₹1000ରେ କାନ୍ଦିବେ! ଏମିତି ଚାକିରି ଆପଣ କେବେ ଶୁଣିଛନ୍ତି?
ଚାକିରିର ନାଁ କାନ୍ଦ! ଯେତେ କାନ୍ଦିବ, ସେତେ ଦରମା ! କାନ୍ଦି କାନ୍ଦି କୋଟିପତି ହୋଇଯିବେ ଏହି ଯୁବକ! ନା ପରିଶ୍ରମ, ନା ଟେନସନ । ଅନ୍ୟର ଟେନସନ ଓ ଦୁଃଖ ଶୁଣି ଯେତେ ଅଧିକ କାନ୍ଦିବେ, ମିଳିବ ସେତେ ଦରମା । ହଁ ଆଜ୍ଞା, ଦେଶରେ ବେକାରୀ ସମସ୍ୟା ବଢିଚାଲିଥିବା ବେଳେ ଏହି ଯୁବକ ନିଜ ପାଇଁ ବାଛି ନେଇଛନ୍ତି କାନ୍ଦ ଚାକିରି ।
ଡିପ୍ରେସନରେ ଅଛନ୍ତି କି? ମନରେ ଅଛି ଗଭୀର ଯନ୍ତ୍ରଣା ? କିନ୍ତୁ କହିବାକୁ କେହି ନାହିଁ? ତେବେ ଖର୍ଚ୍ଚ କରନ୍ତୁ କିଛି ଟଙ୍କା, ଆଉ ମିଳିଯିବେ ଜଣେ “ଅଜଣା ସାଥୀ”, ଯିଏ ଆପଣଙ୍କ ଦୁଃଖ ଶୁଣିବେ ଏବଂ ଆପଣଙ୍କ ସହ କାନ୍ଦିବେ । ଏହା କୌଣସି ସିନେମା ଗଳ୍ପ ନୁହେଁ; ଏହା ଆଜିର ସମାଜର ଜୀବନ୍ତ ସତ୍ୟ ।
୧୦୦୦ ଟଙ୍କାରେ ଆତ୍ମୀୟଙ୍କ ପରି କାନ୍ଦ
୨୫୦ ଟଙ୍କା ଦେଲେ ଦୁଃଖ ଶୁଣାଯିବ । ୫୦୦ ଟଙ୍କା ଦେଲେ ଗଭୀର ସମସ୍ୟା ଶୁଣାଯିବ ଏବଂ ୧୦୦୦ ଟଙ୍କା ଦେଲେ ଲୋକଙ୍କ ସହିତ ସେ ଏମିତି କାନ୍ଦିବେ, ଯେମିତି କୌଣସି ଆତ୍ମୀୟ କାନ୍ଦେ । ଟଙ୍କା ନେଇ ଲୋକଙ୍କ ଦୁଃଖରେ ଲୋକଙ୍କ ସହ କାନ୍ଦୁଥିବା ଏହି ଯୁବକଙ୍କ ନାଁ ପୃଥ୍ବୀରାଜ ଭୋରା । ତାଙ୍କ ଘର ମୁମ୍ବାଇର ଅନ୍ଦେରୀ ଓ୍ବେଷ୍ଟରେ । ଏଠାକାର ସମୁଦ୍ର ବେଳାଭୂମିରେ ସେ ଏକ ପ୍ଲାକାର୍ଡ ଧରି ବସିଥିବାର ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେଉଛି । ଏହି ପ୍ଲାକାର୍ଡ ରେ ଲେଖା ଅଛି— ‘ତୁମର ଦୁଃଖ କହିବାକୁ ଚାହୁଁଛ ? ମୁଁ ଶୁଣିପାରିବି।’ ପ୍ଲାକାର୍ଡରେ ତାଙ୍କର ଫୋନ ନମ୍ବର ମଧ୍ୟ ଦେଇଛନ୍ତି ପୃଥ୍ବୀରାଜ । ଏମିତିକି ଇନ୍ଷ୍ଟାଗ୍ରାମ ଓ ୟୁଟ୍ୟୁବରେ ମଧ୍ୟ ସେ ଉପଲବ୍ଧ । କେହି ଯଦି ଦୁଃଖ ଶୁଣାଇବାକୁ ଚାହାନ୍ତି ତେବେ ତାଙ୍କୁ ସକାଳ ୧୧ଟାରୁ ୪ଟା ମଧ୍ୟରେ ଯୋଗାଯୋଗ କରିବାକୁ ହେବ । ହେଲେ ବାସ୍ତବରେ କ’ଣ ଟଙ୍କା ଦେଇ କେହି ନିଜ ଦୁଃଖ ଶୁଣାଇବାକୁ ଆସୁଛନ୍ତି ଏହି ଯୁବକଙ୍କ ନିକଟକୁ ।
ନିଃସଙ୍ଗ ଲୋକଙ୍କ ‘ଅସ୍ଥାୟୀ ଜୀବନ ସାଥୀ’
ଆଜିର ଦୁନିଆରେ ଲୋକଙ୍କ ପାଖରେ ସବୁକିଛି ଅଛି, ହେଲେ ମନ କଥା ଖୋଲି କହିବାକୁ କି ଦୁଃଖ ଶୁଣିବାକୁ କେହି ନାହାନ୍ତି । ଏମିତି ନିଃସଙ୍ଗ ଲୋକଙ୍କ ପାଇଁ ପୃଥ୍ବୀରାଜ ପାଲଟିଛନ୍ତି ‘ଅସ୍ଥାୟୀ ଜୀବନ ସାଥୀ’ । ଯେତେବେଳେ ଲୋକଙ୍କ ପାଇଁ ସବୁ ଆଶା ସରିଯାଏ, ସେତେବେଳେ ଆଶାର ନୂଆ କୀରଣ ପାଲଟନ୍ତି ପୃଥ୍ବୀରାଜ । ଏହା ଅନ୍ତ ନୁହେଁ ବରଂ ଏହାର ଆଗକୁ ମଧ୍ୟ ରାସ୍ତା ଅଛି, ଆଉ ସେହି ରାସ୍ତା ଦେଖାଇ ଲୋକଙ୍କୁ ବଞ୍ଚିବାର ରାହା ଦେଖନ୍ତି ପୃଥ୍ବୀରାଜ । ପୃଥ୍ବୀରାଜ କୁହନ୍ତି, ମାନସିକ ବିଜ୍ଞାନ ଓ ଦର୍ଶନ ଶାସ୍ତ୍ର ତାଙ୍କ ବିଷୟ । ଦୁଃଖରେ ଅଥବା ମାନସିକ ଦୁଃଶ୍ଚିନ୍ତାରେ ଥିବା ଲୋକଙ୍କୁ ସେହି ପରିସ୍ଥିତିରୁ ବାହାର କରିବାରେ ସେ ଉସ୍ତାଦ୍ । ଏମିତିକି ଲୋକଙ୍କୁ ଡିପ୍ରେସନରୁ ବାହାର କରିବାରେ ମଧ୍ୟ ସେ ସହଯୋଗ କରନ୍ତି ।
ଲୋକଙ୍କ ଲୁହ ପାଲଟିଛି income source !
କାହାର ଯନ୍ତ୍ରଣା, କାହାର ଜୀବିକା । କାହାର ଦୁଃଖ, କାହା ପାଇଁ ଆୟର ମାଧ୍ୟମ ହୋଇଯାଇଛି । ଲୋକଙ୍କ ଲୁହ, ପୃଥ୍ବୀରାଜଙ୍କର income source ପାଲଟିଛି । କେହି କେହି ଏହାକୁ ଭଲ ପଦକ୍ଷେପ ବୋଲି କହୁଛନ୍ତି ତ ଆଉ କେହି କେହି କହୁଛନ୍ତି, ଏହା ଲୋକଙ୍କ ଭାବନା ସହ ଖେଳ । କିନ୍ତୁ ଏହି ଘଟଣା ଆମ ସମାଜର ଏକ କଠିନ ସତ୍ୟକୁ ଦର୍ଶାଉଛି ।