“ଭୁବନେଶ୍ୱରରେ ରାହୁଲ ମହାରଣା ମର୍ଡର କେସ ପରେ ନ୍ୟାୟ ପାଇଁ ଲଢୁଛନ୍ତି ସ୍ତ୍ରୀ ତ୍ରିଷ୍ଣା”
ଭାଙ୍ଗି ପଡିନାହାନ୍ତି ତ୍ରିଷ୍ଣା, ଲୁହ ଚାପି ନ୍ୟାୟ ପାଇଁ ଲଢୁଛନ୍ତି ସେ।ଲଢୁଛନ୍ତି ନ୍ୟାୟର ଲଢେଇ!
ସୋସଇଆଲ ମିଡ଼ିଆରେ ଟାର୍ଗେଟ କାହିଁକି?

ରାହୁଲଙ୍କ ବିରହରେ ପାଗେଳି ହୋଇଗଲେଣି ତ୍ରିଷ୍ଣା… ମୁଣ୍ଡ ପିଟି, ଭୋ ଭୋ ହୋଇ କାନ୍ଦୁଛନ୍ତି… ଛାତି ପିଟି ଗଡିଯାଉଛନ୍ତି ତଳେ… କାନ୍ଦିକାନ୍ଦି ଘଡିକିଘଡି ବେହୋସ ହୋଇଯାଉଛନ୍ତି ତ୍ରିଷ୍ଣା…
ସମ୍ଭବତଃ ଏମିତି କିଛି ଶୁଣିବାକୁ ଚାହୁଁଛନ୍ତି କିଛି ଲୋକ । ଜାଣିବାକୁ ଚାହୁଁଛନ୍ତି ତ୍ରିଷ୍ଣାଙ୍କ ଛାତିର ସେ ଅସହ୍ୟ ଯନ୍ତ୍ରଣା, ସ୍ବାମୀ ରାହୁଲ ମହାରଣାଙ୍କ ମୃତ୍ୟୁ ପରେ କେମିତି ଦିନ କାଟୁଛନ୍ତି ତ୍ରିଷ୍ଣା? ବ୍ଲଗ୍ ଭଳି ସବୁ କିଛି ଜାଣିବାକୁ ଚାହୁଁଛନ୍ତି କିଛି ଲୋକ । ସୋସିଆଲ ମିଡିଆରେ ତ୍ରିଷ୍ଣାଙ୍କୁ କରାଯାଇଛି ଶହଶହ ଅଜବ ପ୍ରଶ୍ନ !
କାହିଁକି କାନ୍ଦୁ ନାହାନ୍ତି ତ୍ରିଷ୍ଣା? ସ୍ବାମୀ ରାହୁଲଙ୍କ ପରଲୋକରେ କେହି ସ୍ତ୍ରୀ କ’ଣ ଏମିତି ଷ୍ଟ୍ରଙ୍ଗ ହୋଇ ମିଡିଆ ସମ୍ମୁଖକୁ ଆସିପାରେ? ବାହାଘରର ମାସ ୩ ଟା ହୋଇଛି କି ନାହିଁ, ସ୍ବାମୀ ଚାଲିଯିବାଟା କଣ କମ୍ କଥା? ଏମିତିରେ କେମିତି ବାହୁରୁ ନାହିଁ ଡିଭାଇନ୍ ତ୍ରିଷ୍ଣାଙ୍କ କାନ୍ଦ? ଏମିତି କେତେ କ’ଣ ପ୍ରଶ୍ନର ବାଣ ଏ ଭିତରେ ସୋସିଆଲ ମିଡିଆରେ ତ୍ରିଷ୍ଣାଙ୍କ ଆଡକୁ ଛଡାଯାଇଛି । ତାଙ୍କ ଆଖିର ଲୁହକୁ କ୍ୟାପଚର କରିବାକୁ ତାଙ୍କ ପଛରେ ଛାଇ ଭଳି ଲାଗି ରହିଛି କ୍ୟାମେରା । ଯେମିତି ତ୍ରିଷ୍ଣା ତଳେ ଗଡିଯାଇ ଛାତି ପିଟି କାନ୍ଦିବାର ଦୃଶ୍ୟ ଦେଖି ଦେଲେ ତାଙ୍କ ’ସ୍ତ୍ରୀ’ ହେବାର କଥିତ ପ୍ରମାଣ ପାଇଯିବ ଏ କୁହାଳିଆ ସମାଜ ।
କେତେ ଆଉ କାନ୍ଦିବେ ତ୍ରିଷ୍ଣା? ଇଏ କୌଣସି ସାଧାରଣ ଝିଅ ନୁହନ୍ତି କି ନିଜ ସ୍ବାମୀଙ୍କୁ ସେ କୌଣସି ଆକସ୍ମିକ ଦୁର୍ଘଟଣାରେ ହରାଇ ନାହାନ୍ତି? ନିୟତି ତାଙ୍କ କପାଳରେ ଏତେ ଶୀଘ୍ର ବିରହ ଲେଖିଛି ସତ, ହେଲେ ଏଥିରେ ଦଇବର କୌଣସି ଆକସ୍ମିକତା ତ ନାହିଁ । ଯାହା ଘଟିଛି ଜାଣିଶୁଣି ଘଟାଯାଇଛି । କିଛି ଖଳପ୍ରକୃତିର ଅସାମାଜିକଙ୍କ ମିଛ ଅହଂକାରର ବଳି ଚଢିଛନ୍ତି ତ୍ରିଷ୍ଣାଙ୍କ ସ୍ବାମୀ ରାହୁଲ ମହାରଣା । ଏବେ ଖାଲି ନ୍ୟାୟର ଲଢେଇ । ଆଉ ନ୍ୟାୟର ଲଢେଇ ଆଖିରୁ ଲୁହ ଗଡାଇ ଲଢାଯାଏ ନାହିଁ । ତା’ପାଇଁ ଡିଭାଇନ ତ୍ରିଷ୍ଣାଙ୍କ ଭଳି ଅଟଳ ଧୈର୍ଯ୍ୟ ଦେଖାଇବାକୁ ପଡେ ।
ଫେବୃଆରୀ ୨୮ର ସେ କାଳ ରାତିରେ ରସୁଲଗଡ଼ ନିକଟ ଜିଜିପି କଲୋନୀ ହାଇସ୍କୁଲ ପଡିଆରେ ଛୁରୀ ଭୁସି ରାହୁଲଙ୍କୁ ହତ୍ୟା କରାଯାଇଥିଲା । ସ୍ବାମୀର ଫେରିବା ବାଟକୁ ଚାହିଁ ବସିଥିବା ତ୍ରିଷ୍ଣାଙ୍କ ନିକଟରେ ପହଞ୍ଚିଥିଲା ତାଙ୍କ ମର୍ଡର ଖବର । ସବୁ ପ୍ରକାରର ସ୍ବାଧୀନତା ଭିତରେ ସ୍ବାଭିମାନର ସହ ନିଜକୁ ସ୍ବାବଲମ୍ବୀ କରିଥିବା ଗୋଟେ ଝିଅ କେମିତି ବା ଏକଥାଟାକୁ ଗ୍ରହଣ କରିପାରିଥାଆନ୍ତା । ରାହୁଲଙ୍କ ବିରୋଧରେ କିଏ ଟିକେ କଣ କହିଦେଲେ ଉଚିତ ଜବାବରେ ବିପକ୍ଷକୁ ଚୁପ୍ କରାଇ ଦେଉଥିବା ତ୍ରିଷ୍ଣା କେମିତି ବରଦାସ୍ତ କରିଥାଆନ୍ତେ ଯେ ତାଙ୍କ ନିରସ୍ତ୍ର ସ୍ବାମୀଙ୍କୁ କେହିଁ ହତ୍ୟା କରି ରାତିର ଅନ୍ଧକାରରେ ଯେମିତି ଉଭାନ ହୋଇଗଲା । ଯେଉଁ ସାଙ୍ଗମାନେ ଘଟଣାସ୍ଥଳରେ ଥିଲେ ସେମାନେ ରାହୁଲଙ୍କୁ ନ୍ୟାୟ ଦେବାକୁ କେତେ ବ୍ୟଗ୍ର ? ରାଜଧାନୀ ଛାତିରେ ସରକାରର ନାକ ତଳେ ଗୋଟେ ମର୍ଡର ହୋଇଯାଇଥିବା ବେଳେ ପୋଲିସ ପ୍ରଶାସନ କରୁଛି କ’ଣ? ଏମିତିରେ କାନ୍ଦି କାନ୍ଦି ସମୟ ଗଡାଇ ଦେବା ପରିବର୍ତ୍ତେ ସ୍ବାମୀଙ୍କୁ ନ୍ୟାୟ ଦେବାକୁ ଦୃଢତାର ସହ ଗଣମାଧ୍ୟମ ସମ୍ମୁଖରେ ଛିଡା ହେବା କଣ ଭୁଲ୍ ?
ଏ ସମାଜ କାହିଁକି ଭୁଲିଯାଏ, ଝାନସୀ ରାଣୀଙ୍କ ଭଳି ବୀରାଙ୍ଗନାମାନଙ୍କୁ, ଯିଏ ନିଜର ସିନ୍ଦୂରକୁ ହରାଇବା ପରେ ସବୁ ଲୁହକୁ ପିଇଯାଇ ନ୍ୟାୟକୁ ପ୍ରାଥମିକତା ଦେଇଥିଲେ । ଯଦି ସେଦିନ ଝାନସୀ ରାଣୀ କାନ୍ଦି କାନ୍ଦି ନିଜକୁ ଦୁର୍ବଳ କରିଦେଇଥାଆନ୍ତେ, ତେବେ ଆଜି ଆମେ ଆଉ ଆପଣ ତାଙ୍କ ବୀରତ୍ବର ଉଦାହାରଣ ଦେଉ ନ ଥାଆନ୍ତେ । ଆଜି ଯଦି ଏକ ଜଘନ୍ୟ ଅପରାଧ ବିରୋଧରେ ଲଢିବାକୁ ତ୍ରିଷ୍ଣା ନିଜର ଲୁହକୁ ଚାପି ରଖିଛନ୍ତି, ନିଜକୁ ଦୁର୍ବଳ ହେବାକୁ ଦେଉ ନାହାନ୍ତି, ତେବେ ତାଙ୍କ କାନ୍ଧରେ କାନ୍ଧ ମିଳାଇ ତାଙ୍କୁ ସହସ ଓ ନ୍ୟାୟ ଦେବା, ଏଠାରେ ସମାଜର କର୍ତ୍ତବ୍ୟ ହେବା ଉଚିତ । ତ୍ରିଷ୍ଣା ଖାଲି, ରାହୁଲ ମହାରାଣଙ୍କ ବିଧବା ପତ୍ନୀ ନୁହେଁ, ଏ ନ୍ୟାୟର ଲଢେଇରେ ସେ କେବଳ ରାଜଧାନୀ ଭୁବନେଶ୍ବର କାହିଁକି, ସାରା ଓଡ଼ିଶା, ସାରା ଦେଶର ଝିଅ । ଆମେ ତ ତ୍ରିଷ୍ଣାଙ୍କୁ ଫୁଲ୍ ସମର୍ଥନ କରୁଛୁ । ତ୍ରିଷ୍ଣାଙ୍କ ଆଖିର ଲୁହ ଦେଖିବା ନୁହେଁ, ରାହୁଲଙ୍କ ଲହୁକୁ କେମିତି ନ୍ୟାୟ ମିଳିବ ତାହାକୁ ନେଇ ଚର୍ଚ୍ଚା ଏମିତି ତୀବ୍ର ହେଉ, ଯାହାକି ଅସଲ ଅପରାଧୀକୁ ଦଣ୍ଡିତ କରିବା ନେଇ ପୋଲିସ ପ୍ରଶାସନକୁ ଦୋହଲାଇ ଦେବ । ତେବେ ହିଁ ଏ ସମାଜ ସୁସ୍ଥ ସମାଜ ବୋଲି ପ୍ରମାଣ ହେବ । ତ୍ରିଷ୍ଣାଙ୍କ କାନ୍ଦ ଦେଖିବାରେ ନୁହେଁ….