ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଛି। ନିମ୍ନରେ ସେହି ବିବରଣୀର ସାରମର୍ମ ଉଲ୍ଲେଖ କରାଯାଇଛି – ବୈଶାଖ ଶୁକ୍ଳ ତୃତୀୟା ରୋହିଣୀ ନକ୍ଷତ୍ର ଦିନ ରାଜା ସଂକଳ୍ପ କରିବେ। ଆଚାର୍ଯ୍ୟ ବରଣ କରିବେ । କାର୍ଯ୍ୟଦକ୍ଷ ଅବିଦିତ ଜଣେ ବା ତିନିଜଣ ସୂତ୍ରଧରଙ୍କୁ ବନକୁ ଯିବାପାଇଁ ବସନ, ଭୂଷଣ ଦେଇ ବରଣ କରିବେ। ଯେଉଁ ବନରେ ଅତ୍ୟୁତ୍ତମ ତରୁ ବିଦ୍ୟାମାନ ସେଠାକୁ ଯାଇ ରାଜା ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସ୍ଥାପନ କରିବେ। ଆଜ୍ୟଧାରଯୁକ୍ତ ଅଷ୍ଟୋତ୍ତର ଶତ ଆହୁତି ଦେବେ। ପ୍ରତି ବୃକ୍ଷ ମୂଳରେ ଆଜ୍ୟଧାରା ଦେବେ। ଦିଗପାଳମାନଙ୍କୁ ଯଥାବିଧି ବଳି ଦେବେ। କ୍ଷେତ୍ରପାଳମାନଙ୍କୁ ପଶୁବଳି ଦେବେ। ବୃକ୍ଷର ପ୍ରୀତି ପାଇଁ ଶ୍ହେ ଦୁଗ୍ଧାନ୍ନ ଆହୁତି ଦେବେ । ଆଚାର୍ଯ୍ୟ ପତଗଧ୍ୱଜ ଭଗବାନଙ୍କୁ ଧ୍ୟାନକରି କୁଠାରଧରି ମନ୍ତ୍ର ଉଚ୍ଚାରଣ କରି ବୃକ୍ଷର ମୂଳକୁ ଅଳ୍ପ ଅଳ୍ପ କରି କାଟିବେ। ସେଠାରେ ମଙ୍ଗଳଧ୍ୱନି କରାଇବେ । ସୂତ୍ରଧରଙ୍କୁ ଗଛକାଟି କାର୍ଯ୍ୟରେ ନିଯୁକ୍ତ କରି ଆଚାର୍ଯ୍ୟ ସ୍ୱଗୃହକୁ ଫେରିବେ । ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ୱଗୃହ ନିକଟରେ ମିଳିବ ତାହା ହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ ।

ସ୍କନ୍ଧ ପୁରାଣ ଅନୁସାରେ – ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ । ଗରୁଡଧ୍ୱଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ। ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨(ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ। ଏହି ରଥଯାତ୍ରାକୁ ନବଦିନାତ୍ମକ ଯାତ୍ରା କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ରା।
ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ। ଶୁକ୍ଳ ଦ୍ୱିତୀୟା ଦିନ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନକରି ନୃସିଂହଙ୍କଠାରେ ସଂକଳ୍ପ ବ୍ରତ ଆରମ୍ଭ କଲେ ମହାପୂଣ୍ୟ ହୋଇଥାଏ। ଏହାକୁ ମହାବେଦୀ ମହୋତ୍ସବ ବ୍ରତ କୁହାଯାଏ। ଅଷ୍ଟମ ଦିବସରେ ବ୍ରତ ଶେଷ ହୁଏ। ମହାବେଦୀରେ ଶ୍ରୀଜଗନ୍ନାଥଙ୍କ ଅବସ୍ଥିତିକୁ ମହାବେଦୀ ଯୋଗ କୁହାଯାଏ । ଏହା ଅତି ପବିତ୍ର ସମୟ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି, ମଘା ନକ୍ଷତ୍ର, ଜଗନ୍ନାଥଙ୍କ ମହା ସମାଗମ ଏ ତିନି ମହାବେଦୀ ଯୋଗର ତ୍ରିପାଦ ସ୍ୱରୂପ। ଏହା ସହିତ ଇନ୍ଦ୍ରଦ୍ୟୁମ୍ନ ସରୋବର ମିଳିତ ହେଲେ ଚତୁସ୍ପାଦ ଯୋଗ ହୁଏ। ଏହା ପୂର୍ଣ୍ଣଯୋଗ ଏବଂ ପିତୃମାନଙ୍କର ମୁକ୍ତିପଦ।