ଆଫଗାନିସ୍ଥାନରେ ପ୍ରକୃତିର କହର । ରବିବାର ରାତି ଅଧରେ ଥରିଲା ପାହାଡିଆ ଭୂମି, ଘଟିଲା ବିନାଶକାରୀ ଭୂକମ୍ପ । ୬.୦ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ନେଲାଣି ୮୦୦ରୁ ଅଧିକ ଜୀବନ । ଏଥିରେ ଆହତ ହୋଇଛନ୍ତି ୨୫୦୦ରୁ ଅଧିକ ଲୋକ । ଏମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।
ସବୁ ରବିବାର ପରି ଏଥରର ରବିବାର ଆଫଗାନିସ୍ତାନ ପାଇଁ ସାଧାରଣ ନ ଥିଲା । ଦିନ ଯାକର ପରିଶ୍ରମ ପରେ ପୂରା ଆଫଗାନିସ୍ତାନ ଯେତେବେଳେ ଶୋଇଯାଇଥିଲା, ସେତେବେଳେ ଭୂମି ତଳୁ ମାଡିଆସିଥିଲା ମୃତ୍ୟୁ । କେଇ ସେକେଣ୍ଡରେ ରଚି ଦେଇଗଲା ତାଣ୍ଡବ । ମୃତ୍ୟୁର ଏ ଖେଳକୁ ବୁଝିବାକୁ ଅନେକଙ୍କ ଚେତନା ନଥିଲା କି ଭୂକମ୍ପର ପ୍ରକୋପ ସମ୍ଭାଳିବାକୁ ସେମାନଙ୍କ ଘରର କାନ୍ଥ ସେତେ ସୁଦୃଢ ନଥିଲା । ତାସ ଘର ଭଳି ଭୁସଭାସ, ଓଲଟିପଡିଲା ମାଟି ପଥରର ଘର ସବୁ । ଆଉ ଭଗ୍ନାବଶେଷ ତେଳେ ଚାପି ହୋଇ ଚାଲିଗଲା ଜୀବନ । ନିଦରେ ହିଁ ସବୁ ଦିନ ପାଇଁ ନୀରବୀ ଗଲେ ଶହଶହ ଲୋକ ।
ଆମେରିକୀୟ ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ସହରରୁ ୨୭ କିଲୋମିଟର ଦୂରରେ ଥିଲା। ଯାହାର ପ୍ରଭାବରେ କୁନାର ପ୍ରଦେଶରେ ସର୍ବାଧିକ କ୍ଷତି ହୋଇଛି । କେବଳ ସେହିଠାରେ ହିଁ ୬୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
ମାଟି ପଥର ଘର, ମଧ୍ୟରାତ୍ରି ଏବଂ ପାହାଡ଼ିଆ ଅଞ୍ଚଳ… ଏହି ୩ଟି କାରଣରୁ ହିଁ ଆଫଗାନିସ୍ତାନରେ ୮୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି ଏହି ଭୂକମ୍ପ । ବିଶେଷଜ୍ଞଙ୍କ ମତରେ, ଏହାର ପ୍ରଥମ କାରଣ ହେଉଛି ମଧ୍ୟରାତ୍ରିରେ ଭୂମିକମ୍ପ ଆସିଥିଲା, ଯେତେବେଳେ ଅଧିକାଂଶ ଲୋକ ନିଜ ଘରେ ଶୋଇଥିଲେ। ଦ୍ୱିତୀୟ କାରଣ ହେଉଛି ଏହି ପର୍ବତଗୁଡ଼ିକରେ ଥିବା ଘରଗୁଡ଼ିକର ଗଠନ। ସେଠାକାର ଘରଗୁଡ଼ିକ ମୁଖ୍ୟତଃ ମାଟି ଏବଂ ପଥରରେ ତିଆରି, ଯାହା ଏପରି ଶକ୍ତିଶାଳୀ ଭୂମିକମ୍ପକୁ ସହ୍ୟ କରିପାରେ ନଥିଲା। ଅନ୍ୟପଟେ ଭୂକମ୍ପର କେନ୍ଦ୍ରସ୍ଥଳ ଅଗଭୀର ଥିବାରୁ ଏହାର ପ୍ରଭାବ ଆହୁରି ତୀବ୍ର ହୋଇଥିଲା। ଭୂକମ୍ପର ଝଟକାରେ ଅନେକ ଘର ମୁହୂର୍ତ୍ତକ ମଧ୍ୟରେ ଧ୍ବଂସସ୍ତୁପରେ ପରିଣତ ହୋଇଥିଲା, ଏମିତିକି ଲୋକଙ୍କୁ ବାହାରକୁ ଆସିବାକୁ ସୁଯୋଗ ମିଳିଲା ନାହିଁ। ପ୍ରଭାବିତ ଅଞ୍ଚଳ ଏକ ଅତ୍ୟନ୍ତ ଦୂରବର୍ତ୍ତୀ ଏବଂ କଷ୍ଟକର ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।
ଏହି ଭୂମିକମ୍ପ କେବଳ କୁନାର ଏବଂ ନାଙ୍ଗରହାରରେ ନୁହେଁ ବରଂ ଲାଘମାନ ପ୍ରଦେଶରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂମିକମ୍ପର ଝଟକା ୧୪୦ କିଲୋମିଟର ଦୂର କାବୁଲ ପର୍ଯ୍ୟନ୍ତ ପହଞ୍ଚିଥିଲା । ଆଫଗାନିସ୍ତାନର ଏହି ଦୁଃଖଦ ସମୟରେ ଜାତିସଙ୍ଘ ଏଠାକାର ଲୋକଙ୍କ ସହିତ ସମ୍ପୂର୍ଣ୍ଣ ଏକତାରେ ଠିଆ ହୋଇଛନ୍ତି ବୋଲି ଏହାର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି । ସେ ପ୍ରଭାବିତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଆଫଗାନିସ୍ତାନ ଏପରି ଏକ ଦେଶ ଯେଉଁଠାରେ ପ୍ରାୟତଃ ଭୟଙ୍କର ଭୂମିକମ୍ପ ହୁଏ। ବିଶେଷକରି ହିନ୍ଦୁକୁଶ ପର୍ବତମୟ ଅଞ୍ଚଳରେ, ଯେଉଁଠାରେ ଭାରତୀୟ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ପରସ୍ପର ସହିତ ଧକ୍କା ଖାଏ। ଅକ୍ଟୋବର ୭, ୨୦୨୩ ରେ ସେଠାରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ଏବଂ ଏହା ପରେ ଅନେକ ଶକ୍ତିଶାଳୀ ଆଫ୍ଟରଶୋ ମଧ୍ୟ ଅନୁଭୂତ ହୋଇଥିଲା। ତାଲିବାନ ସରକାର କହୁଛି ଯେ ଏଥିରେ ଅତି କମରେ ୪,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା, କିନ୍ତୁ ଜାତିସଂଘ (ୟୁଏନ) ଅନୁଯାୟୀ, ମୃତ୍ୟୁ ସଂଖ୍ୟା ପ୍ରାୟ ୧୫୦୦ ଥିଲା। ୨୦୨୩ ଭୂମିକମ୍ପକୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆଫଗାନିସ୍ତାନରେ ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବୋଲି ବିବେଚନା କରାଯାଏ।