By Pritishree Nayak
ସବୁ ଦିନ ଭଳି ସେ ସେଦିନ ବି ଖେଳିବାକୁ ଯାଇଥିଲା, ମାମା’କୁ ଅଳି କରି ଦିନ ଦିପହରେ ଖେଳିବାକୁ ବାହାରି ଯାଇଥିଲା, ଯିବା ପୂର୍ବରୁ ପାପାଙ୍କ ସହ ପଖାଳ ଓ ମାଛ ଭଜା ମନ ବୋଧ କି ଖାଇ ଥିଲା… ମାମା ତାର କେତେ କହିଥିଲା, ଆ ମୁଁ ଖୁଆଇ ଦେବି, ପାପା ବି କହି ଥିଲେ ଆ ନହଲେ ମୁଁ ଖୁଆଇଦେବି… କିନ୍ତୁ ସେ ନିଜେ ମାଛ ଭଜା ବାଛି ବାଛି ନିଜେ ଖାଇ ଥିଲା ନିଜ ହାତରେ, ପଖାଳ ବି… ଖାଇସାରି ପାପା ତାର ଭଉଣୀକୁ ନେଇ କାମରେ ବାହାରି ଯାଇଥିଲେ , ସେ ବି ଯିବ ବୋଲି ଜିଦ କରିଥିଲା, ପାପ ବୁଝାଇ ଦେଇଥିଲେ, ନା’ରେ ବହୁତ କାମ ଅଛି , ତୁ ଥା ଆମେ ଆସୁ, ମାମା ଚିକେନ କରିଛି, ପୁଣି ଲଞ୍ଚରେ ଖାଇବା … ପାପା ଯିବା ପରେ ସେ କିନ୍ତୁ ଥୟ ହୋଇ ବସି ପରି ନଥିଲା … ଖେଳିବାକୁ ବାହାରକୁ ଯିବ ବୋଲି ଜିଦ କରିଥିଲା … 15 ଦିନ ପରେ ମାମୁଁ ଘରୁ ଫେରିଥିବାରୁ ସାଙ୍ଗମାନଙ୍କ ସହ ଖେଳିବାକୁ ଯିବାକୁ ମାମା ବି ତାକୁ ଅନୁମତି ଦେଇଥିଲେ .. କହିଥିଲେ ପାପା ଆସିବା ପୂର୍ବରୁ ତୁ ଫେରି ଆସିବୁ, ନ ହେଲେ ପାପା ରାଗିବେ ….

ସେ କଲୋନୀ ପଡିଆରେ ତା ସାଙ୍ଗମାନଙ୍କ ସହ ଖେଳୁ ଖେଳୁ ଗୋଟେ ବଲ୍ ଦେଖିଲା… ସାଙ୍ଗମାନେ ମିଶି ବଲଟିକୁ ନେଇ ଆସି ପରସ୍ପର ଫିଙ୍ଗା ଫିଙ୍ଗି ଖେଳିଥିଲେ , ପାଳି ତାର ଥିଲା, ବଲ୍ ତା ହାତକୁ ଆସିଲା, ହେଲେ ବଲ୍ ଟି ଖସି ଗଲା, ଆଣ୍ଠେଇ ପଡି ସେ ବଲ୍ ଟିକୁ ଧରିପକାଇଲା … ଆଉ ତାପରେ ପ୍ରଚଣ୍ଡ ଶବ୍ଦରେ କମ୍ପି ଯାଇଥିଲା ଖଣ୍ଡମଣ୍ଡଳ …
ତା କାନମୁଣ୍ଡ ଫାଟି ଗଲା ଭଳି ଶବ୍ଦ … ତା ଦେହ ଥରିଗଲା … ତା ଆଖି ଆଗରେ ଥିଲା ଖାଲି ଧୂଆଁ ଆଉ ଧୂଆଁ …
ତା ସାଙ୍ଗମାନେ ଭୟରେ ଦୌଡ଼ି ପଳାଇଲେ… ସେ ବି ଧାଇଁଯାଇଥିଲା ତା ଅଜାଣତରେ… ହେଲେ ତାକୁ ଲାଗୁଥିଲା ଯେମିତି କେହି ତା ହାତକୁ ଜୋରରେ କାମୁଡି ଦେଇଛି ଅଥବା ଖୁବ ଜୋରରେ ପିଟି ଦେଇଛି .. ସେ ହାତକୁ ଚାହିଁଲା, ଆଖପାଖ ଲୋକ ତା ପାଖକୁ ଦୌଡ଼ି ଆସିଲେ … ଯିଏ ଦେଖିଲା ସିଏ ଅବାକ ରହିଗଲା … କିଏ ଆହା କହୁଥିଲା, କିଏ ଓହୋ କହୁଥିଲା …. ଆଉ ପାଣିରେ ବୁଡେଇ ଉଠେଇ ଦେଇଥିବା କୁଟା ବିଡା ଭଳି ତା ହାତରୁ ଝର ଝର ଝରି ଯାଉଥିଲା ରକ୍ତ ଧାରା … ତାକୁ ଅସହ୍ୟ ଯନ୍ତ୍ରଣା ହେଉଥିଲା … ତା ହାତରେ ଅଙ୍ଗୁଟି ନାହିଁ … ସବୁ ତଳେ ପଡିଛି… ହେଲେ କେମିତି … କିଛି ଗୋଟେ ଭୁଲ କରିଦେଇଛି ଭାବି ସେ ବାମ ହାତରେ ଡାହାଣ ହାତକୁ ଚାପି ଧରି କାନ୍ଦି କାନ୍ଦି ଖାଲି କହୁଥିଲା ପାପା ଆସିଲେ ଗାଳିଦେବେ, ମାରିବେ … ତାକୁ ଦେଖୁଥିବା ଲୋକମାନଙ୍କୁ, ଯେମିତି ସେ କହୁଥିଲା, କିଏ ତ ମୋ ହାତ ଠିକ କରିଦିଅ, ପାପା ନଦେଖନ୍ତୁ ….
ନଅ ବର୍ଷର ପିଲାଟା, ତା ସହ କଣ ଘଟିଯାଇଛି, ତାହା ବା ସେ କେମିତି ବୁଝି ପାରନ୍ତା…. ସେ ଖାଲି ଭାବୁ ଥିଲା ସେ ଦୁଷ୍ଟାମୀ କରିନି, ପାପା ତାକୁ ନରାଗନ୍ତୁ..
ଖବର ପାଇ ତା ପାପା ତରତର ହୋଇ ଆସିଲେ, ପୁଅକୁ କିଛି ଦୂରରୁ ଦେଖି ତାଙ୍କ ଦେହ ଥରି ଗଲା… ଗାଡିଟାକୁ ଫିଙ୍ଗି ଦେଇ ପୁଅକୁ କୋଳେଇ ଭୋ ଭୋ କାନ୍ଦି ପକାଇଲେ … ମାମା ବି ଦୌଡ଼ି ଆସି ପୁଅକୁ ଦେଖି ଚେତା ହରାଇଲା … ହେଲେ ସେ କହୁଥିଲା ପାପା ମୁଁ କିଛି କରିନି … ଖାଲି ଖେଳୁଥିଲି … ଆଖି ଲୁହ ପୋଛିବାକୁ ବେଳେ ନ ଥିଲା .. ତାକୁ ହାତରେ ଟେକି ଆମ୍ବୁଲାନ୍ସ ମୁହାଁ ଧାଇଁ ଥିଲେ ପାପ ତାର… ଏତିକି ବେଳେ କେହି ଜଣେ କହିଲେ ଅଙ୍ଗୁଟିଗୁଡ଼ାକ ପଡିଛି ଏଠି ସେଠି… ନେଇଯାଅ କାଳେ ଡାକ୍ତର କିଛି କରିପାରିବେ … ପାପାଙ୍କ ମନରେ ଆଶା ଜାଗି ଉଠିଲା… ଅଜାଙ୍କ ଦଶ କାମରେ ଲଣ୍ଡା ହେଇଥିବାରୁ ସେ ଟୋପି ପିନ୍ଧିଥିଲା.. ପାପା ତା ଟୋପି କାଢି ନେଇ ସେଇଥିରେ ତାର କଟା ଆଙ୍ଗୁଟି ଓ ପାପୁଲିର ମାଂସ ଭୂମିରୁ ତୋଳି ଆଣିଥିଲେ …..
ଡାକ୍ତର ଅପରେସନ କଲେ… ସେ ଓଟିରୁ ଫେରିଲା…. କିଛି ସମୟ ପରେ ସେ ପାପାଙ୍କ ଆଡକୁ ଚାହିଁ ପଚାରିଲା ପାପ ଡାକ୍ତର ମୋ ଅଙ୍ଗୁଟି ଯୋଡି ଦେଲେ ତ…. ତାର ଏ ପ୍ରଶ୍ନ
ଦେଉଥିଲା … ସେଦିନ ସେ ହସ୍ପିଟାଲ ଦେଖିଥିଲା, ଜଣେ ଲୌହ ପୁରୁଷକୁ ଭୋ ଭୋ କାନ୍ଦିବାର…. ପୁଅର ଆଖି ଆଢୁଆଳରେ ଛାତି ବାଡେଇ ବିଧାତା ପାଖରେ ଲୁହ କୋହ , ରୋଷ ଅଭିମାନ କାଢ଼ିବାର…. ଯିଏ ପରକୁ ସାହାଯ୍ୟ କରି, କେତେଥର କେତେ ଲୋକଙ୍କୁ ଡାକ୍ତରଖାନାରୁ ଭଲ କରି ଫେରେଇ ନେଇଛି .. ସେ ଲୋକଟା ଆଜି କେତେ ଅସହାୟ, ସେ ଦିନ ତାହା ଦେଖିଥିଲା ସେ ହସ୍ପିଟାଲ, ସେ ଆକାଶ, ସେ ରାତି…..
ଆଜି ସେ ଜାଣିଲା ତାର ଡାହାଣ ହାତ ଆଉ ନାହିଁ… ସେ ଆଉ ଅନ୍ୟ ପିଲାଙ୍କ ଭଳି ସାଧାରଣ ନୁହେଁ… ପିଲା ମନ ଆଗକୁ କଣ ପରିଣତି ବାକି ଅଛି , ତାହା ସେ ବେଶୀ କିଛି ବୁଝି ନାହିଁ … ହେଲେ ହାର ମାନିନାହାନ୍ତି ତାର ପାପ… ପୁଣି ପୁଅ ପାଇଁ ଆରମ୍ଭ କରିଛନ୍ତି ସଂଘର୍ଷ… ପୁଅକୁ ଭିନ୍ନ ମାନଙ୍କ ଭିତରେ ନୁହେଁ , ବରଂ ସାଧାରଣ ମାନଙ୍କ ଭିତରେ ଅସାଧାରଣ କରି ଗଢି ତୋଳିବାକୁ ତାଙ୍କର ଏ ସଂଘର୍ଷ … ଆଉ ତାଙ୍କ ମନରେ ଏହି ଆଶା ଭରିଛି, ଆଜିର ଦିବସର ମହତ୍ୱ, ତାହା ହେଲା ‘ବିଶ୍ୱ ଅଙ୍ଗଦାନ ଦିବସ’.. ହଁ ସେ ଆସା ବାନ୍ଧିଛନ୍ତି, ତାଙ୍କ ପୁଅକୁ କେହି ସହୃଦୟ ବ୍ୟକ୍ତି ଅଙ୍ଗଦାନ କରିବେ …. ହାତ ଦାନ କରିବେ… ଏ ଆଶା ତାଙ୍କର ନିରର୍ଥକ ନୁହେଁ…
କାରଣ 2017ରେ ଜଣେ ଯୁବତୀଙ୍କ ଠାରେ ଗୋଟିଏ ଯୁବକଙ୍କର ଦୁଇ ହାତର ସଫଳ ପ୍ରତିରୋପଣ କରାଯାଇଥିଲା, ଯାହାକି ଏସିଆରେ ସମ୍ଭବତଃ ଏହିପରି ପ୍ରଥମ ଅଙ୍ଗ ପ୍ରତିରୋପଣ ଥିଲା … ଯୁବକ ଜଣକ ଏକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ତାଙ୍କ ପରିବାର ତାଙ୍କର ଦୁଇ ହାତ ଦାନ କରିଥିଲେ, ଯାହାକି ଏହି ଯୁବତୀଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା … ଯାହାପରେ ତାଙ୍କ ଜୀବନ ସ୍ୱାଭାବିକ ହୋଇପାରିଛି ..

ହଁ ଜୀବ ଥାଉ ଥାଉ କେହି ଅଙ୍ଗ ଦାନ କରେ ନାହିଁ, କିନ୍ତୁ ନିଜର କେହି ଆଖି ବୁଜିଲେ, ତାଙ୍କ ଅଙ୍ଗ ଦାନ କରି ତାଙ୍କୁ ଏ ଧରାପୃଷ୍ଠରେ ଆଉ କିଛି ଦିନ କେତେକାଂଶରେ ବଞ୍ଚାଇ ରଖି ହୁଏ ଏବଂ ଆଉ ଜଣଙ୍କୁ ନୂଆ ଜୀବନ ଦେଇ ହୁଅ … ଏ କଥା କେବଳ, ବାକ୍ୟରେ ସୀମିତ ନରହୁ…. , ମାନବ ସମାଜର ପ୍ରତ୍ୟେକ ଲୋକ ଏହା ବୁଝିବା ଦରକାର … ସରକାର କେବଳ ପୁରସ୍କୃତ କରି ନୁହେଁ… ଏ ଦିଗରେ ସଚେତନତା ପାଇଁ ବିଶେଷ କାର୍ଯ୍ୟକ୍ରମ କରିବା ସମୟର ଆହ୍ୱାନ… ମୁଁ ତ କହିବି ମାନବ ସେବାର ଏ ଅନନ୍ୟ ଦିଗ ‘ଅଙ୍ଗଦାନ’ ବିଷୟରେ ସ୍କୁଲରୁ ହିଁ ଶିକ୍ଷା ଦିଆଗଲେ ସମାଜରେ ‘ଅଙ୍ଗଦାନ’ ବିଚାର ଆହୁରି ଗ୍ରହଣୀୟ ହୋଇପାରନ୍ତା … ଖାଲି କେରଳ ଭଳି ରାଜ୍ୟ କାହିଁକି, ପ୍ରତ୍ୟେକ ରାଜ୍ୟର ପ୍ରତି ଜିଲ୍ଲାରେ, ବ୍ଳଡ଼ ବ୍ୟାଙ୍କ ଭଳି ଅର୍ଗାନ ବ୍ୟାଙ୍କ ବି ରହିବ ଦରକାର … ତାହାଲେ ପୁଣି କୌଣସି ବାପା ତା ପୁଅର କଟା ହାତ ଦେଖି ବୁକୁ ଫଟାଇ କାନ୍ଦିବେ ନାହିଁ.. କେଉଁ ମା ଗୁମୁରି କାନ୍ଦିବ ନାହିଁ… କେହି ହତଭାଗ୍ୟ ରହିବେନି କି କେହି ଭିନ୍ନ ବୋଲାଇବେ ନାହିଁ… ଅଘଟଣ ପରେ ବି ବଂଚିଥିବ ଆଶା ….
ଏ ସଂଘର୍ଷ କେବଳ ସେମାଙ୍କର ନୁହେଁ, ଆମ ସମସ୍ତଙ୍କର… ଏ ସଂଘର୍ଷ ସେବେ ସରିବ, ଯେବେ ରକ୍ତ ଦାନ ପରି ଘରେ ଘରେ ଅଙ୍ଗଦାନ ପାଇଁ ସଚେତନତା ସୃଷ୍ଟି ହେବ … ମୃତ୍ୟୁ ପରେ ବି ଯିଏ ପରୋପକାରରେ ଆସେ, ସେ ହିଁ ତ ଶ୍ରେଷ୍ଠମାନଙ୍କ ଭିତରେ ଶ୍ରେଷ୍ଠ… ଅଙ୍ଗଦାନ କରନ୍ତୁ, ଜୀବନ ବଞ୍ଚନ୍ତୁ …
