ଶିବ ରୁଦ୍ର ଓ ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରନ୍ତି । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । ଅପୂର୍ବ ନୈସର୍ଗିକ ପରିବର୍ତ୍ତିତ ପରିସ୍ଥିତିରେ ସମ୍ବଲପୁରବାସୀ ଦେବଦମ୍ପତିଙ୍କୁ ସାଦର ସଭକ୍ତି ସ୍ୱାଗତ କରିଥାନ୍ତି । ଶୀତଳଷଷ୍ଠୀ ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ । କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ । ଓଡ଼ିଶାର ସମ୍ବଲପୁର ଶୀତଳଷଷ୍ଠୀରେ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ । ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ପ୍ରକ୍ରିୟା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୁଏ । ଅକ୍ଷୟ ତୃତୀୟା ଦିନ ଥାଳ ଉଠିବାଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦା ଦିନ ନନ୍ଦପଡାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିବନ୍ଧ(ପିନ୍ଧାଣି) ଏବଂ ତା’ପରଦିନ ନୃସିଂହ ନିଉତା ବା ଦେବଦେବୀଙ୍କୁ ବିବାହ ପାଇଁ ଅନୁଷ୍ଠିତ ହୋଇଥାଏ । ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱରବାବା, ବଡ଼ବଜାରର ଶୀତଳେଶ୍ୱରବାବା ଏବଂ ଠାକୁରପଡାର ଗୁପ୍ତେଶ୍ୱରବାବାଙ୍କ ତୃତୀୟା ଦିନ ପତରପେଁଡି ଏବଂ ଚତୁର୍ଥୀଦିନ ଗୁଆଗୁଣ୍ଡା ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ତିଥି ରାତିରେ ଶ୍ମଶାନଚାରୀ ଶିବ ବରବେଶ ହୋଇ ବୃଷଭ ଆରୋହଣ କରି ଭବ୍ୟ ଶୋଭାଯାତ୍ରାରେ କନ୍ୟାପିତା ଗୃହକୁ ଗମନ କରନ୍ତି । ତାଙ୍କ ବରଯାତ୍ରୀରେ ଶ୍ମଶାନବାସୀ, ସାକ୍ଷୀଗୋପୀନାଥ, ହନୁମାନ, ନୃସିଂହ ଦେବଦେବୀ ସାମିଲ୍ ହୋଇଥାନ୍ତି । ଦେବଦମ୍ପତିଙ୍କ ସମ୍ପୂର୍ଣ୍ଣ ଲୋକାଚାରରେ ସମ୍ପନ୍ନ କରାଯାଉଥିବାରୁ ପ୍ରତିବର୍ଷ ଯାତ୍ରା କମିଟି ପକ୍ଷରୁ କନ୍ୟା ପିତାମାତା ଚୟନ କରାଯାଏ । ଯେଉଁମାନେ କନ୍ୟାପିତାମାତା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସେମାନେ କନ୍ୟା ପାର୍ବତୀଙ୍କୁ ତାଙ୍କ ଘରକୁ ନେଇ ବିବାହ ପରେ ଯାନିଯୌତୁକ ଦେଇ ବିଦାୟ ଦେଇଥାନ୍ତି । ବୈଦିକ ରୀତିରେ ପଞ୍ଚମୀ ରାତିରେ ବିବାହ ଅନୁଷ୍ଠିତ ହୋଇଥାଏ ।
ନନ୍ଦପଡାର ବମ୍ ବରାଡ଼ ବାଲୁଙ୍କେଶ୍ୱର, ଝାଡୁଆପଡାର ଶ୍ରୀଲୋକନାଥ ବାବା, ମୁଦିପଡାର ଶ୍ରୀଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ବାଲିବନ୍ଧର ସୋମନାଥ ବାବା, ଦୁର୍ଗାପାଲିର ଶ୍ରୀଗୁଡେଶ୍ୱର ବାବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବରେ ସ୍ଥାନୀୟ ତଥା ବହିରାଗତ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶରେ ସମ୍ବଲପୁର ଜନାରଣ୍ୟ ହୋଇଉଠେ । ପତରପେଣ୍ଠିରୁ ଶୀତଳଷଷ୍ଠୀ ଉତ୍ସବର ଶୁଭାରମ୍ଭ ହୋଇ, ତତ୍ ପରଦିନ ଦେବ ନିମନ୍ତ୍ରଣ, ଚତୁର୍ଥୀତିଥିରେ ସମସ୍ତ ମନ୍ଦିରରୁ ଦେବାଧିଦେବଙ୍କ ବରଯାତ୍ରା, ପରଦିନ କନ୍ୟାପିତାଙ୍କ ଗୃହରେ ରାତ୍ରିରେ ବିବାହୋତ୍ସବ ଏବଂ ତା’ପରଦିନ ମଧ୍ୟାହ୍ନରେ ଶିବପାର୍ବତୀ ବାହୁଡା ବରକନ୍ୟାଙ୍କର ଆଡ଼ମ୍ବରପୂର୍ଣ୍ଣ ଦିବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ସ୍ୱ ସ୍ୱ ମନ୍ଦିର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ବେଶ୍ ମନୋଜ୍ଞ ଓ ମନମୁଗ୍ଧକର । ପ୍ରତ୍ୟେକ ସହରର ଭାଗ୍ୟଶାଳୀ ବିଭିନ୍ନ ଦମ୍ପତି କନ୍ୟାପିତା ଭାବରେ ଦେବାଧିଦେବଙ୍କୁ କନ୍ୟାଦାନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ନୈସର୍ଗିକ ବିଧିବିଧାନ, ପରମ୍ପରା ଓ ପ୍ରକରଣରେ ନବଦମ୍ପତିଙ୍କର ବିବାହୋତ୍ସବ ଅନୁଷ୍ଠିତ ହୋଇ କନ୍ୟାଦାନ ସହିତ ଅଳଙ୍କାର, ବାସନକୁସନ ଅନ୍ୟ ଜାନିଯୌତୁକ ସାଧ୍ୟମତେ ପ୍ରଦାନ କରାଯାଏ । ବର ନିମନ୍ତ୍ରଣ ଓ କନ୍ୟା ବିଦାୟ ଦୃଶ୍ୟ ମଧ୍ୟ ବେଶ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହୋଇଥାଏ ।
କାଳର ଅପ୍ରତିହିତ ଗତି ସହିତ ସମତାଳରେ ଅନେକ ଭଲ ଓ ମନ୍ଦ ପରମ୍ପରା ଏହି ଯାତ୍ରା ସହିତ ଯୋଡ଼ି ହୋଇଯାଇଛି । ବିବାହୋତ୍ସବରେ ସାଧାରଣତଃ ଆନନ୍ଦ, ଚିତ୍ତବିନୋଦନ ପ୍ରାଧାନ୍ୟ ଲାଭ କରିଥାଏ । ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ଏହାର ଆତିଶଯ୍ୟ ସହଜରେ ବାରି ହୋଇପଡେ । ନାଚ, ଗୀତ, ତାମସା ଏହାର ଏକ ସ୍ୱାଭାବିକ ଅଙ୍ଗ । ବିଭିନ୍ନ ଲୋକନୃତ୍ୟ, ଡାଲଖାଇ ନୃତ୍ୟର ସମାବେଶ ଆମ ସାଂସ୍କୃତିକ ଜୀବନଧାରାର ଏକ ସ୍ୱାଭାବିକ ଆଙ୍ଗିକ ସ୍ୱରୂପ । ସ୍ଥାନୀୟ ଏବଂ ବାହାର ପ୍ରଦେଶରୁ ସମାଗତ ବାଈ ଓ ହିଂଜଡାମାନେ ଏହିପର୍ବରେ ନୃତ୍ୟ କରନ୍ତି । ଲୋକମୁଖରୁ ଶୁଣାଯାଏ ‘ସେମାନେ ଏହି ଅଭିଶପ୍ତ ହିଂଜଡା ଜନ୍ମରୁ ମୁକ୍ତି ପାଇବା ପାଇଁ ମହାଦେବ ଶିବଙ୍କ ବିବାହୋତ୍ସବରେ ନୃତ୍ୟ କରନ୍ତି’ ।