ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଥମ ଥର ପାଇଁ, ଭାରତର 79ତମ ସ୍ୱାଧୀନତା ଦିବସରେ ସିଆଟେଲର 605 ଫୁଟ ଉଚ୍ଚ ସ୍ପେସ୍ ନିଡଲ୍ ଉପରେ ଭାରତୀୟ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ପ୍ରଥମ ଥର ପାଇଁ ଏହି ଐତିହାସିକ ସ୍ଥାନରେ କୌଣସି ବିଦେଶୀ ରାଷ୍ଟ୍ରର ପତାକା ଉତ୍ତୋଳନ କରାଯାଇଥିଲା ।
ଏହି ସମାରୋହର ନେତୃତ୍ୱ ସିଆଟେଲରେ ଭାରତର କନସୁଲ ଜେନେରାଲ ପ୍ରକାଶ ଗୁପ୍ତା ଏବଂ ସିଆଟେଲ ମେୟର ବ୍ରୁସ୍ ହାରେଲ ନେଇଥିଲେ। ସହରର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ସାମିଲ ଥିଲେ। ” ସ୍ପେସ୍ ନିଡଲ୍ ରେ ସିଆଟେଲ ଆକାଶରେ ତିରଙ୍ଗା ଉତ୍ତୋଳନଠାରୁ ବଡ଼ ସମ୍ମାନ ଆଉ କିଛି ନୁହେଁ!,” ଗୁପ୍ତା X ରେ ପୋଷ୍ଟ କରି ଏକ ଭିଡିଓ ସେୟାର କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆମେରିକା ପ୍ରଶାନ୍ତ ମହାସାଗରୀୟ ଉତ୍ତର-ପଶ୍ଚିମରେ ସିଆଟେଲକୁ ଏକ ଟେକ୍ ହବ୍ ଭାବରେ ଗଢ଼ି ତୋଳିବାରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ଅବଦାନ ଉପରେ ଆଲୋଚନା କରାଯାଇଥିଲା। ପତାକା ଉତ୍ତୋଳନ ପରେ, କନସୁଲେଟ୍ କେରି ପାର୍କରେ ଏକ ସ୍ୱାଗତ ଆୟୋଜନ କରିଥିଲା। କାର୍ଯ୍ୟକ୍ରମରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ଅଧିକାରୀମାନେ ଯୋଗ ଦେଇଥିଲେ। ଆମେରିକାର କଂଗ୍ରେସମ୍ୟାନ୍ ଆଡାମ ସ୍ମିଥ୍, ୱାଶିଂଟନ୍ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡେବ୍ରା ଷ୍ଟିଫେନ୍ସ ଏବଂ ସିଆଟେଲ ପୋର୍ଟ କମିଶନର ସାମ୍ ଚୋ ସାମିଲ ଥିଲେ।
ଲୁମେନ୍ ଷ୍ଟାଡିୟମ୍, ଟି-ମୋବାଇଲ୍ ଷ୍ଟାଡିୟମ୍, ୱେଷ୍ଟିନ୍ ଏବଂ ସିଆଟେଲ୍ ଗ୍ରେଟ୍ ହ୍ୱିଲ୍ ସମେତ ସିଆଟେଲ୍ ର ଅନେକ ପ୍ରମୁଖ କୋଠା ଭାରତର ତ୍ରିରଙ୍ଗାରେ ଆଲୋକିତ ହୋଇଥିଲା। ଟାକୋମାରେ, ଟାକୋମା ଡୋମ୍, ସିଟି ହଲ୍ ଏବଂ ପୋଲିସ ଏବଂ ଅଗ୍ନିଶମ ବିଭାଗ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା।