୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୭.୮ ପ୍ରତିଶତ
ସମଗ୍ର ବିଶ୍ୱକୁ ବିଚଳିତ କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ, ବାସ୍ତବରେ ଭାରତର ଜିଡିପିକୁ ଆଦୌ ବିଚଳିତ କରିପାରି ନଥିବା ସ୍ପଷ୍ଟ ହୋଇଛି । କାରଣ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର ଜିଡିପି ସମସ୍ତ ଆକଳନକୁ ଅତିକ୍ରମ କରି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛି। ଯଦି ସରକାରୀ ତଥ୍ୟକୁ ବିଶ୍ୱାସ କରାଯାଏ, ତେବେ ଭାରତର ଅଭିବୃଦ୍ଧି ହାର ବିଗତ ୫ଟି ତ୍ରୈମାସିକ ଜିଡିପି ଠାରୁ ଅଧିକ ଥିବା ପରି ମନେ ହେଉଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ ତ୍ରୈମାସିକରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ଥିଲା। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, କୃଷି କ୍ଷେତ୍ରର ଭଲ ପ୍ରଦର୍ଶନ ଯୋଗୁଁ ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ହାର ବୃଦ୍ଧି ପାଇଛି। ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ଉଭା ହୋଇଛି, କାରଣ ଏପ୍ରିଲ-ଜୁନ୍ ମାସରେ ଚୀନର ଜିଡିପି ଅଭିବୃଦ୍ଧି ୫.୨ ପ୍ରତିଶତ ଥିଲା।
ତଥ୍ୟ ଅନୁଯାୟୀ, ଏହା ପୂର୍ବରୁ ସର୍ବାଧିକ ଜିଡିପି ଅଭିବୃଦ୍ଧି ୨୦୨୪ ଜାନୁଆରୀ-ମାର୍ଚ୍ଚ ମାସରେ ୮୮.୪ ପ୍ରତିଶତ ଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ରୁ ମିଳିଥିବା ତଥ୍ୟ ଅନୁଯାୟୀ, କୃଷି କ୍ଷେତ୍ର ୩.୭ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି, ଯାହା ୨୦୨୪-୨୫ ଏପ୍ରିଲ-ଜୁନ୍ ତ୍ରୈମାସିକରେ ୧.୫ ପ୍ରତିଶତ ଥିଲା। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ସାମାନ୍ୟ ବୃଦ୍ଧି ପାଇ ୭.୭ ପ୍ରତିଶତ ହୋଇଛି, ଯାହା ଗତ ବର୍ଷ ସମାନ ତ୍ରୈମାସିକରେ ୭.୬ ପ୍ରତିଶତ ଥିଲା।
ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ପ୍ରକୃତ ଜିଡିପି କିମ୍ବା ସ୍ଥିର ମୂଲ୍ୟରେ ଜିଡିପି ୪୭.୮୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୪୪.୪୨ ଲକ୍ଷ କୋଟି ଟଙ୍କା ଥିଲା, ଯାହା ୭.୮ ପ୍ରତିଶତ ଅଭିବୃଦ୍ଧି ହାର ପଞ୍ଜିକୃତ କରିଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି କିମ୍ବା ବର୍ତ୍ତମାନର ମୂଲ୍ୟରେ ଜିଡିପି ୮୬.୦୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୭୯.୦୮ ଲକ୍ଷ କୋଟି ଟଙ୍କା ଥିଲା, ଯାହା ୮.୮ ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି।
କେଉଁ କ୍ଷେତ୍ରରେ କେତେ ଅଭିବୃଦ୍ଧି ହୋଇଛି?
କୃଷି ଏବଂ ଖଣି ଶିଳ୍ପ ସମେତ ପ୍ରାଥମିକ କ୍ଷେତ୍ରଗୁଡ଼ିକରେ ବାର୍ଷିକ ଆଧାରରେ ୨.୮ ପ୍ରତିଶତ ଅଭିବୃଦ୍ଧି ଘଟିଛି, ଯାହା ୨୦୨୫ ଆର୍ଥିକ ବର୍ଷର ସମାନ ଅବଧିରେ ୨.୨% ଥିଲା।
୨୦୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ କୃଷି କ୍ଷେତ୍ର ବାର୍ଷିକ ଆଧାରରେ ୩.୭% ଅଭିବୃଦ୍ଧି ପାଇଛି। ୨୦୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଏହି କ୍ଷେତ୍ର ୧.୫% ଅଭିବୃଦ୍ଧି ପାଇଛି। ୨୦୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଖଣି କ୍ଷେତ୍ର ୩.୧% ହ୍ରାସ ପାଇଛି, ଯାହା ୨୦୨୫ ଆର୍ଥିକ ବର୍ଷର ୬.୬% ଥିଲା। ଏହା ବ୍ୟତୀତ, ଉତ୍ପାଦନ ଏବଂ ଶକ୍ତି ଶିଳ୍ପକୁ ନେଇ ଗଠିତ ଦ୍ୱିତୀୟ କ୍ଷେତ୍ର ବାର୍ଷିକ ଆଧାରରେ ୭ ପ୍ରତିଶତ ଅଭିବୃଦ୍ଧି ପଞ୍ଜୀକୃତ କରିଛି। ଗତ ଆର୍ଥିକ ବର୍ଷରେ ସମାନ ଅବଧିରେ ଭାରତର ଦ୍ୱିତୀୟ କ୍ଷେତ୍ର ଅଭିବୃଦ୍ଧି ହାର ୮.୬% ଥିଲା।
ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଉତ୍ପାଦନ କ୍ଷେତ୍ର ବାର୍ଷିକ ଆଧାରରେ ୭.୭ ପ୍ରତିଶତ ଅଭିବୃଦ୍ଧି ପାଇଛି। ୨୦୨୫ ଆର୍ଥିକ ବର୍ଷରେ ଉତ୍ପାଦନ ଶିଳ୍ପ ୭.୬ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି।
ତୃତୀୟ କ୍ଷେତ୍ର ବାର୍ଷିକ ଆଧାରରେ ୯.୩ ପ୍ରତିଶତ ଅଭିବୃଦ୍ଧି ପାଇଛି। ୨୦୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ପ୍ରସାରଣ ସମ୍ବନ୍ଧୀୟ ସେବା ବାର୍ଷିକ ଆଧାରରେ ୮.୬ ପ୍ରତିଶତ ଅଭିବୃଦ୍ଧି ପାଇଛି, ଯାହା ୨୦୨୫ ଆର୍ଥିକ ବର୍ଷରେ ୫.୪% ଥିଲା।
ଏହି ସମୟରେ, ଜୁନ୍ ତ୍ରୈମାସିକରେ ଆର୍ଥିକ, ରିଅଲ୍ ଇଷ୍ଟେଟ୍ ଏବଂ ବୃତ୍ତିଗତ ସେବା କ୍ଷେତ୍ରରେ ୯.୫ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି, ଯାହା ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୬.୬ ପ୍ରତିଶତ ଥିଲା।
ସାଧାରଣ ପ୍ରଶାସନ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ୨୦୨୬ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକରେ ବାର୍ଷିକ ଆଧାରରେ ୯ .୮ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି, ଯାହା ୨୦୨୫ ଆର୍ଥିକ ବର୍ଷରେ ୯% ଥିଲା।