ଷ୍ଟକ ମାର୍କେଟରେ ଦୁରଦାର ତଳକୁ ଖସୁଛି ଅଂଶଦନ
ଅନଲାଇନ ଗେମିଂ ଆପ୍ ଶିଳ୍ପ
ଆସିଲା ଅନଲାଇନ ଗେମିଂ ଆପ୍ ଶିଳ୍ପର ଖରାପ ଦିନ
କିଛି ଦିନ ପୂର୍ବେ ଜବ୍ ଛାଡି ଥିବା ପ୍ରିୟାକୁ ତାର ଜଣେ ବାନ୍ଧବୀ ହଠାତ ଫୋନ କରନ୍ତି ଏବଂ ଏକ ଅନଲାଇନ ଆପ୍ ବିଷୟରେ କୁହନ୍ତି । ରୋଜଗାର ବନ୍ଦ ଥିବାରୁ ଖାଲି ଖାଲି ଅନୁଭବ କରୁଥିବା ପ୍ରିୟା, ଏହି ଆପ୍କୁ ବିଶ୍ବାସ କରିବାକୁ ଚାହୁଁ ନ ଥିଲେ ମଧ୍ୟ କିଛି କ୍ଷଣ ପାଇଁ ବିଚାର କରେ । ବାନ୍ଧବୀଙ୍କ ଉପରେ ଅତୁଟ ବିଶ୍ବାସ କାରଣରୁ ପ୍ରିୟା ସେହି ଆପରେ ଟଙ୍କା ଡିପୋଜିଟ କରି ଆକାଉଣ୍ଟ ଖୋଲେ । ଚାହୁଁ ଚାହୁଁ ସେ ଡିପୋଜିଟ କରିଥିବା ମୂଳଧନ ସହିତ, ଅତିରିକ୍ତ ୫୦୦୦ରୁ ଅଧିକ ଟଙ୍କା ଅର୍ଥାତ ପାଖାପାଖି ୧୧ ହଜାର ଟଙ୍କା ତା ଆକାଉଣ୍ଟକୁ ଆସିଯାଏ । ପ୍ରିୟା ଖୁସ, ତା ବାନ୍ଧବୀ ମଧ୍ୟ ଖୁସ୍ । କିନ୍ତୁ ଏ ଖୁସି ଦୁଇ ଦିନ ବି ତିଷ୍ଠେ ନାହିଁ । କାରଣ ଏହି ଆପରେ ଟଙ୍କା ଉଠାଣର ପାଳିରେ ଆକାଉଣ୍ଟ ଖୋଲିବା ବେଳକୁ ତାହା ’ଡିଆକ୍ଟିଭେଟ’ ଦେଖାଏ । ଅତିରିକ୍ତ ଟଙ୍କା ଡିପୋଜିଟ କଲେ ଆକାଉଣ୍ଟ ସକ୍ରିୟ ରହିବ ବୋଲି ଦର୍ଶାଏ । ପ୍ରିୟା, ତା ବାନ୍ଧବୀ ଏବଂ ସେମାନଙ୍କ ପରି ଅନେକ ଏହି ଆପ୍ ଜରିଆରେ ଟଙ୍କା ଲଗାଇ ଠକି ହୋଇଯାଆନ୍ତି । ଖାଲି ଏମାନେ ନୁହନ୍ତି, ଏମାନଙ୍କ ଭଳି ଅନେକ ଲୋକ ଅନଲାଇନ୍ ଗେମିଂ ଆପ୍ ରେ ଯଙ୍କା ଲଗାଇ ଠକି ହୋଇଯାଇଛନ୍ତି । କିଛି ଲୋକ ଏମିତି ଫସି ଯାଇଛନ୍ତି ଯେ, ଶେଷରେ ସେମାନେ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଇଛନ୍ତି ।
ହେଲେ ଆଉ ନୁହେଁ, ଏଣିକି ଅନଲାଇନ୍ ଗେମିଂ ଆପ୍ଗୁଡିକ ଉପରେ ଲାଗିବ ଅଙ୍କୁଶ । ଆସିଲା ଅନଲାଇନ୍ ଗେମିଂ ଆପ୍ଗୁଡିକର କାଳ । ଆରମ୍ଭରୁ ହିଁ ଅନଲାଇନ୍ ଗେମିଂ ଶିଳ୍ପ ଉପରେ ଚଡ଼କ ପକାଇଲାଣି ଅନଲାଇନ୍ ଗେମିଂ ବିଲ୍ 2025। ଲୋକସଭାରେ ଏହି ବିଲ୍ ପାରିତ ହେବା ପରଠାରୁ, ପ୍ରମାଦ ଗଣିବା ଆରମ୍ଭ କଲେଣି ଅନଲାଇନ ଆପ୍ ଗୁଡିକ । କାରଣ ପ୍ରଥମ ଦିନରେ ହିଁ ଏହି ଭଳି ଅପ୍ ସହିତ ଜଡିତ କମ୍ପାନୀଗୁଡ଼ିକର ସେୟାର ଷ୍ଟକ ମାର୍କେଟରେ ଦୁରଦାର୍ ତଳକୁ ଖସିଛି । ସବୁଠାରୁ ବଡ଼ କ୍ଷତି ସହିଛି ନାଜାରା ଟେକର ସେୟାର । ବୁଧବାର ଏହାର ମୂଲ୍ୟ (ନାଜାରା ସେୟାର ମୂଲ୍ୟ) 1397 ଟଙ୍କାରୁ ହ୍ରାସ ପାଇ 1220 ଟଙ୍କାକୁ ଖସି ଆସିଛି। ଗେମିଂ ଷ୍ଟକ୍ 12 ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଯାହାକି ଦ୍ରୁତ ବେଗରେ ବୃଦ୍ଧି ପାଇଥିବା ଏହି ଅନଲାଇନ ଗେମିଂ ଆପ୍ ଶିଳ୍ପର ସବୁଠୁ ଖରାପ ଦିନ ବୋଲି କୁହାଯାଉଛି । ଗୁରୁବାର ମଧ୍ୟ, ଏହି ଷ୍ଟକ୍ 1178 ଟଙ୍କାରେ ଖୋଲିବାର କିଛି ସମୟ ପରେ ନାଜାରା ସେୟାରର ମୂଲ୍ୟ ମୁହୂର୍ତ୍ତକରେ 1085 ଟଙ୍କାକୁ ଖସି ଆସିଥିଲା। ମାତ୍ର ଦୁଇଟି ବ୍ୟବସାୟିକ ଦିନରେ, ସେୟାର ମୂଲ୍ୟ 22 ପ୍ରତିଶତ ହ୍ରାସ ପାଇଛି ଏବଂ ଏହା ସହିତ କମ୍ପାନୀର ବଜାର ପୁଞ୍ଜି (ନାଜାରା ମାର୍କେଟ୍ କ୍ୟାପ୍) ମଧ୍ୟ 10210 କୋଟି ଟଙ୍କାକୁ ହ୍ରାସ ପାଇଛି।
ସରକାର ଅନଲାଇନ୍ ଗେମିଂ ବିଲ୍ ଆଣିବା ପରେ, ବ୍ରୋକରେଜ୍ ଟାର୍ଗେଟ ସହିତ ରେଟିଂ ହ୍ରାସ କରିଛି। ICICI ସିକ୍ୟୁରିଟିଜ୍ କହିଛି ଯେ ଏହା ନାଜାରା ଟେକର ସେୟାରର ଟାର୍ଗେଟ ମୂଲ୍ୟ ପୂର୍ବ 1500 ଟଙ୍କାରୁ ପ୍ରାୟ 27 ପ୍ରତିଶତ ହ୍ରାସ କରି 1100 ଟଙ୍କା କରିଛି। ଅନଲାଇନ୍ ଗେମିଂ ବିଲ୍ କୁ ଦୃଷ୍ଟିରେ ରଖି ବ୍ରୋକରେଜ୍ ଏହି ନିଷ୍ପତ୍ତି ନେଇଛି। ଏହା ସହିତ, କମ୍ପାନୀ ନଜାରା ରେଟିଂକୁ ମଧ୍ୟ ପରିବର୍ତ୍ତନ କରିଛି । କମ୍ପାନୀ ଏହାର ନୋଟରେ କହିଛି ଯେ ଅନଲାଇନ୍ ଗେମିଂ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକସଭାରେ ଏକ ବିଲ୍ ପାସ୍ କରାଯାଇଛି, ଯାହା କାର୍ଯ୍ୟକାରୀ ହେବା ପରେ ଦେଶରେ ପ୍ରକୃତ ଟଙ୍କା ଅନଲାଇନ୍ ଗେମିଂ ବନ୍ଦ ହୋଇଯିବ। ICICI ସିକ୍ୟୁରିଟିଜ୍ କହିଛି ଯେ ଯଦିଓ ଏହି କ୍ଷେତ୍ରରେ ସକ୍ରିୟ ଅଧିକାଂଶ କମ୍ପାନୀ ତାଲିକାଭୁକ୍ତ ନୁହେଁ, ତଥାପି ନାଜାରା ଟେକ୍ନୋଲୋଜିସ୍ ମୁନସାଇନ୍ ଟେକ୍ନୋଲୋଜିରେ ଏକ ବଡ଼ ଅଂଶଧନ ରଖିଛି, ଯାହା ପୋକରବାଜି ପରିଚାଳନା କରେ। କମ୍ପାନୀ ମୁନସାଇନ୍ ର ମୂଲ୍ୟାଙ୍କନକୁ 400 ଟଙ୍କାରୁ 0 ଟଙ୍କାକୁ ହ୍ରାସ କରିଛି।