ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ, କନିଷ୍ଠ ସହାୟକ ଓ ସମୀକ୍ଷକ ନିଯୁକ୍ତି
ଭୁବନେଶ୍ବର ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଫେବୃଆରୀ ୭ ରେ ଆୟୋଜିତ ହେବ ନିଯୁକ୍ତି ମେଳା । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ୍ ୨୭୬୭ ଜଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ପ୍ରଦାନ କରିବେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୮୯୪ ଜଣ ଅଧ୍ୟକ୍ଷ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧୭୯୮ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୨୮ ଜଣ କନିଷ୍ଠ ସହାୟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ୨୭ ଜଣ କନିଷ୍ଠ ସହାୟକ, ମାଧ୍ୟମିକ ଶିକ୍ଷା ପରିଷଦର ୧୮ ଜଣ କନିଷ୍ଠ ସହାୟକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧିନରେ ୨ ଜଣ ସମୀକ୍ଷକ ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ନିଯୁକ୍ତିପତ୍ର ଗ୍ରହଣ କରିବେ ।
ଉଲ୍ଲେଖ ଯେ ରାଜ୍ୟ ସରକାର ଆଗାମୀ ୫ ବର୍ଷରେ ଓଡିଶାର ସାମଗ୍ରିକ ବିକାଶ ଲକ୍ଷ୍ୟ ରଖିଛନ୍ତି । ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ଦ୍ବାରା ଓଡ଼ିଶାରେ ଦ୍ରୁତ ବିକାଶର ଧାରା ସୃଷ୍ଟି ହେବା ସହ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ନିର୍ମାଣ ସହିତ ଯୁବଶକ୍ତିଙ୍କୁ ସୁଯୋଗ ଦେବା ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି ।