ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କୁ ନେଇ ଭୟ ଏବଂ ଚିନ୍ତା ଯୋଗୁଁ ପଶ୍ଚିମବଙ୍ଗରେ 107 ଜଣଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗ ବିଧାନସଭାରେ ଗୁରୁବାର, ଆଗତ ଏକ ଜରୁରୀ ପ୍ରସ୍ତାବରେ ଏହା ଦାବି କରାଯାଇଛି । ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ ପଶ୍ଚିମବଙ୍ଗ ବିଧାନସଭାରେ ନିୟମ 169 ଅନୁଯାୟୀ ଏହି ପ୍ରସ୍ତାବ ଆଗତ କରିଥିଲେ। ପ୍ରସ୍ତାବରେ କୁହାଯାଇଛି ଯେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ନାମରେ ରାଜ୍ୟରେ ଭୟ ଏବଂ ଅସୁରକ୍ଷାର ବାତାବରଣ ସୃଷ୍ଟି କରାଯାଇଛି। ବହୁ ସଂଖ୍ୟକ ଲୋକ ଭୋଟର ତାଲିକାରୁ ସେମାନଙ୍କ ନାମ ବାଦ ଦିଆଯିବାର ଭୟରେ ସଂଘର୍ଷ କରୁଛନ୍ତି। ଏହି ମାନସିକ ଚାପ ଏବଂ ଚିନ୍ତା କାରଣରୁ ଅନେକ ଆତ୍ମହତ୍ୟା କରିଥିବା ବେଳେ ଏହାକୁ ମିଶାଇ 107 ଜଣଙ୍କର ଜୀବନ ନେଇଛି ଏସଆଇଆର।
ସରକାର SIR ମାଧ୍ୟମରେ NRC କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି: ମମତା ବାନାର୍ଜୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ SIR ଭୟରେ ପ୍ରତିଦିନ 3 ରୁ 4 ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ସେ SIRକୁ NRC ର ପଛ ଦ୍ୱାର ଭାବରେ ବର୍ଣ୍ଣନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି ବଙ୍ଗଳାକୁ ଟାର୍ଗେଟ କରୁଛନ୍ତି। ରାଜ୍ୟ ସରକାର ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିଶନ ଏହି ମାମଲାରେ ନିରପେକ୍ଷ ଭୂମିକା ଗ୍ରହଣ କରୁନାହାଁନ୍ତି ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାର ଏହି ମୃତ୍ୟୁ ପାଇଁ ନୈତିକ ଦାୟିତ୍ୱ ନେବା ଉଚିତ।