ଉତ୍ତରାଖଣ୍ଡ ପରେ ଜାମ୍ମୁ କାଶ୍ମୀରରେ ପ୍ରକୃତିର ପ୍ରକୋପ । ମୁଷଳଧାରା ବର୍ଷା ପରେ ପାହାଡ ଉପରୁ ସୁନାମି ଭଳି ପାଣି ମାଡି ଆସି ଧୋଇନେଇଗଲା ପୁଣି ଏକ ଗାଁ । ଭାସିଗଲା କିସ୍ତୱାର ଜିଲ୍ଲାର ପଦ୍ଦାର ତାଶୋଟି ଅଞ୍ଚଳରେ ଥିବା ଏକ ଲଙ୍ଗର (ସମ୍ପ୍ରଦାୟ ରୋଷେଇ ଘର) ଶେଡ୍। ଏହି ଘଟଣାରେ ଅତି କମରେ 38 ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଆଜି ଦିନ ଦୁଇଟା ପାଖାପାଖି କିଏ ଖାଉଥିଲା, କିଏ ଖୁଆଉଥିଲା, ଠିକ ଏହି ସମୟରେ ପାହାଡ଼ ଉପରେ ହୋଇଥିଲା ବାଦଲଫଟା ବର୍ଷା । ଲୋକେ ନିଜ କାମରେ ବ୍ୟସ୍ତ ଥିବା ବେଳେ ପାହାଡ ଉପରୁ ମାଡି ଆସିଲା ସୁନାମି ଭଳି ପାଣି । ସମୁଖରେ ଯାହା ପଡିଲା ନିଜ ସାଥିରେ ଭସାଇ ନେଲା । କିଏ କେତେ ଜୀବନ ବଞ୍ଚିବାର ପ୍ରୟାସ କରି ହରି ଗଲେ । କେତେ କାହାକୁ କିଛି ବୁଝିବାକୁ ବି ସମୟ ଦେଇ ନଥିଲା ପାହାଡ଼ ଉପରୁ ମାଡି ଆସିଥିବା ଏ ବିପର୍ଯ୍ୟୟ । ପଙ୍କ କାଦୁଆରେ ପୋତି ହୋଇପଡିଛି ଅଧା ଗାଁ । ଘଟଣା ସ୍ଥଳରେ ଥିଲେ ପ୍ରାୟ 1200 ଲୋକ ।
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଦୁଃଖଦ ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ପ୍ରଭାବିତ ପରିବାରକୁ ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏନଡିଆରଏଫ ପକ୍ଷରୁ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି। ସେପଟେ ଉଦ୍ଧାର କାର୍ଯ୍ୟ ରେ ବାଧା ସାଜିଛି ପାଣିପାଗ। ଆଗାମୀ 4-6 ଘଣ୍ଟା ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି, ବିଜୁଳି ଏବଂ ଝଡ଼ ପବନ ହେବ ବୋଲି ପାଣିପାଗକେନ୍ଦ୍ର ଶ୍ରୀନଗର ସତର୍କତା ଜାରି କରିଛି ଯାହା। ଜାମ୍ମୁ କାଶ୍ମୀର ଏଲଜି ମନୋଜ ସିହ୍ନା ସେନା ଏବଂ ଏନଡିଆରଏଫ ଅଧିକାରୀମାନଙ୍କୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ସ୍ଥିତି ସମ୍ବନ୍ଧରେ ଆଲୋଚନା କରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।