ଅତିଷ୍ଠ କରିଥିଲା ଦାମ୍ପତ୍ୟ ଜୀବନରେ ଶାଶୂଙ୍କ ଅଯଥା ହସ୍ତକ୍ଷେପ
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଘଟିଛି ନୂଆଦିଲ୍ଲୀ ମେହରୁଲି ହତ୍ୟାକାଣ୍ଡର ପୁନରାବୃତି । ହେଲେ ଏଥର ଲିଭି ଇନ ପାର୍ଟନର ନୁହେଁ, ବରଂ ଶାଶୂଙ୍କୁ ଖଣ୍ଡଖଣ୍ଡ କରି କଟିଛି ସୈତାନ ଜ୍ୱାଇଁ। କର୍ଣ୍ଣାଟକର ତୁମକୁରୁ ଜିଲାର କୋରଟଗେରେରେ ସମୁଖକୁ ଆସିଛି ଡାକ୍ତର ଜ୍ୱାଇଁର ପୈଶାଚିକ କାଣ୍ଡ । ନିଜର ୨ ସାଥୀଙ୍କ ସହ ମିଶି ଶାଶୁକୁ ନିର୍ମମ ଭାବେ ହତ୍ୟା କରିଛି ଏହି ଡାକ୍ତର ଜ୍ୱାଇଁ। ଖାଲି ଏତିକି ନୁହେଁ, ହତ୍ୟା ପରେ ଫଂଇଂ ଜଣ ମିଶି ମୃତଦେହକୁ ୧୯ ଖଣ୍ଡ କରି ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗି ଥିଲେ । ପୋଲିସ ଏହି ମାମଲାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ।
ହେଲେ ଶାଶୂଙ୍କୁ କାହିଁକି ହତ୍ୟା କଲେ ଏହି ଦନ୍ତ ଡାକ୍ତର ? ଖୋଳତାଡ଼ ରୁ ପୋଲିସ ଜାଣିବାକୁ ପାଇଛି ଯେ, ଡାକ୍ତର ଜ୍ୱାଇଁଙ୍କୁ ଅତିଷ୍ଠ କରିଥିଲା ଶାଶୁଙ୍କ କାର୍ଯ୍ୟକଳାପ। ଏହାର ପ୍ରଭାବ ତାଙ୍କ ଦାମ୍ପତ୍ୟ ଜୀବନରେ ମଧ୍ୟ ପଡୁଥିଲା । ତାଙ୍କ ଜୀବନରେ ଶାଶୂଙ୍କ ଅଯଥା ହସ୍ତକ୍ଷେପକୁ ନେଇ ଅସନ୍ତୁଷ୍ଟ ଓ ଚିନ୍ତିତ ଥିଲେ ଅଭିଯୁକ୍ତ ଡାକ୍ତର। ଏଥିରେ ସେ ଏତେ ମାତ୍ରାରେ ବ୍ୟତିବ୍ୟସ୍ତ ହୋଇପଡ଼ି ଥିଲେ ଯେ ଶାଶୂଙ୍କୁ ହିଁ ସବୁଦିନ ପାଇଁ ନିରବ କରି ଦେବାକୁ ରଚିଥିଲେ ଷଡଯନ୍ତ୍ର । କିନ୍ତୁ କୋରଟଗେରେ ପୁଲିସ ଥାନାର ସୀମା ଅଞ୍ଚଳରେ ମହିଳାଙ୍କ ଶରୀର ଖଣ୍ଡ ଖଣ୍ଡ ଅଂଶ ଏଣେତେଣେ ପଡିଥିବା ଦେଖାଯିବା ପରେ ଖୋଲିଥିଲା ହତ୍ୟାର ରହସ୍ୟ । ପୋଲିସ ମୃତଦେହ ଅଂଶକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
୩ ଅଗଷ୍ଟରୁ ଲକ୍ଷ୍ମୀଦେବୀ ନାମକ ଜଣେ ମହିଳା ନିଖୋଜ ଥିବା ପୋଲିସ ଜାଣିବାକୁ ପାଇଥିଲା । ପରିବାର ଲୋକେ ମଧ୍ୟ ଅରୁତ ଦେହ ଅଂଶ ଚିହ୍ନଟ କରିଥିଲେ । ଲକ୍ଷ୍ମୀଦେବୀ ଶେଷ ଥର ପାଇଁ ଏକ ଧଳା କାର୍ରେ ଦେଖାଯାଇଥିଲା ବୋଲି ପରେ ପୋଲିସ ଜାଣିବାକୁ ପାଇଥିଲା । ସେହି କାର୍ଟି ଥିଲା ଲକ୍ଷ୍ମୀଦେବୀଙ୍କ ଜ୍ୱାଇଁ ରାମଚନ୍ଦ୍ରାଙ୍କର। ରାମଚନ୍ଦ୍ରା ଏବଂ ତାଙ୍କର ୨ ସାଥୀ ସତୀଶ ଓ କିରଣକୁ ଗିରଫ କରି ପଚରାଉଚରା କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ୩ ଅଗଷ୍ଟରେ ଶାଶୂଙ୍କୁ ପିସ ପିସ କରି କାଟିବା ପୂର୍ବରୁ
କାର୍ରେ ତଣ୍ଟି ଚିପି ନିର୍ମମ ହତ୍ୟା କରିଥିଲା ସୈତାନ ଜ୍ୱାଇଁ । ଏହାପରେ ରାମଚନ୍ଦ୍ରା ଓ ତାଙ୍କ ୨ ସାଥୀ ଶାଶୁଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଏଣେତେଣେ ଫିଙ୍ଗି ଥିଲେ । ପୋଲିସ ୩ ଜଣଙ୍କୁ ଗିରଫ କରି ୧୧ ଅଗଷ୍ଟରେ ଜେଲ୍ ପଠାଇଥିଲା। ୧୨ ଅଗଷ୍ଟରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ପୋଲିସ ଅଧିକ ତଦନ୍ତ ଜାରି ରହିଛି ।