ଚଳିତ ବର୍ଷ ପ୍ରଥମ ଥର ପାଇଁ ରବିବାର ଦିନ ବଜେଟ୍ ଉପସ୍ଥାପନ ହେବ। ଫେବ୍ରୁଆରି ୧ ରବିବାର ଦିନ ପଡ଼ୁଥିବାରୁ ସେହିଦିନ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନ ୧୧ଟାରେ ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬କୁ ଉପସ୍ଥାପନ କରିବେ। ଏହା ହେଉଛି କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରଦର୍ଶନ ଓ ଦେଶର ଅର୍ଥନୈତିକ ସ୍ଥିତିର ଏକ ରିପୋର୍ଟ ଯେଉଁଥିରେ ଅଭିବୃଦ୍ଧି ହାର, ମୁଣ୍ଡପିଛା ଆୟ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ଅଭିବୃଦ୍ଧି ତଥ୍ୟ ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଏହି ରିପୋର୍ଟ ତିଆରି କରୁଛି।
ସର୍ବେକ୍ଷଣ ରିପୋର୍ଟ ସଂସଦର ଉଭୟ ସଦନରେ ଉପସ୍ଥାପିତ ହେବା ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ପ୍ରତିବର୍ଷ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରାଯାଇଥାଏ।