ଭୁବନେଶ୍ବର (ବ୍ୟୁରୋ): ଆଦିବାସୀ ବହୁଳ ଅଞ୍ଚଳଗୁଡିକର ସମନ୍ବିତ ବିକାଶ ଲକ୍ଷ୍ୟ ନେଇ ବିଗତ ୫ ବର୍ଷ ମଧ୍ୟରେ ୧୪୬ଟି ଉନ୍ନୟନମୂଳକ ପ୍ରକଳ୍ପ ନିମନ୍ତେ ପାଖାପାଖି ୧୧.୭୯୮.୬୧୭ ହେକ୍ଟର ଜଙ୍ଗଲ ଜମିର କିଷମ ପରିବର୍ତ୍ତନ କରାଯାଇଛି। ବନ (ସଂରକ୍ଷକ ଏବଂ ସମ୍ବର୍ଦ୍ଧନ) ଅଧିନିୟମ ୧୯୮୦ ଅଧୀନରେ ଏହି ଜମିଗୁଡିକର କିଷମ ପରିବର୍ତ୍ତନ ହୋଇଛି। ଆଜି ବିଧାନସଭାରେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହା ପ୍ରକାଶ କରିଛନ୍ତି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡିକୁ ଦ୍ବିତୀୟ ପର୍ଯ୍ୟାୟ କ୍ଲିଅରାନ୍ସ ମିଳିସାରିଛି। ପୁନଶ୍ଚ ଏହି ଅଧିନିୟମ ଅଧୀନରେ ୯୦ଟି ପ୍ରକଳ୍ପକୁ ପ୍ରଥମ ପର୍ଯ୍ୟାୟ କ୍ଲିଅରାନ୍ସ ମିଳିସାରିଥିବା ବେଳେ ଏଗୁଡିକ ଦ୍ବିତୀୟ ପର୍ଯ୍ୟାୟ କ୍ଲିଅରାନ୍ସ ଅପେକ୍ଷାରେ ରହିଛି। ଏଥିସହ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ମାର୍ଗଦର୍ଶିକା ଅନୁସାରେ ଏହି ପ୍ରକଳ୍ପଗୁଡିକ ଏଫଆରଏ ପ୍ରମାଣପତ୍ର ଅପେକ୍ଷାରେ ମଧ୍ୟ ରହିଥିବା ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଛନ୍ତି।