ଭୁବନେଶ୍ୱର: ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। ତେବେ ଏହାର ସଫଳତା ପାଇଁ ସାମୁହିକ ସଚେତନତା ଖୁବ୍ ଜରୁରୀ । ଆଜି ସ୍ଥାନୀୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଲକ୍ଷ୍ମୀସାଗର-ଝାରପଡା ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଂସ୍ଥାରେ ୮୪ ଶଯ୍ୟା ବିଶିଷ୍ଟ ଏକ ନୂତନ ହଷ୍ଟେଲ ଉଦ୍ଘାଟନ କରିବା ସହିତ ଏକ ଲାଇବ୍ରେରୀ ହଲ ଏବଂ ଅଙ୍ଗନବାଡି ଟ୍ରେନିଙ୍ଗ୍ ସେଣ୍ଟର ମଧ୍ୟ ଶୁଭ ଉଦ୍ଘାଟନ କରିଛନ୍ତି।
ରାଜ୍ୟରେ ପୂଜ୍ୟପୂଜା ପରମ୍ପରାକୁ ଆଗେଇ ନେଇ ମୁଖ୍ୟମନ୍ତ୍ରୀ ଏହି ପ୍ରତିଷ୍ଠାନର ୮ଟି ବିଲ୍ଡିଙ୍ଗକୁ ଓଡିଶାର ୮ ଜଣ ମହିୟସୀ ମହିଳାଙ୍କ ନାମରେ ନାମିତ କରିବା କରିଛନ୍ତି। ଏହି ପ୍ରତିଷ୍ଠାନର ଅଡିଟୋରିଅମ୍ ହଲ୍କୁ ସରଳା ଦେବୀ ପ୍ରେକ୍ଷାଳୟ, ଲାଇବ୍ରେରୀ ହଲ୍କୁ କମଳା ପୂଜାରୀ ଗ୍ରନ୍ଥାଗାର, ଅଙ୍ଗନବାଡି ଟ୍ରେନିଙ୍ଗ ସେଣ୍ଟରକୁ ଶୈଳବାଳା ଦାସ ପ୍ରଶିକ୍ଷଣ କକ୍ଷ, ନୂଆ ହଷ୍ଟେଲକୁ ମାଳତୀ ଚୌଧୁରୀ ନିବାସ, ଅଙ୍ଗନବାଡି କର୍ମୀ ହଷ୍ଟେଲକୁ ବାଙ୍ଗରା ଦେବୀ ନିବାସ ଏବଂ ଗେଷ୍ଟ ହାଉସ୍କୁ ଗୁରୁବାରୀ ଜାନୀ ଅତିଥି ଭବନ ନାମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ସେ ପ୍ରତିଷ୍ଠାନର କନଫରେନସ୍ ହଲ୍କୁ ରମାଦେବୀ ସମ୍ମିଳନୀ କକ୍ଷ ନାମରେ ନାମିତ କରି ଏହାର ପରିଧିକୁ ବୃଦ୍ଧି କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି।