କଂଗ୍ରେସ ଅଧିବେଶନରେ ଗର୍ଜିଲେ ଟ୍ରମ୍ପ
ମଉଳିଲା ରିଆତି ଆଶା
ନୂଆଦିଲ୍ଲୀ: ଭାରତକୁ ଏପଟେ ବନ୍ଧୁ କହି ସେପଟେ କଠୋରତା ଦେଖାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବେଆଇନ ଭାରତୀୟ ଦେଶାଟନକାରୀଙ୍କୁ ନିର୍ବାସିତ କରିବା ପରେ ଏବେ ଭାରତ ଉପରେ ନିଜର ଦ୍ବିତୀୟ ନିଷ୍ପତ୍ତି ଲାଗୁ କରିବାକୁ ଯାଉଛି ଟ୍ରମ୍ପ ପ୍ରଶାସନ। ଟ୍ରମ୍ପଙ୍କ ନିଷ୍ପତ୍ତି ଅନୁସାରେ, ଆସନ୍ତା ଏପ୍ରିଲ ୨ ତାରିଖରୁ ଭାରତ ବିରୋଧରେ ପାଲଟା ତାରିଫ ଲାଗୁ ହେବ। ଏ ନେଇ ନିଜର ଦ୍ବିତୀୟ ପାଳିର ପ୍ରଥମ ଯୁଗ୍ମ କଂଗ୍ରେସର ଅଧିବେଶନରେ ଟ୍ରମ୍ପ ନିଜେ ଘୋଷଣା କରିଛନ୍ତି। ଭାରତ ସମେତ ଚୀନ, ବ୍ରାଜିଲ ଏବଂ ଅନ୍ୟାନ୍ୟ ଦେଶଗୁଡିକ ଦ୍ବାରା ଆମେରିକା ଉପରେ ଲାଗୁ କରାଯାଇଥିବା ତାରିଫକୁ ‘ଅଯୌକ୍ତିକ’ ଦର୍ଶାଇ ଟ୍ରମ୍ପ ତୀବ୍ର ସମାଲୋଚନା କରିଛନ୍ତି। ଏହାର ପ୍ରତିବଦଳରେ ଏପ୍ରିଲ ୨ରୁ ପାଲଟା ତାରିଫ ଲାଗୁ କରାଯିବ ବୋଲି ସେ ଘୋଷଣା କରିଛନ୍ତି।
ମଙ୍ଗଳବାର ବସିଥିବା ଏହି ଅଧିବେଶନକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, ଅନ୍ୟ ରାଷ୍ଟ୍ରଗୁଡିକ ଆମେରିକା ବିରୋଧରେ ଦଶନ୍ଧି ଦଶନ୍ଧି ଧରି ତାରିଫ ଲାଗୁ କରିଆସୁଥିବା ବେଳେ ଏବେ ଆମେରିକା ମଧ୍ୟ ସମାନ ନୀତି ଅବଲମ୍ବନ କରିବ। ହାରାହାରି ଭାବେ ୟୁରୋପୀୟ ସଂଘ, ଚୀନ, ବ୍ରାଜିଲ ଏବଂ ଭାରତ-ମେକ୍ସିକୋ ଏବଂ କାନାଡା ସମେତ ଅନେକ ରାଷ୍ଟ୍ର ତାରିଫ ବାବଦ ଆମେରିକା ଠାରୁ ବ୍ୟାପକ ଶୁଳ୍କ ନେଇଛନ୍ତି, ଯାହାକି ଆମେରିକା ଏହି ଦେଶଗୁଡିକ ଉପରେ ଲାଗୁ କରିଥିବା ତାରିଫଠାରୁ ଢେର ବେଶୀ। ଭାରତ ଆମେରିକା ବିରୋଧରେ ୧୦୦%ରୁ ଅଧିକ ସ୍ବତଃ ତାରିଖ ଲାଗୁ କରିଥିବା ଦର୍ଶାଇ ଟ୍ରମ୍ପ ଏକପ୍ରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମ୍ଭବତଃ ଏବେ ଭାରତକୁ ତାହାର ପ୍ରତିଦାନ ଦେବାକୁ ହେବ ବୋଲି ଟ୍ରମ୍ପଙ୍କ ଏଭଳି ଦୃଢ ଆଭିମୁଖ୍ୟରୁ ଜଣାପଡୁଛି।
ଉଲ୍ଲେଖ ଯେ, ଭାରତ ଓ ଚୀନ ଆମେରିକା ବିରୋଧରେ ସର୍ବାଧିକ ତାରିଫ ଲାଗୁ କରିଥିବା ବେଳେ ଏହି ଦୁଇ ଦେଶ ସମେତ ଅନ୍ୟ କିଛି ଦେଶ ବିରୋଧରେ ରେସିପ୍ରୋକାଲ ବା ପାଲଟା ତାରିଫ ଲାଗୁ କରାଯିବ ବୋଲି ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପରେ ଗତ ଫେବୃଆରୀରେ ଘୋଷଣା କରିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକରେ ଉପସ୍ଥିତ ଥିବା ସମୟରେ ଏବଂ ତାଙ୍କ ସହିତ ସାକ୍ଷାତ କରିବାର ଠିକ୍ ୨ ଘଣ୍ଟା ପୂର୍ବରୁ ଟ୍ରମ୍ପ ଅତ୍ୟଧିକ ତାରିଫକୁ ନେଇ ଭାରତକୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ଆମେରିକାର ପାଲଟା ତାରିଫ ତାଲିକାରୁ ଭାରତ ବାଦ୍ ପଡିବ ନାହିଁ ବୋଲି ସାକ୍ଷାତ ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଟ୍ରମ୍ପ ସ୍ପଷ୍ଟ କହିଥିଲେ। ଏମିତିକି ତାରିଫକୁ ନେଇ ତାଙ୍କ ସହିତ କୌଣସି ବ୍ୟକ୍ତି ମଧ୍ୟ ଯୁକ୍ତିତର୍କ କରିପାରିବେ ନାହିଁ ବୋଲି ଟ୍ରମ୍ପ ସଫାସଫା କହିଥିଲେ। ଏହାଦ୍ବାରା ଟ୍ରମ୍ପଙ୍କ ତାରିଫ ନୀତିରୁ କିଛିଟା ରିଆତି ପାଇବା ନେଇ ଭାରତର ଆଶା ମଉଳି ଯାଇଛି। ସେହିଭଳି ଚୀନ ସମ୍ବନ୍ଧରେ ଟ୍ରମ୍ପ କହିଛନ୍ତି ଯେ, ଆମେରିକୀୟ ଉତ୍ପାଦ ଉପରେ ଚୀନ ଦୁଇଗୁଣା ଏବଂ ଦକ୍ଷିଣ କୋରିଆ ଚାରିଗୁଣା ଅଧିକ ତାରିଖ ଲାଗୁ କରିଛନ୍ତି। ସାମରିକ ସହାୟତା ସହିତ ଅନ୍ୟ ବିଭିନ୍ନ ପ୍ରକାରର ସହଯୋଗ ଦକ୍ଷିଣ କୋରିଅାକୁ ଆମେରିକା ଯୋଗାଇ ଦେଉଛି। ଏହା ସତ୍ତ୍ବେ ଦକ୍ଷିଣ କୋରିଆ ଆମେରିକା ବିରୋଧରେ ଚାରିଗୁଣା ତାରିଫ ଲାଗୁ କରିବା ଆଦୌ ଯୌକ୍ତିକ ନୁହେଁ ବୋଲି ଟ୍ରମ୍ପ ଚଢା କଣ୍ଠରେ କହିଛନ୍ତି।
ସେପଟେ ଆମେରିକା ମଙ୍ଗଳବାର ଠାରୁ ମେକ୍ସିକୋ ଓ କାନାଡା ବିରୋଧରେ ୨୫ % ତାରିଫ ଲାଗୁ କରିଛି। ଆମେରିକାର ପାଲଟା ତାରିଫ ଲାଗୁ ସମ୍ବନ୍ଧରେ ଉଭୟ ଚୀନ ଓ କାନାଡା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆମେରିକା ସହିତ ବ୍ୟବସାୟିକ ତଥା ଅନ୍ୟ ଯେକୌଣସି ପ୍ରକାର ଯୁଦ୍ଧ ପାଇଁ ଚୀନ ପ୍ରସ୍ତୁତ ବୋଲି ଆମେରିକାରେ ଥିବା ଚୀନ ଦୂତାବାସ ପକ୍ଷରୁ ସୋସିଆଲ ସାଇଟ ଏକ୍ସରେ ଟ୍ବିଟ କରାଯାଇଛି। ସେହିଭଳି ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବୋକାମୀ ବୋଲି ଦର୍ଶାଇବା ସହିତ ଏହା କେବଳ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଖୁସି କରିବାକୁ ଉଦ୍ଦିଷ୍ଟ ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ କହିଛନ୍ତି।