ଛତିଶଗଡର ସୁକମା ଏବଂ ବିଜାପୁରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। କୋଣ୍ଟା-କିସ୍ତାରାମ ଅଞ୍ଚଳରେ ଥିବା ଜଙ୍ଗଲ ଭିତରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ୧୨ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀ ଦୁଇ ନକ୍ସଲଙ୍କୁ ଏନକାଉଣ୍ଟର କରିଛି।
ଏନକାଉଣ୍ଟ ପରେ ଘଟଣାସ୍ଥଳରୁ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ AK-47, INSAS ଏବଂ SLR ରାଇଫଲ ରହିଛି । ଏଥିସହ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।ସୂଚନା ମୁତାବକ, ବିଜାପୁର ଏବଂ ସୁକମା ଜିଲ୍ଲାର ଦକ୍ଷିଣ ଅଞ୍ଚଳରେ ସଶସ୍ତ୍ର ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୁରକ୍ଷାବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ସୂଚନା ପାଇବା ପରେ ସୁରକ୍ଷା ବାହିନୀ ତୁରନ୍ତ ଅପରେସନ ଆରମ୍ଭ କରିଥିଲେ। ଦକ୍ଷିଣ ବସ୍ତର ଅଞ୍ଚଳରେ ସ୍ୱତନ୍ତ୍ର DRG ଟିମ୍ ମୁତୟନ କରାଯାଇଥିଲା। ଅପରେସନ୍ ସମୟରେ, ବିଜାପୁର ଜିଲ୍ଲାରେ ପ୍ରାୟ ସକାଳ ୫ଟାରୁ ଡିଆରଜି ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା।ଏନକାଉଣ୍ଟର ମଧ୍ୟରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଏନକାଉଣ୍ଟର ସ୍ଥାନରୁ ମୋଟ ୧୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାବାହିନୀ । ସେମଧ୍ୟରେ ବିଜାପୁରର ଦୁଇଜଣ ଏବଂ ସୁକମାର ୧୨ ଜଣ ମାଓବାଦୀ ଅନ୍ତର୍ଭୁକ୍ତ। ସୁକମା ଏନକାଉଣ୍ଟରରେ ନିହତ ନକ୍ସଲଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏହି କାର୍ଯ୍ୟାନୁଷ୍ଠାନକୁ ନକ୍ସଲ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ବିବେଚନା କରାଯାଉଛି। ସୂତ୍ରରୁ ଜଣାପଡିଛି ଯେ, ନିହତ ନକ୍ସଲଙ୍କ ମଧ୍ୟରେ ଅତିରିକ୍ତ ପୋଲିସ ଅଧିକ୍ଷକ (ଏଏସ୍ପି) ଆକାଶ ରାଓଙ୍କ ହତ୍ୟାରେ ସାମିଲ ଥିବା ମାଓବାଦୀ ଅନ୍ତର୍ଭୁକ୍ତ ରହିଛନ୍ତି।
ସୁକମା ପୋଲିସ ଅଧିକ୍ଷକ (ଏସ୍ପି) କିରଣ ଚଭନ ବ୍ୟକ୍ତିଗତ ଭାବରେ ସମଗ୍ର ଅପରେସନର ନେତୃତ୍ୱ ନେଇଥିଲେ। ସୂତ୍ର ଅନୁସାରେ ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ମାଙ୍ଗ ମଧ୍ୟ ନିହତ ହୋଇଛି ତେବେ ଏ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିନାହିଁ । ନିହତ ନକ୍ସଲଙ୍କ ମଧ୍ୟରେ କୋଣ୍ଟା ଏରିଆ କମିଟିର ଏସିଏମ୍ ହିତେଶ ରହିଥିବା କୁହାଯାଉଛି।