chief-minister-launches-shri-jagannath-darshan-yojan
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବର ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଆଜି ଥିଲା ୧୭ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀଙ୍କ ସହିତ ୫ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।
ପ୍ରତ୍ୟେକ ଥର ପରି ମୁଖ୍ୟମନ୍ତ୍ରୀ ପ୍ରଥମେ ଆସି ପ୍ରକୋଷ୍ଠ ବାହାରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ଓ ଅଭିଯୋଗ ଶୁଣି ସମାଧାନ ପାଇଁ ବିହିତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମୁଦାୟ ୩୨ ଜଣ ଦିବ୍ୟାଙ୍ଗଙ୍କ ମଧ୍ୟରୁ ଜଟିଳ ରୋଗରେ ପିଡୀତ ଥିବା ଭଦ୍ରକ ଜିଲ୍ଲାର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଓ ଯାଜପୁର ଜିଲ୍ଲାର କାର୍ତ୍ତିକ ସି ଙ୍କୁ ୧.୫୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରିଥିଲେ। ଏଥି ସହିତ ଚିକିତ୍ସା ଆବଶ୍ୟକ କରୁଥିବା ଅନ୍ୟ ଅଭିଯୋଗକାରୀଙ୍କ ଦରଖାସ୍ତ ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୬ଟି ପାଳିସୁଦ୍ଧା ଗ୍ରହଣ କରାଯାଇଥିବା ୧୪,୦୫୪ଟି ଅଭିଯୋଗ ମଧ୍ୟରୁ ୧୩,୧୬୯ଟି ଅଭିଯୋଗର ସମାଧାନ କରାଯାଇଛି। ଯାହା ଶତକଡା ୯୪ ପ୍ରତିଶତ ଅଟେ। ବକେୟା ଅଭିଯୋଗ ଗୁଡିକ ପ୍ରକ୍ରିୟା ମଧ୍ୟରେ ରହିଛି।