ପୂଜା ବଜାରରେ ଓଡ଼ିଆ ଫିଲ୍ମ ଚାରଧାମ । କେତେ ଦର୍ଶକଙ୍କ ହୃଦୟକୁ ଛୁଇଁଲା ଏବଂ ବକ୍ସ ଅଫିସରେ କେମିତି ପ୍ରଦର୍ଶନ କଲା, ଓଡ଼ିଆ ସିନେ ଜଗତର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମ । ଏମିତି ତ ଫିଲ୍ମର ନାମରୁ ଏହା ଏକ ଆଧ୍ୟାତ୍ମିକ ଚଳଚ୍ଚିତ୍ର ବୋଲି ଇମ୍ପ୍ରେସନ ଆସୁଛି । ଯାହାକି ସ୍ବାଭାବିକ ମଧ୍ୟ । କାରଣ ଏବେ ଏବେ ଶ୍ରୀ ଜଗନ୍ନାଥଙ୍କ ନବକଳେବର ଫିଲ୍ମ ଦେଖିଥିବା ଦର୍ଶକ ଚାରି ଧାମ ନାମରୁ ହିଁ ଏହା ଆଶା କରିଥିବେ । କିନ୍ତୁ ପୂରା ଆଧ୍ୟାତ୍ମିକ ନହୋଇ ବରଂ ଏହି ଫିଲ୍ମଟି ଏକ ପାରିବାରିକ କାହାଣୀ କହୁଛି । ଏକ ମଧ୍ୟବିତ୍ତ ପରିବାରର ପୁଅଟିଏ ନିଜ ବାପାମା’ଙ୍କୁ ଚାରିଧାମ ଦର୍ଶନ କରାଇବାକୁ କିଭଳି ପ୍ରାଣପଣେ ଉଦ୍ୟମ କରୁଛି । ବଡ଼ ପୁଅ ଟଙ୍କା ପଛରେ ଧାଉଁଥିବା ବେଳେ ଅଚଳ ପଇସା ଭଳି ସାନ ପୁଅ, ହେଲେ ସେଇ ଅଚଳ ପଇସା କେମିତି କମାଲ କରୁଛି, ତାହାରି ଚାରିପଟେ ଘୂରିବୁଲୁଛି ଫିଲ୍ମର କାହାଣୀ । କାହାଣୀରେ ସୋସିଆଲ ମିଡ଼ିଆର ଇନକ୍ଲୁଜନ ବେଶ ରୋଚକ ହୋଇଛି । ବିଶେଷ କରି ଆକ୍ଟିଂରେ ଲୋକପ୍ରିୟ ୟୁଟ୍ୟୁବରଙ୍କୁ ସୁଯୋଗ,. ଦର୍ଶକଙ୍କୁ ଟାଣିବ ବୋଲି ସମ୍ଭବତଃ ଫିଲ୍ମ ମେକର ଟିମ୍ ଭାବିଥିଲେ । ତେବେ ବ୍ରହ୍ମପୁରୀ ଆସେଣ୍ଟ ଓ କାହାଣୀର ବହୁଳ ବ୍ୟବହାର କାରଣରୁ ଫିଲ୍ମଟି ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସକୁ ମନେ ପକାଇ ଦେଉଛି ।
ହିରୋ ହିରୋଇନ ଓ ପ୍ୟାର! ଯଦି ଗୀତ କଥା କହିବା ତେବେ ଏହି ଫିଲ୍ମର ଗୀତ ଗୁଡିକ ଯଦିଓ ଗଲା ବର୍ଷ ଅନୁଭବ ମହାନ୍ତିଙ୍କ ଦଶହରା ଭେଟି କର୍ମ ଫିଲ୍ମର ଚିରିଙ୍ଗ ଚିରିଙ୍ଗକୁ କାଟି ପାରି ନାହିଁ, ତଥାପି ଚାରଧାମର ଗୀତ କେରକେରା ଦର୍ଶକଙ୍କୁ ଝୁମାଇଛି ନିଶ୍ଚିତ । ବାପାମା’ଙ୍କ ପ୍ରତି ଅନୁଭବଙ୍କ ଭକ୍ତି ହିଁ ରୂପେଲି ପରଦାରେ ଜୀବିତ ହୋଇଛି ଯାହା ସହିତ ଦର୍ଶକ ରିଲେଟ କରିପାରିଛନ୍ତି । କାରଣ ଅନୁଭବଙ୍କ ଫାମିଲିଆର ଲାଇଫ ବହୁତ ଦିନ ଧରି ଚର୍ଚ୍ଚାରେ ଥିଲା ।
ମୋଟାମୋଟି ଭାବେ କହିବାକୁ ଗଲେ କାହାଣୀର କ୍ଲାଇମାକ୍ସରେ ଆମକୁ ଅନୁଭବ ମହାନ୍ତି ଏଯୁଗର ଶ୍ରବଣ କୁମାର ରୂପରେ ଦେଖିବାକୁ ମିଳୁଛନ୍ତି । ମା ଓ ବାପାଙ୍କ ଭୂମିକାରେ ଅଭିନେତା ଅଶୋକ ଦାସ ଓ ମମତା ତ୍ରିପାଠୀ ଙ୍କ ଅଭିନୟ ଚମତ୍କାର ହୋଇଛି । ‘ଚାରିଧାମ‘ ଫିଲ୍ମକୁ ହିମାଦ୍ରି ତନୟା ଦାସ ପ୍ରଯୋଜନା କରିଛନ୍ତି ଏବଂ ନିର୍ଦ୍ଦେଶକ ତାପସ ସରଗରିଆ ନିର୍ଦ୍ଦେଶନା ଦେଇଛନ୍ତି । ଅନୁଭବ ଓ ଅନୁରାଧା ପାଣିଗ୍ରାହୀଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ସୁକାନ୍ତ ରାଧା, ପ୍ରଦ୍ୟୁମ୍ନ ଲେଙ୍କା, ଆଶିଷ (ଗୁଲୁଆ), ସୁଜିତ ପାଇକରାୟ, ଶକ୍ତି ବାରଲା ଏବଂ କାଳିଆ ଷଣ୍ଢଙ୍କ ଅଭିନୟ ମଧ୍ୟ ଆକର୍ଷଣୀୟ ରହିଛି । ବୈଦ୍ୟନାଥ ଦାସଙ୍କ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥୀ ଓ ନିଜେ ବୈଦ୍ୟନାଥ ଦାଶ। କଣ୍ଠଦାନ କରିଛନ୍ତି କୃଷ୍ଣ ବେଉରା, ହ୍ୟୁମାନ ସାଗର, ସୌରଭ ଭରଦ୍ୱାଜ, ଅନନ୍ୟା ଶ୍ରୀତମ ନନ୍ଦ, ଗୌରବ ଆନନ୍ଦ ଓ ସତ୍ୟଜିତ ଜେନା ପ୍ରମୁଖ ।
ଆଇଏମଡିବି ରିଭ୍ୟୁରେ ଫିଲ୍ମଟିକୁ ୧୦ରୁ ୭.୧ ରେଟିଂ ମିଳିଛି । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆସିଥିବା ରିଭୋଲ୍ୟୁସନକୁ ସ୍ପେଶାଲ ଇଫେକ୍ଟ ଟେକ୍ନୋଲାଜିର ବ୍ୟବହାର ଦ୍ବାରା ଏହି ଫିଲ୍ମ ଚାରିଧାମ ଆଉ ଏକ ପାଦ ଆଗକୁ ନେଇପାରିଛି । ଯାହାକି ଆପଣ ଟଙ୍କା ଖର୍ଚ୍ଚ କରି ହଲକୁ ଯିବେ, ନିରାଶ ହେବନି । ପେଟପୂରା କମେଡି, ରୋମାନ୍ସ,, ଆକ୍ସନ ସହ ପାରିବାରିକ ମନୋରଞ୍ଜନ ନେଇ ହଲରୁ ବାହାରିବେ । ହଲକୁ ଯାଆନ୍ତୁ, ଫିଲ୍ମଟିକୁ ଦେଖନ୍ତୁ ଏବଂ ଓଡ଼ିଆ ଫିଲ୍ମକୁ ସପୋର୍ଟ କରନ୍ତୁ । ’‘ଜୟ ଜଗନ୍ନାଥ’’