ମୁଖ୍ୟମନ୍ତ୍ରୀ **Mohan Charan Majhi**ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୪୪ତମ HLCA ବୈଠକରେ ₹୪୪,୨୦୦ କୋଟିର ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।
ଖୋର୍ଦ୍ଧାରେ ସେମିକଣ୍ଡକ୍ଟର ପ୍ଲାଣ୍ଟ: HLCA ବୈଠକରେ ବଡ଼ ନିଷ୍ପତ୍ତି
ନବୀକରଣୀୟ ଶକ୍ତି ଓ ସେମିକଣ୍ଡକ୍ଟରକୁ ଗୁରୁତ୍ୱ: ମୁଖ୍ୟମନ୍ତ୍ରୀଙ୍କ ୩-ସୂତ୍ରୀ ଆକ୍ସନ ପ୍ଲାନ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୪୪ ତମ ହାଇ ଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକରେ ଆଜି ୪୪, ୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ।
ରାଜ୍ୟର ୮ଟି ଜିଲ୍ଲାରେ ଏହି ୧୦ଟି ପ୍ରକଳ୍ପ ସ୍ଥାପନ କରାଯିବ, ଯାହାଦ୍ୱାରା ପ୍ରାୟ ୯ ହଜାର ନିଯୁକ୍ତି ସୃଷ୍ଟି ହେବ । ଏହି ଜିଲ୍ଲାଗୁଡ଼ିକ ହେଉଛି- ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼ । ରେଆର ଆର୍ଥ ମାନୁଫାକ୍ଚରିଙ୍ଗ୍, ସେମିକଣ୍ଡକ୍ଟର, ସିମେଣ୍ଟ, ଅଟୋମୋବାଇଲ ଓ ଅଟୋକମ୍ପୋନେଣ୍ଟ, ଟେଲିକମ୍ ଭିତ୍ତିଭୂମି ଏବଂ ଶକ୍ତି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁର କରାଯାଇଛି ।
ବୈଠକରେ ପୁଞ୍ଜି ଆକର୍ଷଣ ଓ ପୁଞ୍ଜି ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ଓଡ଼ିଶାର ଉଚ୍ଚ ପ୍ରଦର୍ଶନ ପାଇଁ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏବେ ପାରମ୍ପରିକ ଶିଳ୍ପ ବ୍ୟତୀତ ଆଧୁନିକ, ଟେକ୍ନୋଲୋଜି ପରିଚାଳିତ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଏହି HLCA ଗୁଡିକ ଜରିଆରେ ଆମେ ଏବେ ଉଦୀୟମାନ ଶିଳ୍ପ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିପାରୁଛୁ । ବିଶେଷକରି ଆଧୁନିକ ମାନୁଫାକ୍ଚରିଙ୍ଗ୍ ଓ ନବୀକରଣୀୟ ଶକ୍ତି ଉତ୍ପାଦନରେ ଓଡ଼ିଶାର ସ୍ଥିତି ସୁଦୃଢ଼ ହେଉଛି । ଏହାଦ୍ୱାରା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ତ୍ୱରାନ୍ୱିତ ହୋଇପାରୁଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେବଳ ପୁଞ୍ଜି ଆକର୍ଷଣ କରିବା ଆମର ଲକ୍ଷ୍ୟ ନୁହେଁ, ଏହା ଯେପରି ତୁରନ୍ତ କାର୍ଯ୍ୟକାରୀ ହେବ, ତାକୁ ସୁନିଶ୍ଚିତ କରିବା ଦରକାର । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ ହୋଇ ଉତ୍ପାଦନ ଆରମ୍ଭ ହେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ସେ କହିଥିଲେ। ଏଥିପାଇଁ ଅଧିକାରୀମାନେ ଟିମ୍ ଓଡ଼ିଶାର ମନୋଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ । ସମସ୍ତଙ୍କ ସମନ୍ୱୟରେ ଆମର କାର୍ଯ୍ୟଶୈଳୀରେ ଉନ୍ନତି ଆସିପାରିବ ଏବଂ ଆମର ସଂସ୍ଥାଗତ ବ୍ୟବସ୍ଥା ଗୁଡ଼ିକୁ ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ ।
HLCAର ସଦସ୍ୟ ଓ ଅଧିକାରୀମାନଙ୍କୁ ପୁଞ୍ଜିନିବେଶରେ ଅଧିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଏକ ୩-ସୂତ୍ରୀ ଆକ୍ସନ ପ୍ଲାନ ଦେଇଛନ୍ତି । ପ୍ରଥମଟି ହେଉଛି ଯେ, ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ତେଣୁ ଆମକୁ ଏ କ୍ଷେତ୍ରରେ ଆମର ଅଭିଯାନକୁ ଆହୁରି ସୁଦୃଢ କରିବାକୁ ପଡିବ। ଦ୍ବିତୀୟ ହେଲା, ଆମର ଫଙ୍କସ୍ନାଲ୍ ସିଷ୍ଟମକୁ ଆହୁରି ଉନ୍ନତ କରିବାକୁ ପଡିବ। ଏହାଦ୍ବାରା ଶିଳ୍ପ ସ୍ଥାପନ କ୍ଷେତ୍ରରେ ଅଧିକ ଗତି ଆସିବ ଏବଂ ଶିଳ୍ପାୟନ ପ୍ରକ୍ରିୟା ମଧ୍ୟ ସହଜ ହେବ। ତୃତୀୟ ବିଷୟଟି ହେଉଛି, ପ୍ରକଳ୍ପ ଗୁଡିକୁ ଗ୍ରାଉଣ୍ଡିଙ୍ଗ୍ କରିବା ପାଇଁ ଯେତିକି ସମୟ ଲାଗୁଛି, ତାକୁ ଆହୁରି କମ୍ କରିବାକୁ ପଡିବ। ଯେଉଁ ରାଜ୍ୟରେ ଶିଳ୍ପ ପ୍ରକଳ୍ପ ଗୁଡିକ ସବୁଠାରୁ କମ୍ ସମୟ ମଧ୍ୟରେ ଗ୍ରାଉଣ୍ଡିଙ୍ଗ ହେଉଥିବ, ନିବେଶକ ମାନେ ସେଠାକୁ ଯିବାପାଇଁ ଅଧିକ ପସନ୍ଦ କରିବେ। ତେଣୁ, ଆମକୁ ଏହିସବୁ ବିଷୟ ଗୁଡିକ ପ୍ରତି ଅଧିକ ଧ୍ୟାନ ଦେଇ ଏକ ଫୋକସ୍ଡ ଆପ୍ରୋଚ୍ ନେଇ ଉଦ୍ୟମ ଅବ୍ୟାହତ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।