ଆପ୍ର ସର୍ବାଧିକ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୯%ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଦଳଗତ ଦୃଷ୍ଟିରୁ ଦେଖିଲେ ଆମ ଆଦମୀ ପାର୍ଟି ବା ଆପ୍ ସର୍ବାଧିକ ଅପରାଧିକ ମାମଲା ଥିବା ପ୍ରାର୍ଥୀ ଦେଇଛି। ସୋମବାର ଆସୋସିଏସନ ଫର ଡେମୋକ୍ରାଟିକ ରିପର୍ମ ବା ଏଡିଆର ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏହି ତଥ୍ୟ ରହିଛି। ରିପୋର୍ଟ ଅନୁସାରେ ଆପ୍ର ୬୩% ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଥିବା ଦର୍ଶାଇଛନ୍ତି। ଏମାନଙ୍କ ମଧ୍ୟରୁ ୪୧%ଙ୍କ ବିରୋଧରେ ସଙ୍ଘାତିକ ଅପରାଧ ମାମଲା ରହିଛି। କଂଗ୍ରେସର ୪୧% ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା ଥିବା ବେଳେ ଏମାନଙ୍କ ମଧ୍ୟରୁ ୧୯%ଙ୍କ ବିରୋଧରେ ସାଙ୍ଘାତିକ ଅପରାଧ ମାମଲା ରହିଛି। ତେବେ ବିଜେପିର ସବୁଠୁ କମ୍ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ ବେଳେ ନିଜନିଜର ସତ୍ୟପାଠରେ ଦର୍ଶାଇଥିବା ତଥ୍ୟ ଆଧାରରେ ଏହି ହିସାବ କରିଛି ଏଡିଆର।
ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୧୯%ଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଏମାନଙ୍କ ମଧ୍ୟରୁ ୧୨% ପ୍ରାର୍ଥୀଙ୍କ ବିରୋଧରେ ସାଙ୍ଘାତିକ ଅପରାଧ ମାମଲା ରହିଛି। ଏହି ପ୍ରାର୍ଥୀମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ମହିଳା ବିରୋଧୀ ଅପରାଧ ଭଳି ସାଙ୍ଘାତିକ ଅପରାଧ ମାମଲା ମଧ୍ୟ ରହିଥିବା ଜଣାପଡିଛି। ୧୩ ପ୍ରାର୍ଥୀଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ରହିଥିବା ବେଳେ ୨ ଜଣଙ୍କ ବିରୋଧରେ ହତ୍ୟା ମାମଲା ରହିଛି। ୫ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଛି।