କାରଓ୍ବାର : ମାସିକ ମାତ୍ର ୫ ହଜାର ଟଙ୍କା ପାଇଁ ଦେଶଦ୍ରୋହ। ପାକିସ୍ତାନକୁ ନୌସେନା ଘାଟି ଓ ଯୁଦ୍ଧଜାହାଜ ସମ୍ବନ୍ଧୀୟ ତଥ୍ୟ ଲିକ୍ ଭଳି ଜଘନ୍ୟ ହନିଟ୍ରାପ୍ ମାମଲାର ପର୍ଦ୍ଦାଫାଶ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ପାକିସ୍ତାନକୁ କାରଓ୍ବାର ନୌସେନା ଘାଟି ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ଲିକ୍ ଅଭିଯୋଗରେ ଏନଆଇଏ ମଙ୍ଗଳବାର ହାଇଦରାବାଦରୁ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲା ଅନ୍ତର୍ଗତ ମୁଡୁଗା ଗ୍ରାମର ବେତାନା ତାଣ୍ଡେଲ ଏବଂ ହାଲାବଲ୍ଲିର ଅକ୍ଷୟ ନାଏକ। ପାକିସ୍ତାନ ଗୁଇନ୍ଦା ଆଇଏସଆଇର କୌଣସି ଏଜେଣ୍ଟ ଏମାନଙ୍କୁ ମଧୁଫାଶରେ ଫଶାଇ ତଥ୍ୟ ଲିକ୍ କରାଇନେଇଥିବା ଆଶଙ୍କା କରାଯାଉଛି। ଅଭିଯୁକ୍ତ ଦ୍ବୟ ୨୦୨୩ରେ ଫେସବୁକ୍ ଜରିଆରେ ପାକିସ୍ତାନୀ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ବନ୍ଧୁତ୍ବ ନୀବିଡ଼ ହେବା ପରେ ଏମାନେ ମାସିକ ୫୦୦୦ ହଜାର ଟଙ୍କା ପରିବର୍ତ୍ତେ କାରଓ୍ବାର ନୌସେନା ଘାଟିର ଫଟୋ ସମ୍ପୃକ୍ତ ଯୁବତୀଙ୍କୁ ପ୍ରଦାନ କରିଥିଲେ। ମାତ୍ର ୮ ମାସ ପାଇଁ ସେମାନଙ୍କୁ ଏହି ଅର୍ଥ ମିଳିଥିବା ଜଣାପଡିଛି। ଖାଲି ଏତିକି ନୁହେଁ, ନୌସେନା ଘାଟିରେ ବିଭିନ୍ନ ଗତିବିଧି, ଯୁଦ୍ଧଜାହାଜର ସବିଶେଷ ତଥ୍ୟ, ଯାତାୟତର ସମୟ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ସେମାନେ ଲିକ୍ କରିଥିବା ଜଣାପଡିଛି। ଉଲ୍ଲେଖ ଯେ, ଏନଆଇଏ ୨୦୨୪ରେ ତାଣ୍ଡେଲ ଓ ନାଏକଙ୍କ ସମେତ ତୋଦୁରର ଅନ୍ୟ ଜଣେ ବ୍ୟକ୍ତି ସୁନୀଲକୁ ତଥ୍ୟ ଲିକ୍ ଘଟଣାରେ ଜେରା କରିଥିଲା। ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲେ ମଧ୍ୟ ପୋଲିସ ସେମାନଙ୍କ ଉପରେ କଡ଼ା ନଜର ରଖିଥିଲା।