ବିଶ୍ବର ଦୁଇ ପ୍ରମୁଖ ତଥା ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିତ ସମ୍ବନ୍ଧରେ ଉନ୍ନତି ନେଇ ଦୁଇ ବିଶ୍ବ ନେତାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା ହେବା ଅବସରରେ ଏ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ବୈଶ୍ବିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଦିଗରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଦୁଇ ନେତା ନିଜର ପ୍ରତିଶ୍ରୁତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଥିଲେ। ଉଭୟ ଦେଶ ଏକ ବିଶ୍ବାସନୀୟ ସହଯୋଗୀତାକୁ ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ଟ୍ରମ୍ପ ଓ ମୋଦୀ ଦୋହରାଇଛନ୍ତି। ତେବେ ଟ୍ରମ୍ପ ଭାରତକୁ ଏକ ଚମତ୍କାର ରାଷ୍ଟ୍ର ଦର୍ଶାଇବା ସହିତ ଉଭୟ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବାସ୍ତବ ବନ୍ଧୁ ବୋଲି ଦର୍ଶାଇଛନ୍ତି।
ଉଲ୍ଲେଖ ଯେ ୨୦୨୪ ନଭେମ୍ବର ୭ରେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇଥିଲେ। ଗତ ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ବିଶ୍ବର ବହୁ ବିଶିଷ୍ଟ ବ୍ୟକ୍ତି, ପୂର୍ବତନ ରାଷ୍ଟ୍ରପତି ଏବଂ ପ୍ରମୁଖ ଉଦ୍ୟୋଗପତି ଯୋଗ ଦେଇଥିଲେ। ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନ ଥିଲେ ମଧ୍ୟ ନିଜର ସ୍ବତନ୍ତ୍ର ଅଭିନନ୍ଦନ ବାର୍ତ୍ତାରେ ଟ୍ରମ୍ପଙ୍କୁ ‘ପ୍ରିୟ ବନ୍ଧୁ’ ବୋଲି ସମ୍ବୋଧନ କରିବା ସହିତ ଦିଲ୍ଲୀ ଓ ଓ୍ବାଶିଂଟନ ମିଳିତ ଭାବେ ଜନହିତୈଶୀ କାର୍ଯ୍ୟ କରିବେ ବୋଲି କହିଥିଲେ। ମୋଦୀଙ୍କର ଏହି ବାର୍ତ୍ତା ନେଇ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଟ୍ରମ୍ପଙ୍କ ଶପଥଗ୍ରହଣ ସମାରୋହରେ ଭାରତ ସରକାରଙ୍କ ପ୍ରତିନିଧିତ୍ବ କରିଥିଲେ।