- ୟୁନିସେଫ୍ର ସାଙ୍ଘାତିକ ରିପୋର୍ଟ
- ଶିକ୍ଷା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ
- ପ୍ରତି ୭ ଜଣରେ ଜଣେ ଶିଶୁ ପ୍ରଭାବିତ
ନୂଆଦିଲ୍ଲୀ: ସ୍କୁଲ ଶିକ୍ଷା ଉପରେ ଘନାଉଛି ଜଳବାୟୁ ପରିବର୍ତ୍ତନର ସାଙ୍ଘାତିକ ପ୍ରଭାବ। ଜଳବାୟୁ ପରିବର୍ତ୍ତନ କାରଣରୁ ପାଣିପାଗର ପରିବର୍ତ୍ତିତ ମିଜାଜ୍ ଉଭୟ ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛି। ଶିଶୁଙ୍କ ସ୍କୁଲ ଜୀବନ ବ୍ୟାପକ ପ୍ରଭାବିତ ହେଉଛି । ଏ ନେଇ ଜାତିସଂଘ ଶିଶୁ ପାଣ୍ଠି ବା ୟୁନିସେଫ୍ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ରହିଛି ଚାଞ୍ଚଲ୍ୟକର ତଥ୍ୟ। ଶୁକ୍ରବାର ପ୍ରକାଶିତ ଏହି ରିପୋର୍ଟ ଅନୁସାରେ ଗତ ବର୍ଷ ଖରାପ ପାଣିପାଗ କାରଣରୁ ବିଶ୍ବର ବିଭିନ୍ନ ପ୍ରାନ୍ତର ପାଖାପାଖି ୨୫ କୋଟି ଶିଶୁ ସ୍କୁଲ୍ ଯାଇପାରିନାହାନ୍ତି। କେତେବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ତ ପୁଣି କେତେବେଳେ ବାତ୍ୟା ଓ ବନ୍ୟା, ଆଉ ପୁଣି କେତେବେଳେ ପାଣିପାଗ ଜନିତ ଅନ୍ୟାନ୍ୟ ବିପର୍ଯ୍ୟାୟ କାରଣରୁ ୮୫ଟି ଦେଶର ୨୪୨ ନିୟୁତ ଶିଶୁଙ୍କ ପାଠପଢା ପ୍ରଭାବିତ ହୋଇଛି। ଜଳବାୟୁ ସମ୍ବନ୍ଧୀୟ ବିଭିନ୍ନ ବିପର୍ଯ୍ୟୟ କାରଣରୁ ବୈଶ୍ବିକ ସ୍ତରରେ ସ୍କୁଲ୍ ଯାଉଥିବା ପ୍ରତି ୭ ଜଣରେ ଜଣେ ଶିଶୁ ପ୍ରଭାବିତ ହୋଇଛନ୍ତି। ବିଶେଷକରି କମ୍ ଆୟକାରୀ ଦେଶଗୁଡିକରେ ଏହାର ସାଙ୍ଘାତିକ ପ୍ରଭାବ ଦେଖିବାକୁ ମିଳିଛି।
ୟୁନିସେଫ୍ ପକ୍ଷରୁ କୁହାଯାଇଛି ଯେ ୨୦୨୪ରେ ପ୍ରତି ସାତ ଜଣରୁ ଜଣେ ଶିଶୁ କୌଣସି ନା କୌଣସି କାରଣରୁ ସ୍କୁଲ ଯାଇନଥିଲେ। ରିପୋର୍ଟ ଅନୁସାରେ ୨୦୨୪ରେ ପ୍ରଭାବିତ ଶିଶୁମାନଙ୍କ ମଧ୍ୟରୁ ୭୪% କେବଳ ମଧ୍ୟମ ଓ ନିମ୍ନ ଆୟକାରୀ ରାଷ୍ଟ୍ର ନିବାସୀ। ଯାହା ପ୍ରମାଣିତ କରୁଛି ଯେ ଜଳବାୟୁ ପରିବର୍ତ୍ତନର ସର୍ବାଧିକ ପ୍ରଭାବ ଗରିବ ଦେଶଗୁଡିକ ଉପରେ ପଡୁଛି। ଖାଲି ଶିକ୍ଷା ନୁହେଁ, ସ୍କୁଲଗୁଡିକୁ ମଧ୍ୟ ପ୍ରଭାବିତ କରିଛି ଜଳବାୟୁ ପରିବର୍ତ୍ତନ ଜନିତ ଖରାପ ପାଗ। କେତେକ ରାଷ୍ଟ୍ରରେ ଖରାପ ପାଣିପାଗ କାରଣରୁ ଶତାଧିକ ସ୍କୁଲ ମଧ୍ୟ ନଷ୍ଟ ହୋଇଯାଇଛି। ଏସିଆ ଏବଂ ଉପ ସାହାରା ଆଫ୍ରିକୀୟ ଅଞ୍ଚଳରେ ଥିବା ନିମ୍ନ ଆୟକାରୀ ଦେଶଗୁଡିକ ଉପରେ ଜଳବାୟୁ ପରିବର୍ତ୍ତନର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ୨୦୨୪ ଶେଷ ବେଳକୁ ଇଟାଲୀରେ ହୋଇଥିବା ମୂସଳଧାରା ବର୍ଷା ଏବଂ ବନ୍ୟା କାରଣରୁ ସେଠାକାର ୯ ଲକ୍ଷ ଶିଶୁଙ୍କ ସ୍କୁଲ ଶିକ୍ଷା ବାଧାପ୍ରାପ୍ତ ହୋଇଥିଲା। ସ୍ପେନରେ ବିନାଶକାରୀ ବନ୍ୟା କାରଣରୁ ହଜାରହଜାର ଶିଶୁ ଉପରସ୍ଥ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରି ନ ଥିଲେ।
ସେହିଭଳି ଦକ୍ଷିଣ ୟୁରୋପରେ ଭୟଙ୍କର ବନ୍ୟା ମାଡ଼ିଆସିଥିବା ବେଳେ ଏସିଆ ଏବଂ ଆଫ୍ରିକାରେ ମଧ୍ୟ ବନ୍ୟା ଏବଂ ବାତ୍ୟାର ପ୍ରକୋପ ଦେଖିବାକୁ ମିଳିଥିଲା। ଏମିତିକି ଉତ୍ତପ୍ତ ଲହଡ଼ି ମାଡ଼ି ଆସିବା କାରଣରୁ ମଧ୍ୟ ଅନେକ ଉପକୂଳୀୟ ଶିଶୁ ସ୍କୁଲ ଯାଇ ନ ଥିଲେ। ଏସବୁ ପଛରେ ପ୍ରମୁଖ କାରଣ ଥିଲା ୨୦୨୪ର ତାପମାତ୍ରା। ୧୮୮୦ ପରଠାରୁ ୨୦୨୪ ସର୍ବାଧିକ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ ହୋଇଛି। ୟୁନିସେଫ୍ ଅନୁସାରେ କେବଳ ଏପ୍ରିଲ ମାସରେ ହିଁ ୧୧୮ ମିଲିୟନରୁ ଅଧିକ ଶିଶୁଙ୍କ ସ୍କୁଲ ଶିକ୍ଷା ବାଧାପ୍ରାପ୍ତ ହୋଇଥିଲା। ଏହି ସମୟ ମଧ୍ୟରେ ପଶ୍ଚିମରେ ଗାଜାରୁ ଆରମ୍ଭ କରି ଦକ୍ଷିଣ-ପୂର୍ବରେ ଫିଲିପାଇନ୍ସ ପର୍ଯ୍ୟନ୍ତ ମଧ୍ୟପ୍ରାଚ୍ୟ ଏବଂ ଏସିଆର ବିଶାଳର ଭୂଖଣ୍ଡରେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଭୀଷଣ ଗରମ ଅନୁଭୂତ ହୋଇଥିଲା। ସେତେବେଳେ ଏଠାକାର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା।
ଏହା ଉପରେ ପ୍ରତିକ୍ରିୟା ରଖି ୟୁନିସେଫର କାର୍ଯ୍ୟକାରୀ ନିର୍ଦ୍ଦେଶକ କ୍ୟାଥରିନ ରସେଲ କହିଛନ୍ତି ଯେ ଶିଶୁଙ୍କ ଶରୀର ସାଧାରଣତଃ ଦୁର୍ବଳ ଏବଂ ତାହା ଶୀଘ୍ର ଉତ୍ତପ୍ତ ହୁଏ, ବୟସ୍କଙ୍କ ତୁଳନାରେ ଶୀଘ୍ର ଥଣ୍ଡା ମଧ୍ୟ ହୁଏ। କମ୍ ପରିଶ୍ରମରେ ମଧ୍ୟ ଗମ୍ ଗମ୍ ଝାଳ ସେମାନଙ୍କ ଶରୀରରୁ ବାହାରିଥାଏ। ଏମାନେ ଅଧିକ ଉଷ୍ମତା ସହ୍ୟ କରିପାରନ୍ତି ନାହିଁ।
ଉଲ୍ଲେଖ ଯେ ଶୈଶବର ସବୁଠାରୁ ଅନନ୍ୟ ଅନୁଭୂତି ସ୍କୁଲ ଜୀବନ। ଶ୍ରେଣୀ ଗୃହରେ ସହପାଠୀଙ୍କ ଗହଣରେ ବସି ଶିକ୍ଷକ-ଶିକ୍ଷୟତ୍ରୀଙ୍କଠାରୁ ସିଧାସଳଖ ଆହରଣ କରାଯାଇଥିବାର ଜ୍ଞାନ ମଧ୍ୟ ଦୀର୍ଘସ୍ଥାୟୀ ହେଉଥିବା ଅନେକ କ୍ଷେତ୍ରରେ ଲକ୍ଷ୍ୟ କରାଯାଇଛି। ଯାହାକି କରୋନା କାଳରେ ଆରମ୍ଭ ହୋଇଥିବା ଆଭାସୀ ଶିକ୍ଷା ଦାନଠାରୁ ଢେରଗୁଣା ଉପଦେୟ। ମାତ୍ର ୟୁନିସେଫ୍ର ଏ ରିପୋର୍ଟ ଏବେ ଚିନ୍ତା ବଢାଇ ଦେଇଛି।