ରାଜ୍ୟରେ ପୁଣିଥରେ ନିର୍ବାଚନୀ ପାଣିପାଗ ସରଗରମ ହେବାକୁ ଯାଉଛି। ଓଡ଼ିଶାରେ ନୂତନ ଭାବେ ଗଠିତ ହୋଇଥିବା ୨୪ଟି ପୌର ସଂସ୍ଥାରେ ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଏହି ସୂଚନା ଦେଇଛନ୍ତି।
୬ ମାସ ଭିତରେ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ
ରାଜ୍ୟ ସରକାର ଗତ ଡିସେମ୍ବର ୩୧ ତାରିଖରେ ୨୪ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ (NAC) ଏବଂ ପୌରପାଳିକା ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଇନ ଅନୁଯାୟୀ, କୌଣସି ନୂଆ ପୌର ସଂସ୍ଥା ଗଠନ ହେବାର ୬ ମାସ ମଧ୍ୟରେ ସେଠାରେ ନିର୍ବାଚନ କରାଇବା ବାଧ୍ୟତାମୂଳକ। ସେହି ହିସାବରେ ଜୁନ୍ ଶେଷ ସୁଦ୍ଧା ନିର୍ବାଚନ ଶେଷ କରି ଫଳାଫଳ ପ୍ରକାଶ କରିବା ସହ ନୂଆ କାଉନସିଲ୍ର ପ୍ରଥମ ବୈଠକ ବସିବା ଜରୁରୀ।