ଉଠାଇ ଆଣନ୍ତୁ ବ୍ୟାଙ୍କ ସେଭିଂସ। ଆଉ ଭରପୁର ମାତ୍ରାରେ କିଣି ନିଅନ୍ତୁ ସୁନା ଓ ଚାନ୍ଦିର ଗହଣା । ଆଦୌ ହାତଛଡ଼ା କରନ୍ତୁ ନାହିଁ ସୁଯୋଗ । କାରଣ ସୁନା ଏବଂ ରୂପା ବଜାରରେ ଆସିଛି ‘ଭୂକମ୍ପ’ । ବିଗତ ଦୁଇ ବର୍ଷ ଧରି ହାଇ ସ୍ପିଡରେ ବଢିଚାଲିଥିବା ସୁନା ଦର ଆଜି ହଠାତ୍ ବଡ଼ ପରିମାଣରେ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ୨୪ ଘଣ୍ଟାରେ ରୁପା ୮୫ ହଜାର ଟଙ୍କା କମିଥିବା ବେଳେ ସୁନା ମୂଲ୍ୟରେ ମଧ୍ୟ ବଡ଼ଧରଣର ହ୍ରାସ ଲକ୍ଷ୍ୟ କରାଯାଇଛି ।
ଶୁଣିଲେ କାନକୁ ବିଶ୍ବାସ ହେବନି, କିନ୍ତୁ ଶୁକ୍ରବାର ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୯୬୫୦ ଟଙ୍କା ହ୍ରାସ ପାଇ ୧,୬୯,୨୦୦ ଟଙ୍କାକୁ ହ୍ରାସ ପାଇଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୮୫୦ ଟଙ୍କା ହ୍ରାସ ପାଇ ୧,୫୫,୧୦୦ ଟଙ୍କା ହୋଇଛି।
ସେମିତି ଆଜି ଭୁବନେଶ୍ବରରେ ଚାନ୍ଦି ଦର କେଜି ପିଛା ମୂଲ୍ୟ ୧୦ହଜାର ଟଙ୍କା ଶସ୍ତା ହୋଇ ୪,୧୫,୦୦୦ ଟଙ୍କାକୁ ଖସିଆସିଛି। ଏହା ପୂର୍ବରୁ ବିଗତ ୬ ଦିନ ଭିତରେ ରୁପା କେଜି ୮୫ ହଜାର ଟଙ୍କା ବଢ଼ିଥିଲା। ଗତକାଲି ଏହି ଦର ସର୍ବକାଳୀନ ରେକର୍ଡ ସ୍ତର ୪,୨୫,୦୦୦ ଟଙ୍କାରେ ପହଞ୍ଚିଯାଇଥିଲା। ଏହି ଘଟଣା ପରେ କ୍ଷୁଦ୍ର ବ୍ୟବସାୟୀ ଏବଂ ଗ୍ରାହକ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ।

କିନ୍ତୁ ପ୍ରଶ୍ନ ହେଉଛି ଯେ କାହିଁକି କମିଲା ସୁନା ଦର?
ବିଶେଷଜ୍ଞଙ୍କ ମତରେ, ଏହା ପଛରେ ରହିଛି ନିବେଶକଙ୍କ ଲାଭ-ବୁକିଂର ଫଳାଫଳ। ବାସ୍ତବରେ ସୁନା ଏବଂ ରୂପା ଅନେକ ଦିନ ଧରି ସ୍ଥିର ଭାବରେ ବୃଦ୍ଧି ପାଉଥିଲା, ଏବଂ ନିବେଶକମାନେ ପୂର୍ବରୁ ଯଥେଷ୍ଟ ଲାଭ ପାଇସାରିଛନ୍ତି। ସୁନା ଓ ରୁପା ମୂଲ୍ୟ ଶୀର୍ଷରେ ପହଞ୍ଚିବା ସହିତ, ନିବେଶକମାନେ ଲାଭ ବୁକିଂ କରିବା ଆରମ୍ଭ କରିଥିଲେ। ଏହା ବ୍ୟତୀତ, ବିକ୍ରୟ ବୃଦ୍ଧି ପାଇବା ସହିତ, ବଜାରରେ ସର୍ଟ-ସେଲର୍ ସକ୍ରିୟ ହୋଇଥିଲେ। ପ୍ରବଳ ସର୍ଟ-ସେଲ୍ କାରଣରୁ ପ୍ରାଇସ ଗ୍ରାଫରେ ସୁନା ଓ ରୁପା ମୂଲ୍ୟ ତଳମୁହାଁ ହୋଇଛି ।
ସେପଟେ ବିଶ୍ବ ବଜାରରେ ଡଲାର ଅଧିକ ଶକ୍ତିଶାଳୀ ହେବା ଏବଂ ଯୁଦ୍ଧ ଧମକ ସତ୍ତ୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଆଲୋଚନାର ମାର୍ଗ ମଧ୍ୟ ଉନ୍ମୁକ୍ତ ରଖିବା ଘଟଣା ଏହି ମୂଲ୍ୟବାନ ଧାତୁର ଦର ଉପରେ ଚାପ ପକାଇଛି । କାରଣ ଟ୍ରମ୍ପଙ୍କ ଏ ପଦକ୍ଷେପ ବୈଶ୍ବିକ ବଜାରରେ ସ୍ଥିରତା ଆସୁଥିବାର ଧାରାଣା ସୃଷ୍ଟି କରିଛି ।
ଏବେ ବଡ଼ ପ୍ରଶ୍ନ ହେଉଛି, ଏହା କିଣିବା ପାଇଁ ସଠିକ୍ ସମୟ କି? ଯଦି ଉପରୋକ୍ତ ପରିସ୍ଥିତି ଲାଗି ରୁହେ ତେବେ ଆଗାମୀ ଦିନରେ ସୁନା ମୂଲ୍ୟ ଆହୁରି କମିପାରେ । ମାତ୍ର ବଡ଼ ନିବେଶକମାନେ ଏହାକୁ ଏକ କ୍ରୟ ସୁଯୋଗ ଭାବରେ ଦେଖୁଛନ୍ତି। କିନ୍ତୁ ବିଶେଷଜ୍ଞମାନେ ଏତେ ଶୀଘ୍ର ନିବେଶରେ ନ ଯିବାକୁ ପରାମର୍ଶ ଦେଉଛନ୍ତି। କାରଣ ବଜାର ବର୍ତ୍ତମାନ ବହୁତ ଅସ୍ଥିର, ତେଣୁ ନିବେଶ କରିବା ପୂର୍ବରୁ ଆପଣଙ୍କର ଲକ୍ଷ୍ୟ ଏବଂ ବିପଦର ପ୍ରୋଫାଇଲ୍ ମଧ୍ୟ ବୁଝିବା ନେବା ଜରୁରୀ ।