ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ରାଜ୍ୟ ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଶିକ୍ଷା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠତା ଅର୍ଜନ କରି ପ୍ରଥମ ସ୍ଥାନରେ ଥିବା ଝାରସୁଗୁଡା ଜିଲ୍ଲାକୁ ୩ କୋଟି ଟଙ୍କା, ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାକୁ ୨ କୋଟି ଟଙ୍କା ଏବଂ ତୃତୀୟ ସ୍ଥାନରେ ଥିବା ଜଗତସିଂହପୁର ଜିଲ୍ଲାକୁ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ସେହିଭଳି ୭୦ ଜଣ ଶିକ୍ଷକଙ୍କ ସମେତ ତିନୋଟି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ତିନି ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ୧୦ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି। ଏଥିସହିତ ନିଟ୍ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଅନୁସୂଚିତ ଜନଜାତି ବର୍ଗର ଦୁଇ ଜଣ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜାତୀୟ ଶିକ୍ଷା ନୀତି ଉପରେ ଆଧାରିତ Odisha Curriculum Framework for School Education -2025 ପୁସ୍ତକ, ନିପୁଣ ଓଡିଶା ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କଫି ଟେବୁଲ ବୁକ୍ ଉନ୍ମୋଚନ କରିବା ସହିତ ପଢିବା, ଗଢିବା ଓଡିଶା ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାନ ରାଷ୍ଟ୍ରନୀତିଜ୍ଞ, ଆଦର୍ଶ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଡଃ ରାଧାକ୍ରଷ୍ଣନ ପ୍ରତ୍ୟେକ ବିଦ୍ୟାର୍ଥୀ ତଥା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ହେଉଛନ୍ତି ଆଦର୍ଶ। ସେ କେବଳ ଜଣେ ବିଶିଷ୍ଟ ଶିକ୍ଷାବିତ, ଦାର୍ଶନିକ କିମ୍ବା ରାଷ୍ଟ୍ରନୀତିଜ୍ଞ ନଥିଲେ, ସେ ଥିଲେ ଭାରତବର୍ଷର ଜଣେ ଶ୍ରେଷ୍ଠ ଗୁରୁ। ଏଥିସହ ପିଲା ମାନଙ୍କୁ ନିଜ ଇଛାରେ ଉଡିବାକୁ ଦିଅନ୍ତୁ, ସ୍ୱପ୍ନ ଦେଖିବାକୁ ସୁଯୋଗ ଦିଅନ୍ତୁ ଏବଂ ସ୍ୱପ୍ନକୁ ପୂରଣ କରିବା ପାଇଁ ଜଣେ ଜଣେ ମେଣ୍ଟର ଭାବେ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କହିଥିଲେ ଆମ ସମାଜରେ ଗୁରୁ ଶିଷ୍ୟର ପରମ୍ପରା ଆଦିମ କାଳରୁ ରହିଆସିଛି। ଶିକ୍ଷକ ମାନେ ବିଦ୍ୟାର୍ଥୀ ମାନଙ୍କୁ ବ୍ୟକ୍ତିତ୍ଵ ନିର୍ମାଣ, ଶୃଙ୍ଖଳା, ଆଦର୍ଶ ସମାଜ ନିର୍ମାଣ ଆଦି ବିଷୟରେ ଶିକ୍ଷା ଦେଇ ସେମାନଙ୍କୁ ଗଢି ତୋଳିଥାନ୍ତି। ରାଜ୍ୟରେ ସର୍ବୋତ୍ତମ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଆମ ସରକାର ପ୍ରଚେଷ୍ଟା କରୁଛନ୍ତି। ଜୀବନ କୌଶଳ, AI, ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କରାଯାଉଛି ଯାହାଫଳରେ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ ପାଠପଢ଼ା ଶେଷ କରିବା ପରେ ଆତ୍ମନିର୍ଭର ହୋଇପାରିବେ। ରାଜ୍ୟରେ ଡ୍ରପ ଆଉଟ୍ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଚାଇଲ୍ଡ ଟ୍ରାକିଂ ସର୍ଭେ ମାଧ୍ୟମରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରେଇ ଆଣିବା ପାଇଁ ଉଦ୍ୟମ କରାଯାଉଛି ଯାହା ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି। ଶିକ୍ଷା ବିଭାଗର ବଜେଟ୍ରେ ସର୍ବାଧିକ ୩୧ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି।