ରାମାୟଣ ଯୁଗର କିମ୍ବଦନ୍ତୀ ଅନୁସାରେ ପାଷାଣ ରୂପ ଧାରଣ କରିଥିଲେ ମା’ ତାରିଣୀ
– ମା’ ତାରିଣୀ ପାଷାଣ ହେବା ପଛରେ ଥିଲା ପ୍ରଭୁ ଶ୍ରାରୀ ମଙ୍କ ସର୍ତ୍ତ !
– ରାମାୟଣର ଅଦ୍ଭୁତ କାହାଣୀ
ଓଡ଼ିଶାର ଆସ୍ଥାର ପ୍ରତୀକ ମା’ତାରିଣୀଙ୍କ ସମ୍ବନ୍ଧରେ ଏକ ଅଦ୍ଭୁତ ପୌରାଣିକ କିମ୍ବଦନ୍ତୀ ରହିଛି।
କୁହାଯାଏ ଯେ ପ୍ରଭୁ ଶ୍ରୀ ରାମ ଓ ମାତା ସୀତାଙ୍କ ବନବାସ ସମୟରେ ଘଟିଥିବା ଏକ ଦିବ୍ୟ ଘଟଣାରୁ ମା’ ତାରିଣୀ ପାଷାଣ ରୂପ ଧାରଣ କରିଥିଲେ।
ମା’ତାରିଣୀଙ୍କର ମୂର୍ତ୍ତିରେ ଆବିର୍ଭାବ ସମ୍ବନ୍ଧରେ ଏକ କିମ୍ବଦନ୍ତୀ ରହିଛି। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଙ୍କର ବନବାସ ସମୟରେ ଦୁଷ୍ଟ ରାକ୍ଷସ ରାବଣଦ୍ୱାରା ସୀତାଙ୍କୁ ହରଣ କରି ନେଇଯିବା ପରେ ରାମ, ଲକ୍ଷ୍ମଣ ଶୋକାତୁର ହୋଇ ସର୍ବଶକ୍ତିମୟୀ ମାଆ ଦୁର୍ଗାଙ୍କୁ ଆରାଧନା କରିଥିଲେ। ପୂଜାରେ ସନ୍ତୁଷ୍ଟ ହୋଇ ଦେବୀ ଶୂନ୍ୟବାଣୀ କରିଥିଲେ- ‘ବତ୍ସ’ । ମୁଁ ତୁମ ସମ୍ମୁଖରେ ସଙ୍କଟ ହାରିଣୀ ତାରିଣୀ ରୂପେ ଆବିର୍ଭୂତ ହେବି। ମାତ୍ର ତୁମେ ଯଦି ମୋତେ ଦେଖିବାକୁ ପ୍ରୟାସ କରିବ ତେବେ ମୁଁ ପାଷାଣରେ ପରିଣତ ହେବି। ଦେବୀଙ୍କ ଅଭୟ ବାଣୀ ପାଇ ଶ୍ରୀରାମ ଓ ଲକ୍ଷ୍ମଣ ପୂଜାରେ ଧ୍ୟାନମଗ୍ନ ହେଲେ। ଦେବୀଙ୍କ ଉପସ୍ଥିତିକୁ ଅନୁଭବ କରି ପ୍ରଭୁ ଶ୍ରୀରାମଚନ୍ଦ୍ର ଚରଣ ସ୍ପର୍ଶ କରିବା ଉଦ୍ଦେଶ୍ୟରେ ମାତାଙ୍କ ପାଦ ସ୍ପର୍ଶ କରିବା ସମୟରେ ଅଜ୍ଞାତରେ ତାଙ୍କର ଚକ୍ଷୁ ଖୋଲି ଯାଇଥିଲା। ଦେବୀଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିଥିଲେ ରାମଚନ୍ଦ୍ର । ଦେବୀ ସ୍ମିତହାସ୍ୟ ପୂର୍ବକ ସମସ୍ତ ସଙ୍କଟ ହରଣ କରିବାର ଅଭୟ ପ୍ରତିଶ୍ରୁତି ଦେଇ ପୂର୍ବ ସର୍ତ୍ତ ଅନୁସାରେ ପାଷାଣରେ ପରିଣତ ହୋଇଯାଇଥିଲେ । ସେହିଦିନରୁ ମାଆ ଦୁର୍ଗା, ମାଆ ତାରିଣୀ ନାମରେ ସାର୍ବଜନ ବିଦିତା।