ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତଙ୍କ ଭାବନାପ୍ରବଣ ଅଭିଯୋଗ
ବଡଦାଣ୍ଡରେ ଖରାରେ ଭକ୍ତ, ଟଙ୍କା ଦେଲେ ସିଧା ଦର୍ଶନ? ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ପ୍ରଶ୍ନ
ଖରାରେ ଛିଡ଼ା ଗରିବ ଭକ୍ତ, VIP ଦର୍ଶନକୁ ନେଇ ଉଠିଲା ପ୍ରଶ୍ନ
ଜଗା… ଜଗା… ଏ ଜଗା… ତତେ ଶୁଭୁଛି ନା ନାଇଁ… ଶ୍ରୀ ମନ୍ଦିରକୁ ଡାକିଲୁ l ହେଲେ ବଡ଼ ଦାଣ୍ଡରେ ଘଣ୍ଟା ଘଣ୍ଟା କରି ଛିଡ଼ା କରୁଛୁ l କହିଲୁ, ଏଇଟା କେମିତି ତୋର ମୋ ପ୍ରତି ଭଲପାଇବା l ଜେଜେ ମା’ କହୁଥିଲା ତୁ କୁଆଡେ ତୋ ଭକ୍ତଙ୍କୁ ବାଛୁ l ତୋ ଭକ୍ତଟିଏ କିଏ ହେବା ପୂର୍ବରୁ ତୁ ତା’ର ସବୁକିଛି ହୋଇଯାଉ l ତୋ ଭକ୍ତ ପାଇଁ ଯାହା ଠିକ୍ ତୁ ତାକୁ ଦେଇଦେଉ l ଆଉ ଯିଏ ତୋ ଭକ୍ତ ପାଇଁ ଠିକ୍ ନୁହେଁ ତୁ ତାକୁ ତା’ ଠାରୁ ଦୂରେଇ ଦେଉ l ଆଚ୍ଛା ଜଗାରେ ତୁ କହିଲୁ, ମୋ ପରି ତୁ ଯଦି ଲକ୍ଷ ଲକ୍ଷ ଭକ୍ତଙ୍କୁ ବଛିଛୁ l ତା’ ହେଲେ ତାଙ୍କୁ ଏ ଧୁଧୁ ଖରାଟାରେ ତୋ ବଡ଼ଦାଣ୍ଡରେ କଇଁ ଛିଡ଼ା କରିଛୁ l ଏଠି ତୋର କିଛି ପଣ୍ଡାଙ୍କୁ ଦେଖୁଛୁଟି, ବଡ଼ବଡ଼ିଆ ଭକ୍ତଙ୍କ ଠାରୁ ଟଙ୍କା ନେଇ ତୋ ଦର୍ଶନ କରାଉଛନ୍ତି l ଆଉ ବିଚରା ଗରିବ ମଣିଷଟା ଏଠି ଖରାରେ ସିଝୁଛି l
ଏଇ ଶୁଣୁଛୁ… ତୁ ତ ଏ ଜଗତଟାର ମୂରବୀ l ତତେ ନପଚାରିଲେ ନା କିଛି ହୁଏ l ନା ତୋ ବିନା ଅନୁମତିରେ କିଏ କିଛି କରିପାରେ l ହେଲେ ତୋ ଶ୍ରୀମନ୍ଦିର କଥା ତୁ ସବୁ ଜାଣିଛୁ ନା କିଛି ଜାଣିପାରୁନୁ l ତୋ କାନରେ ପଡୁଛି ନା ନାଇଁ l ଯଦି ତୁ ଶୁଣିନୁ, ହଉ ଶୁଣେ l ଏଠି ତୋ ଅବଢ଼ା ଟିକେ ଖାଇବାକୁ ଗରିବ ଭକ୍ତଟିଏ କଷ୍ଟ ପାଉଛି l କାହିଁ କେତେ ଦରରେ ଅବଢ଼ା ବିକ୍ରି ହେଉଛି l ଆଉ ତୋ ଦର୍ଶନ ଟିକେ ପାଇବାକୁ ତୋ ପଣ୍ଡାଠୁ ପୋଲିସ ବଡ଼ ବାଡ଼ିଆଙ୍କ ଠାରୁ ଟଙ୍କା ନେଇ ତତେ ଭେଟ କରାଉଛନ୍ତି l ମୁଁ ଜମା ବି ମିଛ କହୁନି l ଖାଲି କ’ଣ ଏତିକି, କେତେବେଳେ ତୋ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଲାନି l ତ ପୁଣି କେତବେଳେ ତୋ ଗାରଦ ଘରୁ ମୋଦକ ଚୋରି ହେଲାଣି l ଆଉ ତୋ ରଥ ଯାତ୍ରାରେ ଯାହା ତ ହେଲା ପୂରା ଦୁନିଆ ଦେଖିଲା l ଦଳାଚକଟାରେ ଭକ୍ତଙ୍କ ଜୀବନ ଗଲା l କ’ଣ ଅବା କହିବି ତତେ ଯେତେ କହିଲେ ସରିବନି l କି ଏତେ ଅଭିଯୋଗ ତୋ ଶ୍ରୀମନ୍ଦିରର ଅବ୍ୟବସ୍ଥାକୁ ନେଇ ତୁ ଶୁଣିପାରିବୁନି l
ତୋ ମନ୍ଦିର ଭିତରେ ଡାଲଡା ଘିଅ ଡବା ବାହାରିବା କଥା ଜାଣିଛୁ ନା ନାହିଁ ? ତୋ ଜମି ଉପରେ କିଛି ଅସାଧୁ ଲୋକଙ୍କ ନଜର ପଡିଲାନି ଜାଣିଛୁ ନା ନାହିଁ ? ଆଉ ତୋ ନାଁରେ ପୂର୍ବ ସରକାର ଭିକ ମାଗିଥିଲା ଜାଣିଛୁ ନା ଜାଣିନୁ… କ’ଣ କହିବିରେ ତତେ l ରଥ ଯାତ୍ରା ହେଲା ବଡ଼ ବଡ଼ ମଣିବା ରତ୍ନସିଂହାସନରୁ ସୁରୁଖୁରୁରେ ଓହ୍ଲାଇଲେ l ବାଇଶି ପାହାଚରେ ଖୁସିରେ ଖୁସିରେ ଭକ୍ତଙ୍କୁ ଦେଖି ଦେଖି ହସି ହସି ଆସୁଥିଲେ l ହେଲେ ରଥ ଉପରେ ଅଘଟଣ ଘଟିଲା l ଜଗାରେ କାହିଁକି ଏ ସବୁ ଅବ୍ୟବସ୍ଥା ଘଟୁଛି ? କ’ଣ ପାଇଁ ତୁ ଥାଉ ଥାଉ କୋଟି କୋଟି ଭକ୍ତଙ୍କ ମନରେ ଆଘାତ ଲାଗୁଛି l ଭଲ ଲଗୁନିରେ ଏ ସବୁ l ଜମା ଭଲ ଲାଗୁନି l ତୁ ଟିକେ କଠୋର ହୋଇଯା’ନ୍ତୁନି l ସବୁ ଦୋଷର ଶାସ୍ତି ସାଙ୍ଗେ ସାଙ୍ଗେ ଦେଇଦିଅନ୍ତୁନି l ହଉ ଯାହା ତୋ ଇଚ୍ଛା l ଛୋଟିଆ ଭକ୍ତାଟିଏ ମୁଁ ତୋର l ମନ କଥା ଗୁଡ଼ାକ କହିଗଲି l ଯଦି କିଛି ଭୁଲ କହି ଦେଇଥାଏ ତା’ହେଲେ ଏ ଅଧମଟାକୁ ତୁ କ୍ଷମା କରିଦେବୁ l ଜୟ ଶ୍ରୀ ଜଗନ୍ନାଥ l