ଭୁବନେଶ୍ବର: ବିଶ୍ବର ସର୍ବବୃହତ୍ ମାଟି ବନ୍ଧ ହୀରାକୁଦ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନ ସମେତ ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ‘ହୀରାକୁଦ ଜଳଭଣ୍ଡାର ଅଞ୍ଚଳର ସମନ୍ବିତ ବିକାଶ’ ଶୀର୍ଷକ ଏକ ବିଶେଷ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ଦୀର୍ଘସ୍ଥାୟୀ ପର୍ଯ୍ୟଟନ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗପୂର୍ଣ୍ଣ ନବସୃଜନ ସମ୍ବନ୍ଧରେ ଚର୍ଚ୍ଚା ହୋଇଥିଲା। ଇକୋ ରିଟ୍ରିଟ୍ ହୀରାକୁଦ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପର୍ଯ୍ୟଟନ ମନ୍ତ୍ରୀ ଭି. ବିଦ୍ୟାବତୀ, ଉନ୍ନୟନ କମିସନର ତଥା ରାଜ୍ୟ ଅତିରିକ୍ତ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ସୁମନ ବିଲ୍ଲା, ଗୁଜରାଟର ଅତିରିକ୍ତ ଶାସନ ସଚିବ ତଥା ଷ୍ଟାକଚ୍ୟୁ ଅଫ ୟୁନିଟ ଏରିଆ ଉନ୍ନୟନ ଓ ପର୍ଯ୍ୟଟନ ପ୍ରଶାସନ ପ୍ରାଧିକରଣର ଅଧ୍ୟକ୍ଷ ମୁକେଶ ପୁରୀ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବହୁ ଶିଳ୍ପ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇ ହୀରାକୁଦ ଜଳଭଣ୍ଡାର ଅଞ୍ଚଳକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବା ନେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।