯ୍ୟ, ଅଟ୍ଟାଳିକାଗୁଡିକର ପୁନରୁଦ୍ଧାର, ସରକାରୀ ଗସ୍ତ ବାବଦ ଖର୍ଚ୍ଚ ଏବଂ କୋର୍ଟ ମାମଲା ସହିତ ବିଭିନ୍ନ ଦାମୀ ଗେଜେଟ୍ ଏବଂ ସାମଗ୍ରୀ କ୍ରୟ ନିମନ୍ତେ ବ୍ୟବହାର କରାଯାଇଛି।
ଏହି ରିପୋର୍ଟରେ ପ୍ରକାଶିତ ଅନ୍ୟ ଏକ ସାଙ୍ଘାତିକ ତଥ୍ୟ ଅନୁସାରେ, ୫୨ଟି ମାମଲାରେ ୧୮୮.୬ ହେକ୍ଟର ଜଙ୍ଗଲ ଜମିକୁ ୟୁଜର ଏଜେନ୍ସିଗୁଡିକ ଅଣଜଙ୍ଗଲ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିଛନ୍ତି। ଏମିତିକି ଅନୁମତି ନିଆ ନଯାଇ ଜଙ୍ଗଲ ଜମିରେ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହା ଅପରାଧ ପରିସରଭୁକ୍ତ ହୋଇଥିବା ବେଳେ ଏ ସମ୍ବନ୍ଧରେ ବନ ଡିଭିଜନଗୁଡିକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି କି କୌଣସି ମାମଲା ରୁଜୁ କରିନାହାନ୍ତି।
ସାଧାରଣତଃ ଜଙ୍ଗଲ ଜମିକୁ ଶିଳ୍ପ କିମ୍ବା ଅନ୍ୟ କୌଣସି ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର କଲେ ତାହାର ଭରଣା ସ୍ବରୂପ ନୂତନ ଜଙ୍ଗଲ ସୃଷ୍ଟି ସକାଶେ କାମ୍ପା ପକ୍ଷରୁ ଅନୁଦାନ ରାଶି ପ୍ରଦାନ କରାଯାଇଥାଏ। ତେବେ ଏହି ରାଶି ମିଳିବା ସତ୍ତ୍ବେ ବନୀକରଣ କାର୍ଯ୍ୟରେ ବ୍ୟାପକ ବିଳମ୍ବ କରାଯାଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ପାଖାପାଖି ୩୭ଟି ମାମଲାରେ ଭରଣାମୂଳକ ଜଙ୍ଗଲ ସୃଷ୍ଟି କାର୍ଯ୍ୟରେ ଦୀର୍ଘ ୮ ବର୍ଷର ବିଳମ୍ବ କରାଯାଇଛି। ଏହାଦ୍ବାରା ୧୧.୫ କୋଟି ଟଙ୍କାର କ୍ଷତି ହୋଇଛି। ଯାହାକି କାମ୍ପା ନିୟମ ଅନୁସାରେ ବର୍ଷେ କିମ୍ବା ୨ ବର୍ଷ ମଧ୍ୟରେ କରାଯିବା ଉଚିତ। ସେପଟେ ଯେଉଁ କେତେକ ସ୍ଥାନରେ ବନୀକରଣ କରାଯାଇଛି ସେଠାରେ ବଞ୍ଚି ରହିଥିବା ବୃକ୍ଷ ପରିମାଣ ୩୩.୫% ଦର୍ଶାଯାଇଛି, ଯାହାକି ଜଙ୍ଗଲ ଗବେଷଣା ପ୍ରତିଷ୍ଠାନ ଦ୍ବାରା ଧାର୍ଯ୍ୟ ମାନଦଣ୍ଡ ୬୦-୬୫% ଠାରୁ ଖୁବ୍ କମ୍।