ସାରା ବିଶ୍ବରେ ଭୂରାଜନୈତିକ ସଙ୍କଟ ଓ ଜଟିଳ ଆର୍ଥିକ ସ୍ଥିତି ସତ୍ତ୍ବେ ଭାରତୀୟ ଅର୍ଥନୀତି ଚମତ୍କାର ପ୍ରଦର୍ଶନ ଜାରି ରଖିବ । ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଦୃଷ୍ଟିରୁ ୨୦୨୫-୨୬ ବର୍ଷଟି ଭାରତ ପାଇଁ ଶୁଭଙ୍କର ହେବ । ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୭.୪ ପ୍ରତିଶତ ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ ରେ ଏହି ଆକଳନ କରାଯାଇଛି । ରିପୋର୍ଟ ଅନୁସାରେ, ୨୦୨୬-୨୭ରେ ତାହା ୬.୮-୭.୨ ପ୍ରତିଶତରେ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଦେଶର ମୁଣ୍ଡପିଛା ଜାତୀୟ ଆୟ ୨୦୨୫-୨୬ରେ ୨.୨୦ ଲକ୍ଷ ଟଙ୍କାରେ ପହଞ୍ଚିବ, ଯାହାକି ୨୦୨୪-୨୫ରେ ୨.୦୫ ଲକ୍ଷ ଟଙ୍କା ଥିଲା। ୨୦୨୫-୨୬ରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୧ ପ୍ରତିଶତକୁ ଖସିବ। ୨୦୨୪-୨୫ରେ ଏହି କ୍ଷେତ୍ରର ଅଭିବୃଦ୍ଧି ୪.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଥିଲା। ତେବେ ପ୍ରାଣୀଧନ ଓ ମତ୍ସ୍ୟ କ୍ଷେତ୍ରର ଅଭିବୃଦ୍ଧି ୫-୬ ପ୍ରତିଶତ ହାରରେ ସ୍ଥିର ରହିବ। ଶିଳ୍ପ ଅଭିବୃଦ୍ଧି ୬.୨ ପ୍ରତିଶତକୁ ବୃଦ୍ଧି ପାଇବ ଯାହା ପୂର୍ବବର୍ଷ ୫.୯ ପ୍ରତିଶତ ରହିଥିଲା। ସେବା କ୍ଷେତ୍ରର ଅଭିବୃଦ୍ଧି ହାର ମଧ୍ୟ ୯.୧ ପ୍ରତିଶତକୁ ବୃଦ୍ଧି ପାଇବ। ଦେଶର ବିତ୍ତୀୟ ନିଅଣ୍ଟ ୪.୮ ପ୍ରତିଶତ ଭଳି ଉନ୍ନତ ସ୍ଥିତିରେ ପହଞ୍ଚିବ ବୋଲି ମଧ୍ୟ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି।
ଭାରତ ବିଶ୍ବର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଥିବା ରିପୋର୍ଟରେ ଦାବି କରାଯାଇଛି। ଆମେରିକା, ଚୀନ ଓ ଜର୍ମାନୀ ପଛକୁ ଏହି ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଗତବର୍ଷ ସରକାର ଘୋଷଣା କରିଥିଲେ ଯେ ଜାପାନକୁ ଅତିକ୍ରମ କରି ଭାରତ ଚତୁର୍ଥ ବଡ଼ ଅର୍ଥନୀତିର ମାନ୍ୟତା ହାସଲ କରିଛି। ରିପୋର୍ଟ ଅନୁସାରେ ୨୦୨୫-୨୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିବ। ଫଳରେ ଏହା ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ବଜାୟ ରଖିବ। ୨୦୨୪-୨୫ରେ ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିଥିଲା।