ବହୁ ଲୋକରେ ମୂଷା ମରୁନି?
କ୍ଷତିପୂରଣ ନୁହେଁ, ପୀଡିତାଙ୍କୁ ମିଳୁ ଫାଷ୍ଟଟ୍ରାକ ନ୍ୟାୟ
ତ୍ୱରିତ ଓ କଠୋର ଦଣ୍ଡର ବର୍ଷାରେ ଲିଭିବ ଆତ୍ମାହୁତି/ନିର୍ଯାତନାର ନିଆଁ

By Pririshree Nayak
ରାଜ୍ୟରେ ଥମୁନି ନାରୀ ନିର୍ଯାତନାର ଧାରା … ଏମିତି ନୁହେଁ ଯେ, ପୂର୍ବରୁ ଛାତ୍ରୀ ମୃତ୍ୟୁ ଘଟଣା ଘଟୁ ନଥିଲା … କିନ୍ତୁ ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ଲୋକଙ୍କୁ ଯେମିତି ଦୋହଲେଇ ଦୋହଲେଇ ଚେତେଇ ଦେଇଛି… ଲୋକେ, ବିଶେଷ କରି ଗଣମାଧ୍ୟମ ପ୍ରତିନିଧିମାନେ, ସମ୍ପ୍ରତି ଘଟୁଥିବା ଏଭଳି ଘଟଣାଗୁଡିକୁ ତୁରନ୍ତ ହାଇଲାଇଟ କରୁଛନ୍ତି… ଭଲ କଥା… ଭୟ ରହିବ… ଏଭଳି ଅପରାଧ କରୁଥିବା ଲୋକଙ୍କର … କିନ୍ତୁ କହିବା ବାହୁଲ୍ୟ ଯେ ବାସ୍ତବରେ କଣ ଏଭଳି ଖବର ସମ୍ମୁଖକୁ ଆସିବା ଦ୍ୱାରା ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଇଛି ଅଥବା ହେଉଛି ?
ନିଶ୍ଚିତ ଭାବେ ନା… କାରଣ ନିର୍ଯାତନାର ନିଆଁରେ ଜଳି ଜଣେ ଆଖି ବୁଝିବାର ଦିନକ ପରେ ଆସୁଛି ଆଉ ଜଣଙ୍କର ଆତ୍ମାହୁତିର ଖବର … ମାତ୍ର କାହିଁକି … ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାର ମାସେ ପରେ ଏ ନିଆଁ ଲିଭିବ କଣ ବରଂ ଆହୁରି ଉଗ୍ର ହେବାରେ ଲାଗିଛି … ବାଲେଶ୍ୱରରୁ ବଳଙ୍ଗା, ବରଗଡରୁ ପୁଣି ନିମାପଡା … ଏ ନିଆଁ ବ୍ୟାପିବାରେ ଲାଗିଛି… ଓଡିଶା ଇତିହାସରେ 25 ବର୍ଷ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ / ଉପମୁଖ୍ୟମନ୍ତ୍ରୀ ହେଇକି 3 ଜଣ ଲୋକଙ୍କ ହାତରେ ଶାସନ ଭାର… ତଥାପି ଲିଭି ପାରୁନି ଏ ନିର୍ଯାତନାର ନିଆଁ … କଣ ଭାବିବା ଯେ ବହୁ ଲୋକରେ ମୂଷା ମରୁନି?
ସରକାର ବୁଝିବା ଦରକାର ଯେ, ଆତ୍ମାହୁତି ଦେଇଥିବା ଏଫଏମ ଛାତ୍ରୀ ନ୍ୟାୟ ଚାଁହୁଥିଲା, କ୍ଷତିପୂରଣ ନୁହେଁ… କିନ୍ତୁ ସେ ଜୀବିତ ଥିବା ବେଳେ ତା ଗୁହାରି ଶୁଣି ନଥିବା ଲୋକେ
ତା ମୃତ୍ୟୁ ପରେ ତା ପରିବାରକୁ ଦେଇଥିବା ଟଙ୍କା ବାସ୍ତବରେ ‘କ୍ଷତିପୂରଣ’ ନା ନିଜ ଅବହେଳାର ‘ପ୍ରାୟଶ୍ଚିତ’?
ବିଗତ ଦୁଇ ମାସ ହେବ ଯେମିତି ରାଜ୍ୟରେ ଛାତ୍ରୀ ମୃତ୍ୟୁ ଓ ମହିଳା ନିର୍ଯାତନା ଘଟଣା ସମ୍ମୁଖକୁ ଆସୁଛି, ତାହାକୁ ଦେଖିଲେ ବେଶ ବୁଝା ପଡୁଛି ଯେ, ଏ ତଥାକଥିତ ‘କ୍ଷତିପୂରଣ’ (ପ୍ରାୟଶ୍ଚିତ!) ବାସ୍ତବରେ କେତେ ଭାରି ପଡୁଛି… ଟଙ୍କା ବଦଳରେ ଯଦି ବାସ୍ତବ ଓ ତ୍ୱରିତ (ଫାଷ୍ଟଟ୍ରାକ) ନ୍ୟାୟ ଦିଆଯାଇଥାନ୍ତା, ତେବେ ହୁଏତ ଆଜି ବଳଙ୍ଗାଠୁ ବରଗଡ଼ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ନାରୀ ଦେହର ପୋଡା ଗନ୍ଧ ଉକୁଟିଉଠୁ ନଥାନ୍ତା … ଘଟଣା ପଛରେ ରାଜନୀତିକୁ ଦାୟୀ କରି କେବଳ ଭାବମୂର୍ତ୍ତି ସଜାଡ଼ିଲେ ହେବନାହିଁ, ବରଂ ଘୃନ୍ୟ ରାଜନୀତିର ଅର୍ଘ୍ୟରେ ଉଗ୍ର ହେଉଥିବା ଆତ୍ମାହୁତି/ନିର୍ଯାତନାର ଏ ନିଆଁକୁ ଆଇନର ଆକାଶରୁ ତ୍ୱରିତ ଓ କଠୋର ଦଣ୍ଡର ବର୍ଷାରେ ହିଁ ଲିଭାଇ ହେବ … ଏବେ ଏହିସବୁ ଘଟଣା ରୋକିବାକୁ ସରକାର ୱାର ଟାଇମ ଆକ୍ସନ ମୋଡ଼କୁ ଆସିବା ଦରକାର … ଅନ୍ୟଥା ଇତିହାସ ସାକ୍ଷୀ ଅଛି, ନାରୀ ନିର୍ଯାତନାର ନିଆଁ କେତେ ଯେ ପରାକ୍ରମୀ, କେତେଯେ କରିତକର୍ମାଙ୍କୁ ତଳିତଳାନ୍ତ କରିଦେଇଛି ….