ରକ୍ତରେ ଭିଜିଲା ମାଟି, ପୋଲିସ ଗୁଳିରେ ଟଳିଲେ ଜେନ ଜେଡ । ହକର ଲଢେଇ ବେଳେ ଗୋଡେଇ ଗୋଡେଇ ଗୁଳି କଲା ପୋଲିସ । ଅସନ୍ତୋଷର ନିଆଁରେ ଜଳୁଛି ଆମ ପଡୋଶୀ ଦେଶ ନେପାଳ । ଟ୍ବିଟର ବ୍ୟାନ ପରେ ତାଣ୍ଡବ । ୨୬ ସୋଆସିଲ ମିଡ଼ିଆ ବ୍ୟାନକୁ ନେଇ ଯୁବଗୋଷ୍ଠୀ-ସରକାର ଆମନା ସାମନୀ । ମାତିଲେ ଜେନ୍ ଜେଡ, ତାତିଲେ ଓଲି ସରକାର । ’ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ !
ଯେତେବେଳେ ଯୁବଶକ୍ତି ଜାଗ୍ରତ ହୁଏ, ସେତେବେଳେ ସଂସଦର ଉଚ୍ଚା ଉଚ୍ଚା ପ୍ରାଚୀର ମଧ୍ୟ ଛୋଟ ପଡିଯାଏ । ଏ ଦୃଶ୍ୟ ସେହି ଅଦମ୍ୟ ଯୁବଶକ୍ତିର । ଯାହା ଆଜି ଆମ ପଡୋଶୀ ଦେଶ ନେପାଳରେ ଦେଖିବାକୁ ମିଳିଛି । ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିବା ଏ ଯୁବପିଢିଙ୍କୁ ନା ପୋଲିସ ବ୍ୟାରିକେଡ ଅଟକାଇ ପାରିଛି ନା ସଂସଦର ସୁଉଚ୍ଚ ପ୍ରାଚୀର । ସରକାରଙ୍କ ମନମାନୀ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ନେପାଳର ଜେନ ଜେଡ ।
ହିମାଳୟରୁ ଉଠିଛି ଯୁବଶକ୍ତିର ଏ ସ୍ବର । ହକ୍ର ଲଢେଇରେ ନେପାଳର ‘ଜେନ ଜେଡ’ । ୨୬ ସୋଆସିଲ ମିଡ଼ିଆ ବ୍ୟାନ ପରେ ତେଜିଛି ଆନ୍ଦୋଳନ । ଆନ୍ଦୋଳନର ନିଆଁରେ ଜଳୁଛି ଭାରତର ପଡୋଶୀ ଦେଶ । ରାଜରାସ୍ତାରେ ଘଟିଛି ଖଣ୍ଡ ଯୁଦ୍ଧ । ପୋଲିସ ସହ ସଂଘର୍ଷରେ ଶତାଧିକ ଆହତ । ଅଧୀକାରର ଏ ଲଢେଇ ନେଲାଣି ୧୯ ମୁଣ୍ଡ । । ‘ଜେନ ଜେଡ’ର ହୁଙ୍କାରରେ ଓଲି ସରକାର ଟଳମଳ ।
ସେପ୍ଟେମ୍ବର ୪ ତାରିଖରେ ଦେଶରେ ୨୬ଟି ସୋସିଆଲ ମିଡିଆ ଆକାଉଣ୍ଟକୁ କେପି ଶର୍ମା ଓଲିଙ୍କ ସରକାର ବ୍ୟାନ କରିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଥିଲା ଅଧା ନେପାଳ । ‘ଜେନ ଜେଡ ଆନ୍ଦୋଳନ’ରେ ଯୋଡି ହୋଇଛନ୍ତି ଅଧିକାଂଶ ଯୁବକ । ନେପାଳର ପତାକା, ‘ନେପାଳରେ ଜେନ ଜେଡ ଆନ୍ଦୋଳନ’ର ବ୍ୟାନର ଏବଂ ଜୟ ଦେଶ, ‘ଜୟ ରାଷ୍ଟ୍ର, ଜୟ ଯୁବ’ ଲେଖାଥିବା ପ୍ଲାକାର୍ଡ ଧରି ସରକାରଙ୍କ ବିରୁଦ୍ଧରେ ଏମାନେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଏହି ଆନ୍ଦୋଳନକୁ ମିଳିଛି ନେପାଳ କଳା କ୍ଷେତ୍ରର କିମ୍ବଦନ୍ତୀ ବ୍ୟକ୍ତିତ୍ୱମାନଙ୍କ ସମର୍ଥନ । ଅଭିନେତା ମଦନ କୃଷ୍ଣ ଶ୍ରେଷ୍ଠା, ହରିବଂଶ ଆଚାର୍ଯ୍ୟ, ଗାୟକ ପ୍ରକାଶ ସପୁତ, ଅଭିନେତା-ନିର୍ଦ୍ଦେଶକ ନିଶ୍ଚଳ ବାସନେତ, ଅଭିନେତା କେକି ଅଧିକାରୀ ଏବଂ ବର୍ଷା ରାଉତ ପ୍ରମୁଖ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ପ୍ରତିବାଦକୁ ସମର୍ଥନ କରିଛନ୍ତି। ଏମିତିକି ସାମ୍ବାଦିକମାନେ ମଧ୍ୟ ଏଥିରେ ସାମିଲ ହୋଇଥିବା କୁହାଯାଉଛି । ବାସ୍ତବରେ ଜେନ୍ ଜେଡ ହେଉଛନ୍ତି ୧୯୯୬ରୁ ୨୦୧୨ର ଟେକ୍ନୋଲୋଜି ଯୁକରେ ଜନ୍ମିତ ପିଲା, ଯେଉଁମାନେ ଏବେ ନିଜର ଯୁବାବସ୍ଥାରେ ଉପନୀତ । କଣ ରହିଛି ଏମାନଙ୍କ ଆଭିମୁଖ୍ୟ ଓ ଦାବି ଦେଖନ୍ତୁ,
ଆନ୍ଦୋଳନକାରୀ କହିଛନ୍ତି , ଜେନେରେସନ୍ ଜେଡ ପରିବର୍ତ୍ତନକୁ ବୁଝାଏ । ଜେନ-ଜେଡ ଦୁର୍ନୀତି ଏବଂ ପରିବାରବାଦ ବିରୁଦ୍ଧରେ । ଆଉ କୌଣସି ନେପୋ ବେବି ରହିବେ ନାହିଁ – ସମସ୍ତଙ୍କୁ ମିଳିବ ସମାନ ସୁଯୋଗ । ସୋସିଆଲ ମିଡିଆ ବ୍ୟାନ ଜେନ ଜେଡର ସ୍ବର ଦମନର ହୀନ ଚକ୍ରାନ୍ତ । ସରକାର ଦୁର୍ନୀତି ଓ ପରିବାରବାଦ ଛାଡନ୍ତୁ । ସମସ୍ତଙ୍କ ପାଇଁ ନ୍ୟାୟ, ସମାନତା ଏବଂ ସ୍ୱଚ୍ଛତା ଦବି କରିଛନ୍ତି ଏହି ଜେନ-ଜେଡ ।
ତେବେ ପ୍ରଶ୍ନ ଉଠୁଛି ଯେ କାହିଁକି ଏକକାଳୀନ ୨୬ ସୋସିଆଲ ମିଡିଆକୁ ବ୍ୟାନ କଲେ ଓଲି ସରକାର ।
ଓଲି ସରକାରଙ୍କ ଯୁକ୍ତି ଅନୁସାରେ, ନିଷିଦ୍ଧ ସାଇଟଗୁଡ଼ିକ ସମୟ ସୀମା ମଧ୍ୟରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ପଞ୍ଜୀକରଣ କରିନଥିଲେ, ଯାହା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ଓଲି ସରକାର ପାଇଁ ଏହି ବ୍ୟାନ ପାଲଟିଛି ବୁମେରାଂ । ତାତିଲେ ଜେନ ଜେଡ, ନା ପୋଲିସର ପ୍ରହରାକୁ ମାନିଲେ ନା କଟକଣାକୁ । ସରକାର ଦୁର୍ନତିଗ୍ରସ୍ତ କହି ସଂସଦରେ ପଶିଲେ, ଭଙ୍ଗାରୁଜା କଲେ । ସ୍ଥିତି ଅଣାୟତ ହେବାରୁ ଗୁଳି ମାଡ଼ କରିଥିଲା ପୋଲିସ । ଏଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଅଧିକ ଆହତ ହୋଇଛନ୍ତି ।
ରିଲ୍ସ, ସଟର୍ସ, ବ୍ଲଗ୍ । ବେରୋଜଗାରମାନଙ୍କୁ ରୋଜଗାରର ଏକ ମୁକ୍ତ ପ୍ଲାଟ ଫର୍ମ ଯୋଗାଇଛି ସୋସିଆଲ ମିଡିଆ । ଫେସବୁକ, ଇନଷ୍ଟା, ୟୁଟ୍ୟୁବ, ହ୍ବାଟସଆପ, ରିଲ୍ସ, ସଟର୍ସ, ବ୍ଲଗ୍ ଓ ଭିଡିଓ ପୋଷ୍ଟ କରି କୋଟିପତି ହୋଇଛନ୍ତି ଅନେକ ବେରୋଗଜାର । ଡିଗ୍ରୀ ଧାରୀଙ୍କ ଠାରୁ ଆରମ୍ଭ କରି ଗାଁଗହଳିର ଅପାଠୁଆ, ସଭିଙ୍କୁ ବେରୋଜଗାରୀ ବ୍ୟାଧିରୁ ମୁକ୍ତ କରିଛି ସୋସିଆଲ ମିଡିଆ। ଏମିତିରେ ନେପାଳ ସରକାରନିଜ ଦେଶରେ ହଠାତ ୨୬ଟି ପ୍ରମୁଖ ସୋସିଆଲ ସାଇଟକୁ ବନ୍ଦ କରିଦେବା ଘଟଣାକୁ ଗ୍ରହଣ କରିପାରୁ ନାହାନ୍ତି ଏହାର ଜେନ୍ ଜେଡ । ଏବେ ଭିନ୍ନ ମୁଡରେ ନେପାଳ ଯୁବପିଢି । ରୋଜଗାରର ସୁରକ୍ଷା ପାଇଁ ନେଇଛନ୍ତି ବଜ୍ର ସଂକଳ୍ପ । ଜୀବନକୁ ବାଜି ଲଗାଇ ଦେଇଛନ୍ତି ଦେଶର ଳକ୍ଷାଧିକ ଯୁବପିଢି । ପକେଟ ଆଉ ପେଟ ଉପରେ ସରକାରଙ୍କ ପ୍ରହାର ବିରୋଧରେ ଉଗ୍ର ହେବାରେ ଲାଗିଛି ଜେନ ଜେଡ’ ଙ୍କ ଏ ଆନ୍ଦୋଳନ ।