ସ୍ପେନରେ ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟି ୨୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁଇଟି ଦ୍ରୁତ ଗତିରେ ଯାଉଥିବା ଟ୍ରେନ୍ ପରସ୍ପର ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ ଗୋଟିଏ ଟ୍ରେନ ଲାଇନଚ୍ୟୁତ ହୋଇ ଓଲଟି ପଡିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ଏବଂ ୭୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨୫ରୁ ଅଧିକଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।
ଏହି ଦୁର୍ଘଟଣା କର୍ଡୋବା ରାଜ୍ୟର ଆଡାମୁଜ ଅଞ୍ଚଳରେ ଘଟିଛି, ଯାହା ଫଳରେ ମାଡ୍ରିଡ୍ ଏବଂ ଆଣ୍ଡାଲୁସିଆ ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ମାଲାଗାରୁ ମାଡ୍ରିଡ୍ ଯାଉଥିବା ହାଇ-ସ୍ପିଡ୍ ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହୋଇ ବିପରୀତ ଟ୍ରାକକୁ ଚାଲିଯାଇଥିଲା। ବିପରୀତ ଦିଗରୁ ଆସୁଥିବା ମାଡ୍ରିଡ୍-ହୁଏଲଭା ହାଇସ୍ପିଡ ଟ୍ରେନ୍ ସହିତ ଜୋରଦାର ଧକ୍କା ହୋଇଥିଲା। ଉଭୟ ହାଇ-ସ୍ପିଡ୍ ଟ୍ରେନ୍ରେ ପ୍ରାୟ ୫୦୦ରୁ ଅଧିକ ଯାତ୍ରୀ ଟ୍ରେନରୁ ବାହାରି ଏଣେତେଣେ ପଡିଥିଲେ।