ଜେପିସି ବୈଠକରେ ହଙ୍ଗାମା
ନୂଆଦିଲ୍ଲୀ : ଓ୍ବାକଫ୍ ସଂଶୋଧିତ ବିଲ୍ ୨୦୨୪ ସମ୍ବନ୍ଧୀୟ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ବୈଠକରୁ ଶୁକ୍ରବାର ୧୦ ଜଣ ସାଂସଦଙ୍କୁ ଦିନକ ପାଇଁ ନିଲମ୍ବିତ କରାଯାଇଛି। ଶୁକ୍ରବାର ଏହି ବିଲ୍ ଉପରେ ଆଲୋଚନା ଲାଗି ଜେପିସି ବୈଠକ ବସିଥିଲା। ମାତ୍ର ବୈଠକରେ ବିପକ୍ଷ ସାଂସଦମାନେ ହଙ୍ଗାମା କରିବାକରୁ ଅଧ୍ୟକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ଟିଏମସିର କଲ୍ୟାଣ ବାନାର୍ଜୀ ଓନଦ୍ଦୀମ ଉଲ ହକ୍, ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ, କଂଗ୍ରେସର ମହମ୍ମଦ ଜାଓ୍ବେଦ, ନାସିର ହୁସେନ ଓ ଇମ୍ରାନ ମାସୁଦ, ଡିଏମକେର ଏ. ରାଜା, ଏସପିର ମୋହିବୁଲ୍ଲା, ଡିଏମକେର ଏମ. ଅବଦୁଲ୍ଲା ଏବଂ ଶିବସେନା (ୟୁବିଟି)ର ଅରବିନ୍ଦ ସାଓ୍ବନ୍ତ।
ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କଲ୍ୟାଣ ବାନାର୍ଜୀ କହିଛନ୍ତି ବୈଠକରେ ଯେମିତି ଏକ ଅଘୋଷିତ ଜରୁରୀ ପରିସ୍ଥିତି ଚାଲିଛି। ଅଧ୍ୟକ୍ଷ ମଧ୍ୟ କାହାରି କଥାକୁ କର୍ଣ୍ଣପାତ ନ କରି ଏଭଳି ସ୍ଥିତିରେ ବୈଠକର କାର୍ଯ୍ୟ ଆଗେଇ ନେଉଛନ୍ତି। ସେପଟେ ବିଜେପି ଏମପି ନିଶିକାନ୍ତ ଦୁବେ ଏ ସମ୍ବନ୍ଧରେ କହିଛନ୍ତି ଯେ ବିପକ୍ଷ ଭାବୁଛି ଜାମ୍ମୁ କାଶ୍ମୀର ପ୍ରତିନିଧିଙ୍କ କଥା ସମ୍ପୂର୍ଣ୍ଣ ନ ଶୁଣି ମିରଓ୍ବାଇଜ ଉମର ଫାରୁକଙ୍କୁ ଡକାଯାଇଛି। ବାସ୍ତବରେ ବିଲ୍ର ପ୍ରତ୍ୟେକ ଧାରା ଉପରେ ଫାରୁକଙ୍କ ପକ୍ଷ ଶୁଣିବା ଲାଗି ଅଧ୍ୟକ୍ଷ ବୈଠକକୁ ସ୍ଥଗିତ ରଖିଛନ୍ତି। ମାତ୍ର ବିପକ୍ଷ କିଛି ନ ବୁଝି ଅଯଥା ହଟ୍ଟଗୋଳ ସୃଷ୍ଟି କରୁଛି। ଯାହାକି ସଂସଦୀୟ ଗଣତନ୍ତ୍ରର ଉଲ୍ଲଙ୍ଘନ। ତେବେ ଆଗାମୀ ୨୭ କିମ୍ବା ୨୮ ତାରିଖରେ ପୁନଃ କମିଟି ବୈଠକ ବସିବ ବୋଲି ସେ ସୂଚନା ଦେଇଛନ୍ତି। ସେପଟେ କଲ୍ୟାଣ ବାନାର୍ଜୀ ତାଙ୍କୁ ଗାଳିଗୁଲଜ କରିଥିବା ବିଜେପି ନେତା ଜଗଦମ୍ବିକା ପାଲ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିପକ୍ଷ ନେତାମାନ ଲୋକସଭା ବାଚସ୍ପତିଙ୍କୁ କମିଟିର ଏଭଳି କଠୋର ପଦକ୍ଷେପ ସମ୍ବନ୍ଧରେ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।