ଖଡଗେଙ୍କୁ ଝାଡ଼ିଦେଲେ ସମ୍ବିତ୍: ‘କଂଗ୍ରେସ ହିନ୍ଦୁ ବିରୋଧୀ’
୧୪୪ ବର୍ଷ ପରେ ବିରଳ ଯୋଗରେ ପଡ଼ିଥିବା ମହାକୁମ୍ଭ ମେଳାରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବା ବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। ସୋମବାର ତ୍ରିବେଣୀ ସଙ୍ଗମଠାରେ ଶ୍ରୀ ଶାହା ବୁଡ଼ ପକାଇଛନ୍ତି। ମାତ୍ର ଗଙ୍ଗାରେ ଶାହାଙ୍କ ବୁଡ଼କୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସମାଲୋଚନା କରିବା ପରେ ଏବେ ରାଜନୈତିକ ବିତର୍କ ଯୋର ଧରିଛି। ଶାହା ଗଙ୍ଗାରେ ବୁଡ଼ ପକାଇବା ଦ୍ବାରା ଦେଶରେ ଗରିବି ହଟିଯିବ କି ବୋଲି ପ୍ରଶ୍ନ କରି ଖଡଗେ ସମାଲୋଚନା କରିଥିଲେ। ମଧ୍ୟପ୍ରଦେଶର ମଓ୍ବାଠାରେ ଅନୁଷ୍ଠିତ ଜୟ ବାପୁ, ଜୟ ଭୀମ, ଜୟ ସ୍ବାଭିମାନ ରାଲିରେ ଖଡଗେ ଏହା କହିଥିଲେ। ଏଭଳି ଅସମ୍ବେଦନଶୀଳ ମନ୍ତବ୍ୟ ପାଇଁ ଖଡ୍ଗେଙ୍କୁ ବିଜେପି ତୀବ୍ର ସମାଲୋଚନା କରିଛି । କଂଗ୍ରେସକୁ ହିନ୍ଦୁ ବିରୋଧୀ ଦର୍ଶାଇ ବିଜେପି ମୁଖପାତ୍ର ତଥା ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ ଏଭଳି ଅସମ୍ବେଦନଶୀଳ ମନ୍ତବ୍ୟ ଦେଇ ଖଡଗେ ଆସ୍ଥାର ଉପହାସ କରିଛନ୍ତି। କଂଗ୍ରେସ ସମ୍ପୂର୍ଣ୍ଣ ସନାତନ ବିରୋଧୀ। କଂଗ୍ରେସର ଏହି ମାନସିକତାକୁ ଭାରତବାସୀ ଭଲ ଭାବେ ଜାଣନ୍ତି। ଯଦି ସାହସ ଅଛି ତେବେ କଂଗ୍ରେସ ନେତାମାନେ ଅନ୍ୟ ଧର୍ମ ସମ୍ବନ୍ଧରେ ଏଭଳି ବୟାନ ଦେବେ କି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।