କେନ୍ଦ୍ରାପଡ଼ା କଲେଜ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ (NHRC) ସ୍ୱତଃ ତଦନ୍ତ ଆରମ୍ଭ କରି ରିପୋର୍ଟ ଲୋଡ଼ିଛି ।
ଅଭିଯୋଗ ଅନୁସାରେ, ଝିଅଟିକୁ ତାର ପୁରୁଷ ବନ୍ଧୁ ମାସ ମାସ ଧରି ବ୍ଲାକମେଲ୍ କରି ତାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଅନଲାଇନରେ ପ୍ରକାଶ କରିବାକୁ ଧମକ ଦେଉଥିଲା । ଏନେଇ ଛଅ ମାସ ପୂର୍ବରୁ ତାଙ୍କ ବାପା ସ୍ଥାନୀୟ ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଏଫଆଇଆର ପଞ୍ଜିକୃତ ହୋଇନଥିଲା। ବରଂ, ପରିସ୍ଥିତିର ଗମ୍ଭୀରତାକୁ ଖାରଜ କରି ଜଣେ ପୋଲିସ ଅଧିକାରୀ ତାଙ୍କୁ ବ୍ଲାକମେଲରଙ୍କ ନମ୍ବର ବ୍ଲକ୍ କରିବାକୁ ପରାମର୍ଶ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଲୋକ ଲଜ୍ଜା ଭୟରେ ଅଗଷ୍ଟ ୬ ରେ ଝିଅଟି ଆତ୍ମହତ୍ୟା କରିଥିଲା ।
ମାନବାଧିକାର ଉଲ୍ଲଂଘନ ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରି NHRC, ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ନୋଟିସ୍ ଜାରି କରିଛି, ଯେଉଁଥିରେ ତଦନ୍ତର ସ୍ଥିତି ସମେତ ଦୁଇ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ମାଗିଛି।